ସହିଦନଗରରେ ପରିଦର୍ଶନ କଲେ ବିଏମ୍‌ସି କମିସନର୍‌ : କହିଲେ ଫ୍ୟାନ୍ସି ମାର୍କେଟ୍‌ ନିକଟରେ ହେବ ଖାଓ ଗଳି

ଭୁବନେଶ୍ବର: ବିଏମ୍‌ସି କମିସନର୍‌ ପ୍ରେମଚନ୍ଦ୍ର ଚୌଧରୀ ଏବେ ବିଭିନ୍ନ ୱାର୍ଡ ବୁଲି ଲୋକଙ୍କ ସମସ୍ୟା ବିଷୟରେ ଅବଗତ ହେଉଛନ୍ତି। ସମସ୍ୟାକୁ କିପରି ସମାଧାନ କରାଯାପାରିବ ସେହି ବାଟ ଖୋଜୁଛନ୍ତି। ଏଥିପାଇଁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ଯ ନେଇ ଘୋଷଣା କରୁଛନ୍ତି। ତେବେ ଗତକାଲି କମିସନର୍‌ ୱାର୍ଡ ନଂ-୩୦ ପରିଦର୍ଶନରେ ଯାଇଥିବା ବେଳେ ସେମାନଙ୍କ ଅଞ୍ଚଳ ପାଇଁ କମିସନର୍‌ ସେମିତି କିଛି କରିବେ, ସେମାନଙ୍କ ଦୀର୍ଘ ଦିନର ସମସ୍ୟା ଦୂର କରିବା ପାଇଁ ତୁରନ୍ତ ପଦକ୍ଷେପ ନେବେ ବୋଲି ସ୍ଥାନୀୟ ବାସିନ୍ଦା ଆଶା କରିଥିଲେ। ହେଲେ ଲୋକଙ୍କ ଆଶା ନେଇ ସମସ୍ୟା ସମାଧାନ ହେଲାନି। ବରଂ ଫ୍ୟାନ୍ସି ମାର୍କେଟ୍ ନିକଟରେ ଗୋଟିଏ ଖାଓ ଗଳି ହେବ, ଡ୍ରେନ୍‌ରେ ସ୍ଲାବ୍‌ ପଡ଼ିବ ବୋଲି କହିଛନ୍ତି ବିଏମ୍‌ସି କମିସନର୍।

ସ୍ଥାନୀୟ ଲୋକ କହିଥିଲେ ଯେ ସାଇ ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଡ୍ରେନ୍‌ରେ ସ୍ଲାବ୍ ନଥିବାରୁ ଦୁର୍ଘଟଣା ଘଟୁଛି। କମିସନର କହିଥିଲେ, ସବୁ ଡ୍ରେନ୍‌ରେ ସ୍ଲାବ୍ ପଡ଼ିବ। କନଜ‌ରଭେନ୍ସି ଲେନ୍‌ରେ ଆବର୍ଜନା ଗଦା ହେଉଥିବାରୁ ପୂତିଗନ୍ଧମୟ ପରିସ୍ଥିତି ସୃଷ୍ଟି ହେଉଛି। କମିସନର କହିଥିଲେ କନଜରଭେନ୍ସି ଲେନ୍‌ର ଉନ୍ନତୀକରଣ ହେବ।

ହେଲେ ସ୍ଥାନୀୟ ଲୋକ ସ୍ମାର୍ଟ ପାର୍କ ସମ୍ମୁଖରେ ହୋଇଥିବା ଜବରଦଖଲ ଯୋଗୁଁ ବିଭିନ୍ନ ସମସ୍ୟା ହେଉଥିବା କହିଥିଲେ, ଏପରିକି ଅସାମାଜିକ ଯୁବକଙ୍କ ଆଡ଼ା ଜମୁଥିବାରୁ ସଂଧ୍ୟା ପରେ ଘରୁ ବାହାରି ହେଉନି, ପାର୍କ ସମ୍ମୁଖ ତିନିକୋଣିଆ ଅଞ୍ଚଳରେ ଶତାଧିକ ଦୋକାନ ବେଆଇନ ଭାବେ ନିର୍ମାଣ ହୋଇଥିବାରୁ ରାସ୍ତା ଉପ‌ରେ ଗାଡ଼ି ପାର୍କିଂ ହେଉଛି ଏବଂ ଯାତାୟାତ କରିବାରେ ସମସ୍ୟା ହେଉଛି। ତେଣୁ ତୁରନ୍ତ ଏହାକୁ ଉଚ୍ଛେଦ କରିବାର ବ୍ୟବସ୍ଥା କରନ୍ତୁ। କମିସନର ଏହା ଶୁଣିଥିଲେ, ଦେଖିଥିଲେ କିନ୍ତୁ କିଛି ନକହି କଥା ଏଡ଼ାଇ ଦେଇଥିଲେ। କମିସନରଙ୍କଠାରୁ କିଛି ସ୍ପଷ୍ଟ ଉତ୍ତର ନପାଇବାରୁ ସ୍ଥାନୀୟ ଲୋକ ପୂରା ହତାଶ ହୋଇଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.