Below header

ନୟାଗଡ:ଶ୍ମଶାନ ଜମି ବିବାଦକୁ ନେଇ ଶବକୁ ଅସମ୍ମାନ, ରାତି ତମାମ ଶବ ପଡ଼ି ରହିବା ପରେ ପ୍ରଶାସନ ଉପସ୍ଥିତିରେ ହେଲେ ଶବ ସତ୍କାର

ନୟାଗଡ(କେନ୍ୟୁଜ୍): ନୟାଗଡରେ ପୁଣି ଶବକୁ ଅସମ୍ମାନ । ଗାଁ ଶ୍ମଶାନ ଜମି ବିବାଦକୁ ନେଇ ୨୪ ଘଣ୍ଟା ଗାଁ ଦାଣ୍ଡରେ ପଡିରହିଲା ଶବ । ଶରଣକୁଳ ଥାନା ଭାଲିଆଡ଼ିହି ଗ୍ରାମ ଉପର ସାହିର ନାଥ ପ୍ରଧାନଙ୍କର ଗତ ଶୁକ୍ରବାର ଦିନ ଅପରାହ୍ନ ୪ ଟା ସମୟରେ ମୃତ୍ୟୁ ହୋଇଥିଲା । ନାଥଙ୍କ ପରିବାର ଲୋକ ଗାଁ ଶ୍ମଶାନକୁ ଶବ ସତ୍କାର କରିବାକୁ ନେଲାବେଳେ ଜଗନ୍ନାଥ ସାହି,କଜଲାଇ ସାହି, ପାଇକ ସାହି ଓ ତଳ ସାହି ଲୋକମାନେ ବିରୋଧ କରିଥିଲେ । ଓଡଗାଁ ତହସିଲଦାର ଆସି ଗ୍ରାମବାସୀଙ୍କ ସହ ରାତି ତମାମ ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇ ପାରିନଥିଲା ।

dead body

ଗତକାଲି ନୟାଗଡ ତହସିଲଦାରଙ୍କ ସହ ଅତିରିକ୍ତ ଏସପି, ଶରଣକୁଳ ଏସଡିପିଓଙ୍କ ସହ ପାଞ୍ଚଟି ଥାନାର ଆଇଆଇସି , ଏକ ପ୍ଲାଟୁନ ପୋଲିସ ଫୋର୍ସ ଗାଁରେ ମୁତୟନ ହେବା ସହ ଶ୍ମଶାନ ଜମି ବିବାଦର ସମାଧାନ କରେଇବାକୁ ଚେଷ୍ଟା କରିଥିଲେ । ରାତି ହୋଇଯାଇଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନଥିଲା । ରାତିରେ କୌଣସି ସମାଧାନ ନ ହୋଇପାରିବାରୁ ପୋଲିସ ଫୋର୍ସ ଲଗେଇ ଜବରଦସ୍ତ ଉତ୍ୟକ୍ତ ଲୋକଙ୍କୁ ଘଉଡାଇବା ସହ ଶ୍ମଶାନ ଜମିରେ ଶବ ସତ୍କାର କରିଥିଲେ । ଗତ ବର୍ଷ ମଧ୍ୟ ଏକ ଶବ ସତ୍କାର କରିବା ବେଳେ ଏହି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଯାଇଥିଲା ।

ତେବେ ଏହି ଘଟଣାର  ଏକ ସ୍ଥାଇ ସମାଧାନ ପାଇଁ ଆସନ୍ତା ସୋମବାର ଦିନ ଦୁଇ ଗୋଷ୍ଠୀଙ୍କ ସହ ପୋଲିସ , ତହସିଲଦାର ମିଶି ସମାଧାନ କରିବେ ବୋଲି ତହସିଲଦାର କହିଛନ୍ତି । ତେବେ ଶ୍ମଶାନ ଜମି ବିବାଦକୁ ନେଇ ଶବକୁ ଏଇଭଳି ଅସମ୍ମାନ କରିବା ସହ ୨୪ ଘଣ୍ଟାରୁ ଅଧିକ ସମୟ ଗାଁ ଦାଣ୍ଡରେ ପକେଇ ରଖିବା ଘଟଣାକୁ ନୟାଗଡ ଜିଲ୍ଲାର ବୁଦ୍ଧିଜୀବୀ ମାନେ ନିନ୍ଦା କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.