Below header

‘ମାଛ ନିଅ…ମାଛ ନିଅ’ ଡାକରେ ଆଉ କମ୍ପୁନି ଗାଁ ଦାଣ୍ଡ, ଗଳା କର୍କଟରେ ଯନ୍ତ୍ରଣା ଭୋଗୁଛନ୍ତି କେନାରାମ

ଗାଁ ଗାଁ ବୁଲି ମାଛ ବିକୁଥିଲେ କେନାରାମ ମଣ୍ଡଳ। ମାଛ ନିଅ… ମାଛ ନିଅ… ଡାକରେ କମ୍ପି ଉଠୁଥିଲା ଗାଁ ଦାଣ୍ଡ। ଆଉ ତାଙ୍କ ଡାକ ଶୁଣି ଘରୁ ବାହାରି ଆସୁଥିଲେ ଗରାଖ। ହେଲେ ଦୀର୍ଘ ୮ ମାସ ହେବ ଶୁଣିବାକୁ ମିଳୁନି କେନାରାମଙ୍କର ସେହି ସ୍ନେହଭରା ଡାକ। ଖୋର୍ଦ୍ଧା ଜିଲା ଟାଙ୍ଗି ବ୍ଲକ ଅନ୍ତର୍ଗତ କନ୍ତଳବାଇ ପଞ୍ଚାୟତ ଗୋର୍ଦ୍ଧନପୁର କଲୋନୀର କେନାରାମ ଏବେ ଗଳା କର୍କଟରେ ପୀଡ଼ିତ। ବୟସ ପାଖାପାଖି ୩୫ ହେବ। ତଥାପି ବଞ୍ଚିବା ପାଇଁ ସେ ଜୀବନ ଯୁଦ୍ଧରେ ସଂଗ୍ରାମ ଚଳାଇଛନ୍ତି।

ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ କେନାରାମ। ମାଛ ବିକି ଗୁଜୁରାଣ ମେଣ୍ଟାଉଥିଲେ। ବ୍‌ଦ୍ଧ ମାତାପିତା, ସ୍ତ୍ରୀ ଯବା ଓ ଦୁଇ ପିଲାଙ୍କ ମୁହଁରେ ହସ ଫୁଟାଉଥିଲେ। ହେଲେ ଏବେ ସତେ ଯେପରି ତାଙ୍କ ଉପରେ କାହାର କୋପଦ୍‌ଷ୍ଟି ପଡ଼ିଯାଇଛି। ପାଖରେ ସମ୍ବଳ ନ ଥିବା ବେଳେ ରୋଗ କଷ୍ଟ ଆହୁରି ଯନ୍ତ୍ରଣାଦାୟକ ହୋଇପଡ଼ୁଛି।

ବଙ୍ଗୀୟ ଶରଣାର୍ଥୀ ପରିବାର ହୋଇଥିବାରୁ କେନାରାମଙ୍କୁ ସରକାରଙ୍କ ପକ୍ଷରୁ ମିଳିଥିଲା ଖଣ୍ଡିଏ ଘର ଓ ଅଧ ଏକର ଜମି। କିନ୍ତୁ ବାତ୍ୟା ଫନିରେ ଚାଳ ଛପର ଉଡ଼ିଯିବାରୁ ପଲିଥିନ୍ ଘରେ ଭାଗ୍ୟକୁ ଆଦରି ୬ ପ୍ରାଣୀ କୁଟୁମ୍ବ ପଡ଼ିରହିଛନ୍ତି। ସେପଟେ ପୁନଃ ବସତି ଯୋଜନାରେ ମିଳିଥିବା ଜମିରେ ଚିଲିକା ଲୁଣିପାଣି ମାଡ଼ି ଯାଉଥିବାରୁ ସେଠାରୁ କିଛି ମିଳୁନି କହିଲେ ଚଳେ। ମାଛ ବିକି ଯାହା ମିଳୁଥିଲା, ସେଥିରେ ଅଧା ଖର୍ଚ୍ଚ ପିଲାଙ୍କ ପାଠପଢ଼ାରେ ଯାଉଥିଲା।

IMAGE-2

ପୁଅ ଅମରଦୀପ ପ୍ରଥମ ଓ ଝିଅ ବବିତା ୪ର୍ଥ ଶ୍ରେଣୀରେ କଲୋନୀ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି। ପରିବାରର ତେଲ, ଲୁଣ ଖର୍ଚ୍ଚଠାରୁ ଆରମ୍ଭ କରି ପିଲାଙ୍କ ପାଠପଢ଼ା ଯାଏ, ସବୁ କିଛି ନିର୍ଭର କରେ କେନାରାମଙ୍କ ଉପରେ। ହେଲେ ଭାଗ୍ୟର ବିଡ଼ମ୍ବନା ହେତୁ କେନାରାମ ଏବେ ଶଯ୍ୟାଶାୟୀ।

୮ ମାସ ତଳେ ଗଳା ଓ ଦାନ୍ତ ମୂଳ ଦରଜ ହେବାରୁ କନ୍ତଳବାଇ ଡାକ୍ତରଖାନା ଯାଇ ଦେଖାଇଥିଲେ। କିନ୍ତୁ ସେଠାରେ ଆରୋଗ୍ୟ ହୋଇ ନ ଥିଲା। ଅଧିକ ଚିକିତ୍ସା ଲାଗି ଭୁବନେଶ୍ବର ଏମ୍ସ ହସ୍ପିଟାଲ ଚାଲିଆସିଲେ। ଏଠାରେ ପରୀକ୍ଷା ନିରୀକ୍ଷା ପରେ ତାଙ୍କୁ କର୍କଟ ହୋଇଥିବା ଜଣାପଡ଼ିଥିଲା। ଅପରେଶନ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ହେଲେ ଅପରେଶନ ତାରିଖ ନ ମିଳିବାରୁ ବାଧ୍ୟହୋଇ ଏକ ଘରୋଇ ହସ୍ପିଟାଲରେ ଅପରେଶନ କରାଇଲେ।

ବୀମା ଖର୍ଚ୍ଚରେ ଅପରେଶନ ହୋଇଯାଇଛି। ୩୦ଥର ଲାଇଟ୍ ପଡ଼ିବା ପରେ ଏବେ କେମୋ ଦିଆଯାଉଛି। ତଥାପି ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷତ ହେଉନାହିଁ। ପୁଣି ଗଳାରେ ଫୁଲା ଦେଖାଗଲାଣି। ଏପଟେ ଅଧିକ ଚିକିତ୍ସା ପାଇଁ ପାଖରେ ଆଉ ସମ୍ବଳ ନାହିଁ। ବ୍‌ଦ୍ଧ ପିତାମାତା, ସ୍ତ୍ରୀ, ପିଲାଛୁଆଙ୍କ ଭବିଷ୍ୟତ ଚିନ୍ତାରେ କେନାରାମ।

ଆମେ ଏଠାରେ ଜଣାଇ ଦେଉଛୁ, ଯଦି କେହି ସହ୍‌ଦୟ ବ୍ୟକ୍ତି କେନାରାମଙ୍କୁ ସହାୟତାର ହାତ ବଢ଼େଇବାକୁ ଚାହୁଁଥାଆନ୍ତି, ତେବେ ୮୦୯୩୯୬୨୬୮୦ ନମ୍ବରକୁ କଲ୍ କଲେ ତାଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ ହୋଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.