ନବରଙ୍ଗପୁର : ରାସ୍ତା ଉପରେ ଏମିତି ଲଢ଼ିଲେ, ଲୁଟେରାଙ୍କ କବଳରୁ ୫ ଲକ୍ଷ ଟଙ୍କା ବଞ୍ଚାଇ ଦେଲେ କ୍ୟାସିୟର

ନବରଙ୍ଗପୁର (କେ ନ୍ୟୁଜ୍‌) : ଲୁଟେରାଙ୍କ କବଳରୁ ଅଳ୍ପକେ ବର୍ତ୍ତିଗଲେ ଜଣେ କ୍ୟାସିୟର । ଆଜି ଦିନ ବେଳା ନବରଙ୍ଗପୁର ସହର ମୁଖ୍ୟ ରାସ୍ତା ମା ଭଣ୍ଡାର ଘରଣୀ ମନ୍ଦିର ନିକଟରେ ଏହି ଘଟଣା ଘଟିଛି । ପାପଡ଼ାହାଣ୍ଡି ବ୍ଲକ୍‌ ତୁମ୍ବର୍ଲା ଉତ୍କଳ ଗ୍ରାମୀଣ ବ୍ୟାଙ୍କର କ୍ୟାସିୟର ସନ୍ତୋଷ କୁମାର ମହନ୍ତ ନବରଙ୍ଗପୁର ଏସ୍‌ବିଆଇ ମୁଖ୍ୟ ଶାଖାରୁ ୫ ଲକ୍ଷ ଟଙ୍କା ଉଠାଇ ଏକ କାର୍‌ ଯୋଗେ ଫେରୁଥିଲେ । ତେବେ ମନ୍ଦିର ପାଖରେ କାର୍‌ ରଖି ଏକ ବହି ଦୋକାନରୁ ଫାଇଲ୍‌ କିଣି ପୁଣି କାର୍‌ ପାଖକୁ ଫେରିବା ବେଳେ ରାସ୍ତା ମଝିରେ ଘଟିଲା ଅଘଟଣ । ବାଇକ୍‌ରେ ଦୁଇଜଣ ଦୁର୍ବୃତ୍ତ ଅଚାନକ ଆସି ରାସ୍ତ ମଝିରୁ ତାଙ୍କ ଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଛଡ଼ାଇବାକୁ ଲାଗିଲେ ।

loot-2

ତେବେ ସନ୍ତୋଷ ତଳେ ପଡ଼ି ଯାଇଥିଲେ ମଧ୍ୟ ହାତରୁ ଟଙ୍କା ବ୍ୟାଗ୍‌ ଛାଡ଼ି ନଥିଲେ । ଏମିତିକି ବାଇକ୍‌ଟି ତାଙ୍କୁ କିଛି ବାଟ ଘୋସାରି ନେଇଥିଲା । ତଥାପି ସନ୍ତୋଷ ହାତରୁ ବ୍ୟାଗ୍‌ଟିକୁ ଖସିବାକୁ ଦେଇନଥିଲେ । ଶେଷରେ ଦୁର୍ବୃତ୍ତମାନେ ବ୍ୟାଗ୍‌ ଛାଡ଼ି ସେଠାରୁ ତୁରନ୍ତ ଚମ୍ପଟ୍‌ ମାରିଥିଲେ । ଜନଗହଳି ରାସ୍ତାରେ ଯାନବାହନ ଚଳାଚଳ କରୁଥିବା ବେଳେ କେହି କିଛି ବୁଝିବା ପୂର୍ବରୁ ଏଇ ଘଟଣା ଘଟି ଯାଇଥିଲା ।
ଖବର ପାଇଁ ଟାଉନ୍‌ ଥାନା ପୋଲିସ୍‌ ପହଞ୍ଚି ତଦନ୍ତ କରୁଛି । ଲୁଟେରାଙ୍କୁ ଧରିବା ଲାଗି ତନାଘନା ଚଳାଛି । ହେଲେ କ୍ୟାସିୟର ସନ୍ତୋଷ ମହନ୍ତଙ୍କ ସାହସିକତା ଏବଂ ଉପସ୍ଥିତ ବୁଦ୍ଧି ଯୋଗୁଁ ୫ ଲକ୍ଷ ଟଙ୍କା ରହିଗଲା ବୋଲି ଲୋକେ ଚର୍ଚ୍ଚା କରିବା ସହ ତାଙ୍କର ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.