ମହିଳା ସଶକ୍ତ ହେଲେ ରାଜ୍ୟ ତଥା ଦେଶ ସଶକ୍ତ ଓ ସମୃଦ୍ଧ ହେବ: ଦୁଇ ଦିନିଆ ମହିଳାଙ୍କ ଜାତୀୟ ସଂସଦକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟ ମହିଳା ଆୟୋଗଙ୍କ ପକ୍ଷରୁ କିଟ୍‌ ପ୍ରେକ୍ଷାଳୟରେ ଆୟୋଜିତ ଦୁଇ ଦିନିଆ ମହିଳାଙ୍କ ଜାତୀୟ ସଂସଦକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସେ ମହିଳା ସଶକ୍ତ ହେଲେ ରାଜ୍ୟ ତଥା ଦେଶ ସଶକ୍ତ ଓ ସମୃଦ୍ଧ ହେବ ବୋଲି ଆହ୍ଵାନ ଦେଇଥିଲେ । ରାଜ୍ୟରେ ମହିଳାଙ୍କ ପାଇଁ ଆରମ୍ଭ ହୋଇଥିବା ମିଶନ ଶକ୍ତି ଏବେ ଏକ ଆନ୍ଦୋଳନର ରୂପ ଧାରଣ କରି ସମଗ୍ର ଦେଶରେ ଉଦାହରଣ ସୃଷ୍ଟି କରିପାରିଛି । ରାଜ୍ୟରେ ଗର୍ଭବତୀଙ୍କ ପାଇଁ ମମତା ଯୋଜନା ଠାରୁ ଆରମ୍ଭ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ୧୦ଲକ୍ଷ ଟଙ୍କା ଯାଏ ସ୍ୱାସ୍ଥ୍ୟବୀମା ବ୍ୟବସ୍ଥା କରାଯାଇଛି ।

ସମଗ୍ର ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ଓ ପୌର ନିର୍ବାଚନରେ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରି ଅନ୍ୟମାନଙ୍କ ପାଇଁ ଆଦର୍ଶ ହୋଇପାରିଛି । ସବୁ କ୍ଷେତ୍ରରେ ନିଷ୍ପତ୍ତି ନେବାରେ ମହିଳା ଭାଗିଦାରୀ ହେବେ ବୋଲି କହି ମୁଖ୍ୟମନ୍ତ୍ରୀ ଦୁଇ ଦିନିଆ କର୍ମଶାଳାରେ ଉପସ୍ଥିତ ମହିଳାଙ୍କୁ ଶୁଭେଛା ଜଣାଇଥିଲେ । ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଡ. ମିନତୀ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଓ ରାଜ୍ୟସଭା ସାଂସଦ ମୁନା ଖାଁ, ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ଓ ଜାତୀୟ ମହିଳା କମିଶନର ଯୁଗ୍ମ ସଚିବ ଏ.ଆସୋଲି ଚାଲାଇ ଅତିଥି ଭାବେ ଯୋଗ ଦେଇଥିଲେ ।

women com2

କର୍ମଶାଳାରେ ଅରୁଣାଚଳ ପ୍ରଦେଶ, ଛତିଶଗଡ, ହରିୟାଣା, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ତେଲେଙ୍ଗାନା, ତ୍ରିପୁରା ଓ ପଶ୍ଚିମବଙ୍ଗ ଆଦି ୧୫ଟି ରାଜ୍ୟର ମହିଳା କମିଶନ ଅଧ୍ୟକ୍ଷା ସାମିଲ ହୋଇଛନ୍ତି । ଦୁଇ ଦିନିଆ କର୍ମଶାଳାରେ ବିଭିନ୍ନ ରାଜ୍ୟରୁ ଉପସ୍ଥିତ ଥିବା ମହିଳା କମିଶନ ଅଧ୍ୟକ୍ଷାଙ୍କ ଠାରୁ ଭାବର ଆଦାନ ପ୍ରଦାନ ସହିତ ଯେଉଁ ନିର୍ଯାସ ବାହାରିବ ତାକୁ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ ।

ମହିଳାଙ୍କ ଅଧିକାର ସୁରକ୍ଷିତ ରଖିବାରେ ମହିଳା କମିଶନ ବେଶ ସହାୟକ ହୋଇପାରିଥିବା ନେଇ ମତ ପ୍ରକାଶ ପାଇଛି । ସେପଟେ ପଞ୍ଚାୟତ ଓ ପେର ର୍ନିବାଚନ ଭଳି ବିଧାନସଭା ଓ ପାର୍ଲାମେଣ୍ଟ ନିର୍ବାଚନରେ ମଧ୍ୟ ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରଖାଯିବ ଉଚିତ ବୋଲି ମତ ଦେଇଥିଲେ ରାଜ୍ୟସଭା ସାଂସଦ ମୁନା ଖାଁ । ଏହି ଅବସରରେ ରାଜ୍ୟ ବାହାରୁ ଆସିଥିବା ସମସ୍ତ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାମାନଙ୍କୁ ସମ୍ମାନିତ କରାଯାଇଥିଲା । ଆସନ୍ତାକାଲି କର୍ମଶାଳାର ଶେଷ ଦିବସରେ ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.