ବାପା ଓ ମା’ଙ୍କ ଅସାବଧାନତା ନେଇ ଗଲା କୁନି ପିଲାର ଜୀବନ

ଯୋଡ଼ା (କେନ୍ୟୁଜ୍‌) : ବାପା ମା’ଙ୍କ ଅସାବଧାନତା ଯୋଗୁଁ ଚାଲିଗଲା ନିଷ୍ପାପ ଶିଶୁର ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଯୋଡ଼ାରେ । ଖେଳୁଥିବା ବେଳେ ମାଲବାହୀ ଟ୍ରେନ ଧକ୍କାରେ ଦେଢ଼ ବର୍ଷ ଶିଶୁପୁତ୍ରର ମୃତ୍ୟୁ ହୋଇଛି। ମୃତ ଶିଶୁ ଯୋଡ଼ା, ବାଂଶପାଣି ନିକଟ ମଙ୍ଗଲାଲ ହଟିଂର ବିଜୟ ମହାକୁଡ଼ଙ୍କ ପୁଅ ଅବିନାଶ ।

ସୂଚନା ପାଇ ଯୋଡ଼ା ପୋଲିସ୍ ମୃତଦେହକୁ ଜବତ୍ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଖବର ଅନୁଯାୟୀ, ମଙ୍ଗଲାଲ ହଟିଂ ରେଳ ଧାରଣା ନିକଟରେ ଥିବା ବେଳେ ତାଙ୍କ ଦେଢ଼ ବର୍ଷର ପୁଅ ଅବିନାଶ ଘର ବାହାରେ ଖେଳୁ ଖେଳୁ ରେଳ ଧାରଣା ନିକଟକୁ ଚାଲି ଯାଇ ଥିଲା । ଏହି ସମୟରେ ବାପା ଘରେ ଶୋଇଥିଲେ ଓ ମା’ ବାସନ ମାଜୁଥିଲେ । ତେଣୁ ପିଲାଟି ନଜର ଏଡ଼ାଇ କେତେବେଳେ ରେଳ ଧାରଣା ନିକଟକୁ ଚାଲି ଯାଇଥିଲା ତାହା ବାପା କିମ୍ବା ମା’ ଜାଣି ପାରି ନଥିଲେ । କିଛି ସମୟ ଧରି ଖୋଜା ଖୋଜି କରିବା ପରେ ପାଖ ରେଳ ଧାରଣା ନିକଟରୁ ପୁଅ ଅବିନାଶକୁ ପାଇଥିଲେ । ପୁଅର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଦେଖି ସଂଗେ ସଂଗେ ପାଖ ମେଡିକାଲକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ମାଲବାହୀ ଟ୍ରେନ ଧକ୍କା ଦେଇଥିବା କାରଣରୁ ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଯୋଡ଼ା ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.