ଭିଡିଓ ଭାଇରାଲକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୭ ଆହତ

ବାରିପଦା(କେନ୍ୟୁଜ୍): ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ,୭ ଜଣ ଆହତ। ଏହି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦାର ରଘୁନାଥପୁର ଅଞ୍ଚଳରେ। ୭ ଜଣ ଆହତଙ୍କ ଭିତରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ତେବେ ଏକ  ପୁରୁଣା ଭିଡିଓ ଭାଇରାଲକୁ ନେଇ ଏହି ସଂଘର୍ଷ ହୋଇଥିବା ଜଣାପଡିଛି।

ଯାହା ସୂଚନା ମିଳିଛି, ରଘୁନାଥପୁର ସ୍ଥିତ ଏକ ବସ୍ତିରେ କିଛି ଯୁବକ ବାରିପଦା ସହରର ଏକ ନିର୍ଦ୍ଦିଷ୍ଟ ଯୁବ ଗୋଷ୍ଠୀର କିଛି ଯୁବକଙ୍କର ପୁରୁଣା ଭିଡିଓ ଭାଇରାଲ କରିଥିଲେ। ଏନେଇ ଗତକାଲି ରାତିରେ  ଉକ୍ତ ଯୁବ ଗୋଷ୍ଠୀର ୫୦ରୁ ଊର୍ଦ୍ଧ ଯୁବକ ଏକତ୍ରିତ ହୋଇ ରଘୁନାଥପୁର ସ୍ଥିତ ଏକ ବସ୍ତିକୁ ଯାଇଥିଲେ। ସେଠାରେ ଥିବା ଯୁବକମାନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବାଡାବାଡି ସହିତ ହଣାକଟା ଚାଲିଲା।

ଯାହାଫଳରେ ଉଭୟ ଗୋଷ୍ଠୀର ୭ଜଣ ଯୁବକ ଆହତ ହୋଇଥିଲେ। ବାରିପଦା ଟାଉନ ପୋଲିସ୍ ଏନେଇ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.