ଓଡିଆ ଖାଦ୍ୟକୁ ଲୋକପ୍ରିୟ କରିବା ପାଇଁ OTDCର ପ୍ରୟାସ, ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟନ ହେଲା ‘ନିମନ୍ତ୍ରଣ’ ରେସ୍ତୋରାଁ

କେନ୍ୟୁଜ୍(ବ୍ୟୁରୋ):  ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ନିକଟରେ OTDC ପକ୍ଷରୁ ନିର୍ମିତ ରେସ୍ତୋରାଁ ‘ନିମନ୍ତ୍ରଣ’ର ଶୁଭ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। OTDCର ୪୨ତମ ପ୍ରତିଷ୍ଠା ଦିବସ ଅବସରରେ ଉଦ୍‌ଘାଟିତ ଏହି  ରେସ୍ତୋରାଁରେ  ଖାଣ୍ଟି ଓଡିଆ ବ୍ୟଞ୍ଜନ ଉପଲବ୍‌ଧ ହେବ । ଓଡିଆ ଖାଦ୍ୟକୁ ଲୋକପ୍ରିୟ କରି ବ୍ୟଞ୍ଜନ ପର୍ଯ୍ୟଟନର ବିକାଶରେ ଏହା ସହାୟକ ହେବ। OTDCର ନିମନ୍ତ୍ରଣ ରେସ୍ତୋରାଁ ଶୃଙ୍ଖଳରେ ଏହା ହେଉଛି ପ୍ରଥମ ଓ ପରବର୍ତ୍ତୀ ପର୍ଯ୍ୟାୟରେ ପୁରୀ ଓ ସମ୍ବଲପୁରରେ ମଧ୍ୟ ଏଭଳି ରେସ୍ତୋରାଁରେ ଖୋଲାଯିବ ବୋଲି ସୂଚନା ଦିଆଯାଇଥିଲା ।

ପରେ ମୁଖ୍ୟମନ୍ତ୍ରୀ ପଟିଆ ଯାଇ ପଟିଆ ଓ ଭଗବାନପୁର ଠାରେ ମୋ ବସ୍‌ର ଦୁଇଟି ଡିପୋ ଉଦ୍‌ଘାଟନ କରିଥିଲେ । ଏହି ଅତ୍ୟାଧୁନିକ ଡିପୋ ଦୁଇଟିରେ ମେସିନ୍‌ ଜରିଆରେ  ବସ୍ ପରିଷ୍କାର  କରିବା ସହିତ ବସ୍ ଗୁଡିକରେ ତେଲ ପକାଇବାର ସୁବିଧା ମଧ୍ୟ କରାଯାଇଛି।

ପରେ ମୁଖ୍ୟମନ୍ତ୍ରୀ ପୋଖରୀପୁଟ ଠାରେ ରାଜ୍ୟ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନବନିର୍ମିତ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନର ଉଦ୍‌ଘାଟନ କରିଥିଲେ ।  ୧୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରତିଷ୍ଠାନରେ ସମସ୍ତ ପ୍ରକାର ଅକ୍ଷମତାର ପରୀକ୍ଷା, ଚିକିତ୍ସା, ଗତିଶୀଳତାର ତାଲିମ, ପ୍ରାକ୍‌ ବିଦ୍ୟାଳୟ ଶିକ୍ଷା, ଚିତ୍ରକଳା, ନୃତ୍ୟଗୀତ ତାଲିମ ତଥା ବୃତ୍ତିଗତ ଶିକ୍ଷା ଓ ବିଭିନ୍ନ ପ୍ରକାର ପରାମର୍ଶ ର ବନ୍ଦୋବସ୍ତ କରାଯାଇଛି । ଏହି ପ୍ରତିଷ୍ଠାନରେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ୧୦୦ ଜଣ ଭିନ୍ନକ୍ଷମ ପିଲାଙ୍କର ରହଣୀର ସୁବନ୍ଦୋବସ୍ତ କରାଯାଇଛି । ଏଠାରେ ପିଲାମାନଙ୍କର ଅଭିଭାବକ ମଧ୍ୟ ପିଲାମାନଙ୍କ ସହିତ ରହି ଚିକିତ୍ସା କରାଇ ପାରିବେ ।  ଏହି କେନ୍ଦ୍ରରେ ଉନ୍ନତମାନର ଯନ୍ତ୍ରପାତିର ସୁବିଧା ମଧ୍ୟ କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.