ରାଜଧାନୀର ବୁଲେଟ୍ ରାଣୀ ରିନୁଙ୍କୁ ନେଇ ଚାରିଆଡୁ ସାବାସୀ, ପୁରସ୍କୃତ କରିବ କମିଶନରେଟ ପୋଲିସ୍
ଭୁବନେଶ୍ବର: ବୁଲେଟ୍ ରାଣୀ ରିନୁଙ୍କୁ ନେଇ ଚାରିଆଡୁ ସାବାସୀ । ସାହସ ଦେଖାଇ ଲୁଟେରାଙ୍କୁ କାବୁ କରିଥିବାରୁ ସବୁଠି ପ୍ରଶଂସା କରାଯାଉଛି । ସାହସିକତା ପାଇଁ ପୁରସ୍କୃତ କରିବ କମିଶନରେଟ ପୋଲିସ । ଲୁଟେରାଙ୍କୁ କାବୁ କରିଥିଲେ ରାଜଧାନୀର ଯୁବତୀ । ରୁନିଙ୍କ ସାହସ ଆଗରେ ହାର ମାନିଲା ଲୁଟେରାଙ୍କ ପ୍ଲାନ୍ । ଶନିବାର ରାତିରେ ରିନୁ ବୁଲେଟରେ ନିଜ ଘରକୁ ଫେରୁଥିଲେ ।
ଭୁବନେଶ୍ୱର ଡୁମୁଡୁମା ନଗର ଅଟୋଷ୍ଟାଣ୍ଡ ପାଖରେ ଦୁଇ ଜଣ ଲୁଟେରା ତାଙ୍କ ଫୋନ୍ ଝାମ୍ପି ନେବାକୁ ଚେଷ୍ଟା କରିଥିଲେ । କିନ୍ତୁ ଫୋନ୍କୁ ସହଜରେ ଯୁବତୀ ଜଣକ ଛାଡିନଥିଲେ । ଲୁଟେରା ଓ ରିନୁଙ୍କ ମଧ୍ୟରେ ୧୫ ମିନିଟ ଧରି ଧସ୍ତାଧସ୍ତି ହୋଇଥିଲା । ଯୁବତୀ ଜଣଙ୍କ ଲୁଟେରାଙ୍କ ହାତରୁ ମୋବାଇଲ୍ ଫୋନ୍ ଛଡାଇ ଆଣିବା ସହ ଲୁଟେରାଙ୍କୁ ମାଡି ବସିଥିଲେ । ଧସ୍ତାଧସ୍ତିରେ ଯୁବତୀ ଜଣକ ଆହତ ହୋଇଥିଲେ । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଜଣେ ଲୁଟେରାକୁ ନିଜ ହେପାଜତକୁ ନେଇଥିଲା । ଲୁଟେରା ଜଟଣୀ ଅଞ୍ଚଳର ସେଖ୍ ଜଲ୍ଲାଉଦ୍ଦିନ । ଅନ୍ୟ ଜଣେ ଲୁଟେରା ଫେରାର ।