ପିପିଲି ଓ ଡେଲାଙ୍ଗରେ ଦୁଇଟି ବଡ ଜୀବନ ନେଲା କରୋନା: ପ୍ରଦୀପ ମହାରଥୀଙ୍କ ପରେ ଅଜିତ ମଙ୍ଗରାଜଙ୍କ ପରଲୋକ

ପିପିଲି: ପିପିଲି ଓ ଡେଲାଙ୍ଗରେ ଦୁଇଟି ବଡ ଜୀବନ ନେଇଛି ମହାମାରୀ କରୋନା। ପ୍ରଥମେ ବିଧାୟକ ପ୍ରଦୀପ ମହାରଥୀ ଓ ଗତକାଲି ଜିଲ୍ଲା କଂଗ୍ରେସ ସଭାପତି ଅଜିତ ମଙ୍ଗରାଜଙ୍କ ମୁତ୍ୟୁ ହୋଇଛି। ଲାଗାତାର ଦୁଇ ଦୁଇଟି ଦୁଃଖଦ ଘଟଣା ସମଗ୍ର ପୁରୀ ଜିଲ୍ଲାରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି। ମହାରଥୀଙ୍କ ବିୟୋଗ ପରେ ଖାଲିପଡିଥିବା ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀ ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ଅଜିତ ମଙ୍ଗରାଜ। ପ୍ରଚାର ସମୟରେ ସେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ।

ନିର୍ବାଚନର ମାତ୍ର ୩ ଦିନ ପୂର୍ବରୁ ତାଙ୍କର ପରଲୋକ ହୋଇଛି। ଗତବର୍ଷ ଅକ୍‌ଟୋବର ୩ ତାରିଖରେ ଟାଣୁଆ ନେତା ପ୍ରଦୀପ ମହାରଥୀଙ୍କ ପରଲୋକ ହୋଇଥିଲା। ଦ୍ୱିତୀୟ ଥର ପାଇଁ ବିଧାନସଭା ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ ଅଜିତ ମଙ୍ଗରାଜ । ଏହା ପୂର୍ବରୁ ୨୦୧୯ ବିଧାନସଭା ନିର୍ବାଚନରେ ସେ ପିପିଲି ପାଇଁ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଥିଲେ ।

ପିପିଲି ଓ ଡେଲାଙ୍ଗ ବ୍ଳକରେ ଦଳର ସ୍ଥିତି ମଜବୁତ କରିବା ପାଇଁ ୨୦୧୪ରୁ ସେ ବିଭିନ୍ନ କାର୍ଯ୍ୟକ୍ରମ ଚଳାଇ ଆସୁଥିଲେ । ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲି ଉପନିର୍ବାଚନରେ ପୁଣି ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲା କଂଗ୍ରେସ। କରୋନାରେ ପୁରୀ ଜିଲ୍ଲାର ୨ଜଣ ଲୋକପ୍ରିୟ ରାଜନେତାଙ୍କ ବିୟୋଗ ସ୍ଥାନୀୟ ଅଧିବାସୀଙ୍କୁ ବ୍ୟଥିତ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.