Below header

କଟକ ସଦର ବ୍ଲକ୍ ଯଶପଡ଼ା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀଙ୍କ ମୃତ୍ୟୁ, ମତଦାନ ସ୍ଥଗିତ

କଟକ(କେନ୍ଯୁଜ୍): କଟକ ସଦର ବ୍ଲକ ଯଶପଡ଼ା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ। ସରପଞ୍ଚ ପ୍ରାର୍ଥୀନୀ ନମିତା ବେହେରାଙ୍କ ମୃତ୍ୟୁ। ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା। ଯଶପଡ଼ା ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ମତଦାନ ସ୍ଥଗିତ ରହିଛି। ଅନ୍ୟ ପଦ ପାଇଁ ମତଦାନ ଜାରି ରହିଛି।

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ତାଙ୍କର ଆକସ୍ମିକ ବିୟୋଗ ଘଟିଛି। ଯାହା ଜଣାପଡିଛି ଗତକାଲି ବିଳମ୍ବିତ ରାତି ପାଖାପାଖି ସାଢ଼େ ୧୦ଟାରେ ସେ ତାଙ୍କ  ସମର୍ଥକଙ୍କ ସହ ଆଲୋଚନା କରିଥିଲେ। ଏହାପରେ ସେ ଶୋଇବାକୁ ଯାଇଥିଲେ। ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ତାଙ୍କ ସ୍ବାମୀ ସରୋଜ ବେହେରା ଘରକୁ ଫେରି ନମିତାଙ୍କ ଶୋଇବା ଘର କବାଟ ବାଡେଇଥିଲେ। ହେଲେ ସେ ଶୁଣି ନଥିଲେ। ବାରମ୍ବାର ଡାକିବା ପରେ ବି ନମିତା ନ ଶୁଣିବାରୁ ତାଙ୍କ ସ୍ବାମୀ କବାଟକୁ ଧକ୍କା ମାରି କବାଟ ଖୋଲିଥିଲେ।

ନମିତା ଅଚେତ ଅବସ୍ଥାରେ ଖଟରେ ଶୋଇଥିବାବେଳେ ତାଙ୍କ ପାଟିରୁ ଅଳ୍ପ ଫେଣ ବାହାରୁଥିଲା। ଯେତେ ଚେଷ୍ଟା ପରେ ମଧ୍ୟ ସେ  ଉଠିନଥିଲେ। ୧୦୮ ଆମ୍ବୁଲାନ୍ସ ଡକାଯାଇ ତାଙ୍କୁ କଟକ ବଡ଼ ଡାକ୍ତରଖାନା ନିଆଯାଇଥିଲା।ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ଯଶପଡ଼ା ପଞ୍ଚାୟତ ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ନିଜସ୍ୱ ୧୩ନମ୍ବର ୱାର୍ଡ ବାସୀ ଭୋଟ ନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଯାହା ଫଳରେ ଏହି ବୁଥକୁ ଭୋଟ ଦେବାକୁ କେହି ଆସି ନାହାନ୍ତି। ପ୍ରଥମ ୧ଘଣ୍ଟାରେ ଏହି ବୁଥରେ କୌଣସି ଭୋଟ ପଡିନଥିଲା। ଏପରିକି ଏଜେଣ୍ଟ ମଧ୍ୟ ଆସିନଥିଲେ।

ଖବରପାଇ ସଦର ବିଡ଼ିଓ ତଥା ନିର୍ବାଚନ ଅଧିକାରୀ ରାଜୀବ ଲୋଚନ ପରିଡ଼ା ବୁଥରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ। ଏହାପରେ ୮ଟା ୧୫ ରେ ମତଦାନ ଆରମ୍ଭ ହୋଇଥିଲା। ତେବେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ଏହି ପଞ୍ଚାୟତରେ ସରପଞ୍ଚ ଭୋଟକୁ ବାତିଲ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.