ଖରାଦିନେ ବାତ୍ୟା, ଓଡ଼ିଶାର ୪୩ ବର୍ଷ ଇତିହାସରେ ପ୍ରଥମ ଘଟଣା

ଗ୍ରୀଷ୍ମ ଋତୁରେ ବାତ୍ୟା। ଓଡ଼ିଶାର ୪୩ ବର୍ଷ ଇତିହାସରେ ପ୍ରଥମ ଘଟଣା। ବିରଳରୁ ବିରଳତମ ଗ୍ରୀଷ୍ମକାଳୀନ ବାତ୍ୟା ଫନି। ୧୫୦ ବର୍ଷ ଭିତରେ ପ୍ରଳୟଙ୍କରୀ ବାତ୍ୟା ଓଡ଼ିଶା ଛୁଇଁବାରେ ତୃତୀୟ। କେହି କେବେ ଦେଖି ନଥିଲେ ଏପ୍ରିଲ ଓ ମେ ମାସରେ ଭୟଙ୍କର ବାତ୍ୟାର ଏଭଳି ପ୍ରକୋପ। ପ୍ରତିବର୍ଷ ଏହି ସମୟରେ ଚାଲିଥାଏ ସୂର୍ଯ୍ୟ ଦେବଙ୍କ ରାଜ୍‌ । ଏବର୍ଷ କିନ୍ତୁ ବଦଳିଗଲା ପାଣିପାଗର ମିଜାଜ୍‌ । ବଙ୍ଗୋପସାଗରରେ ଦାନା ବାନ୍ଧିଥିଲା ବାତ୍ୟା ଫନି । ଏତେ ଶକ୍ତିଶାଳୀ ଓ ପରାକ୍ରମୀ ଥିଲା ଯେ ଉପକୂଳ ଓଡ଼ିଶାକୁ ଛାରଖାର କରିଦେଲା। ଗ୍ରୀଷ୍ଣଋତୁରେ ବାତ୍ୟାକୁ ନେଇ ଏବେ ନାନା ଚର୍ଚ୍ଚା। ଅନ୍ତର୍ଜାତୀୟ ସ୍ତରରେ ବି ଆଲୋଚନା ହେଉଛି। ପାଣିପାଗ ବିଜ୍ଞାନୀଙ୍କ କହିବା କଥା, ହଠାତ୍‌ ଜଳବାୟୁରେ ପରିବର୍ତ୍ତନ ଏକ ପ୍ରମୁଖ କାରଣ। ପ୍ରତିବର୍ଷ ପ୍ରାକ୍‌ ମୌସୁମୀ ଜନିତ ବାତ୍ୟା ସୃଷ୍ଟି ହୋଇଥାଏ। କିନ୍ତୁ ସେଗୁଡ଼ିକ ସେତେ ପ୍ରଭାବୀ ହୋଇ ନଥାନ୍ତି। କିନ୍ତୁ ଫନି ଭଳି ଅତି ଭୟଙ୍କର ବାତ୍ୟା ସୃଷ୍ଟି ହେବା ଗ୍ରୀଷ୍ମ ଋତୁରେ ବିରଳ। ପରିବେଶ ପରିସ୍ଥିତି ସହ ସାମୁଦ୍ରିକ ତାପମାତ୍ରା ୩୦ରୁ ୩୧ ଡିଗ୍ରୀ ସେଲସିୟସ୍‌ ଭିତରେ ରହିଲେ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ଏକ୍ସଟ୍ରିମ୍‌ଲି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେଇଥାଏ। କାରଣ ଗୋଟିଏ ସ୍ଥାନର ପରିବେଶ ନିର୍ଭର କରିଥାଏ ସେହି ଅଞ୍ଚଳର ଜଳବାୟୁ ଉପରେ। ଜଙ୍ଗଲ ଅବକ୍ଷୟ ବି ଆଉ ଗୋଟିଏ ପ୍ରମୁଖ କାରଣ। ଯେଉଁ ହାରରେ ଗଛ କଟାଯାଉଛି, ସେହି ପରିମାଣରେ ବୃକ୍ଷରୋପଣ ହେଉନାହିଁ। ଯାହା ଫଳରେ ତାତି ବଢୁଛି।

ଜଳବାୟୁ ପରିବର୍ତ୍ତନର ଏହା ଏକ ସଦ୍ୟ ଉଦାହରଣ ବାତ୍ୟା ଫନି। ଏହାର ପ୍ରଭାବରେ ଏବେ ରାଜ୍ୟରେ ତାତି ବଢ଼ିବ। ପଶ୍ଚିମ ଭାରତରୁ ଗରମ ପବନ ବହୁଛି। ଆସନ୍ତା ୧୧ ତାରିଖ ପରେ ଆହୁରି ତାତି ବଢ଼ିପାରେ। ପ୍ରାକ୍‌ ମୌସୁମୀ ପର୍ଯ୍ୟନ୍ତ ଏମିତି ଝାଞ୍ଜି ପବନ ବହି ପାରେ।

କୁହାଯାଉଛି ୧୫୦ ବର୍ଷ ଭିତରେ ଫନି ଭଳି ବାତ୍ୟା ତୃତୀୟ। ସେହିପରି ପାଣିପାଗ ବିଭାଗ ରିପୋର୍ଟ ଅନୁସାରେ, ୧୨୬ ବର୍ଷ ଭିତରେ ଏପ୍ରିଲ ମାସରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ମାତ୍ର ୧୪ଟି ସିଭିୟର୍‌ ଟ୍ରପିକାଲ୍‌ ସାଇକ୍ଲୋନ୍‌। ଏହା ଭିତରୁ କେବଳ ୨୦୦୮ରେ ସିଭିୟର ସାଇକ୍ଲୋନ୍‌ ନର୍ଗିସ ଭାରତରେ ଲ୍ୟାଣ୍ଡଫଲ୍‌ କରିଥିଲା। କିନ୍ତୁ ଫନି ୧୯୯୯ ମହାବାତ୍ୟାର ସ୍ମୃତିକୁ ତାଜା କରିଦେଲା। ସୁପର ସାଇକ୍ଲୋନଠାରୁ କୌଣସି ଗୁଣରେ କମ୍‌ ନଥିଲା ଫନିର ପ୍ରକୋପ ଓ ପ୍ରାଦୁର୍ଭାବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.