ଓଡ଼ିଶାରେ ଶିଳ୍ପାୟନ ପ୍ରତି ସାଇରସଙ୍କ ଥିଲା ଗୁରୁତ୍ୱପୂର୍ଣ୍ଣ ଅବଦାନ, ବିୟୋଗରେ ନବୀନଙ୍କ ଶୋକ

କେନ୍ୟୁଜ୍(ବ୍ୟୁରୋ): ସାଇରସଙ୍କ ମୃତ୍ୟୁ ଶିଳ୍ପ ଜଗତକୁ ବଡ଼ ଧକ୍କା। ସାଇରସଙ୍କ ସମ୍ପର୍କ ଓଡ଼ିଶା ସହ ରହିଥିଲା। ଓଡ଼ିଶାର ଶିଳ୍ପାୟନରେ ତାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଅବଦାନ। ସାଇରସ ଟାଟା ଗ୍ରୁପ ଅଧ୍ୟକ୍ଷ ଥିବା ସମୟରେ ୨୦୧୫ରେ କଳିଙ୍ଗନଗରରେ ବାର୍ଷିକ ୬ ନିୟୁତ ଟନ୍‌ ଉତ୍ପାଦନ କ୍ଷମ ଗ୍ରୀନ୍‌ ଫିଲ୍‌ଡ ଷ୍ଟିଲ ପ୍ଲାଣ୍ଟର ଉଦ୍‌ଘାଟନ ହୋଇଥିଲା। ଟାଟା ଗ୍ରୁପ ଅଧ୍ୟକ୍ଷ ଥିବା ସମୟରେ ଅନେକ ଥର ସେ ଭୁବନେଶ୍ୱର, କଳିଙ୍ଗନଗର ଓ ଗୋପାଳପୁର ଆସିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ସହ ସାକ୍ଷାତ କରିଛନ୍ତି।

ଟାଟା ସନ୍‌ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତି କରିଛନ୍ତି। ମହାରାଷ୍ଟ୍ରର ପାଲଘର ଠାରେ ସଡ଼କ ଦୁର୍ଘଟଣାରେ ପରଲୋକ ନେଇ ଦୁଃଖ ପ୍ରକାଶ କରିଛନ୍ତି ନବୀନ। ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ସାଇରସଙ୍କ ଅକାଳ ବିୟୋଗରେ ଟାଟା ସନ୍‌ସର ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଯୁବାବସ୍ଥାରେ ତାଙ୍କ ନିଧନ ସ୍ତବ୍‌ଧ କରିଛି। ସାଇରସଙ୍କ ପରିବାରକୁ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ସାଇରସଙ୍କ ନିଧନ ତାଙ୍କୁ ହତବାକ କରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ବିୟୋଗ ବିଶ୍ୱ ବାଣିଜ୍ୟ ଓ ଶିଳ୍ପ ଜଗତ ପ୍ରତି ଏକ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ ମଧ୍ୟ ଗଭୀର ଶୋକ ଜଣାଇଛନ୍ତି।

ସଡ଼କ ଦୁର୍ଘଟଣାରେ ଶିଳ୍ପପତି ତଥା ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ସାଇରସ୍‌ ମିସ୍ତ୍ରୀଙ୍କ ଦେହାନ୍ତ ହୋଇଛି। ଅହମ୍ମଦାବାଦ୍‌ରୁ ମୁମ୍ବାଇ ଫେରୁଥିବା ବେଳେ ତାଙ୍କ ମର୍ସିଡିଜ୍‌ କାର ପାଲଘର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୂର୍ଯ୍ୟା ନଦୀ ଉପରେ ଡିଭାଇଡରରେ କାର ପିଟି ହୋଇଥିଲା। ଘଟଣାସ୍ଥଳରେ ସାଇରସଙ୍କ ସହ ଆଉ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇଜଣଙ୍କୁ ଭାପିର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ୍ୟୁ ବେଳକୁ ସାଇରସଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ସାଇରସଙ୍କ ସହ ମୁମ୍ବାଇର ଖ୍ୟାତନାମା ଗାଇନୋକୋଲୋଜିଷ୍ଟ ଡାକ୍ତର ଅନାହିତା ପାଣ୍ଡୋଲେ, ତାଙ୍କ ସ୍ୱାମୀ ଡାରିଅସ ପାଣ୍ଡୋଲେ ଓ ଡାରିଅସଙ୍କ ଭାଇ ଜେହାଙ୍ଗିର ମୁମ୍ବାଇ ଫେରୁଥିଲେ। ଡ୍ରାଇଭର ନିୟନ୍ତ୍ରଣ ହରାଇବା ପରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅନୁମାନ କରୁଛି ପୋଲିସ। ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ଶିଳ୍ପପତି ପଲୋନଜୀ ମିସ୍ତ୍ରୀଙ୍କ ସାନ ପୁଅ ସାଇରସ ୧୯୬୮ରେ ଜନ୍ମ ଗ୍ରହଣ କରିଥିଲେ। ଲଣ୍ଡନ ସ୍କୁଲ ଅଫ ବିଜନେସରେ ଶିକ୍ଷାଗ୍ରହଣ କରିଥିଲେ। ୧୯୯୧ରୁ ସାପୁରଜୀ ପାଲୋନଜୀ ଆଣ୍ଡ କମ୍ପାନୀରେ କାମ ଆରମ୍ଭ କରିଥିଲେ ସାଇରସ। ୧୯୯୪ରେ ସାପୁରଜୀ ପାଲୋନଜୀ ଗ୍ରୁପରେ ନିର୍ଦ୍ଦେଶକ ହୋଇଥିଲେ। ୨୦୦୬ରେ ଟାଟା ଗ୍ରୁପ୍‌ର ବୋର୍ଡରେ ସାମିଲ ହୋଇଥିଲେ ସାଇରସ। ୨୦୧୨ରେ ରତନ ଟାଟାଙ୍କ ଅବସର ପରେ ଟାଟା ଗ୍ରୁପ ଅଧ୍ୟକ୍ଷ ହୋଇଥିଲେ ସାଇରସ ମିସ୍ତ୍ରୀ। ୨୦୧୬ ଯାଏ ସେ ଟାଟା ଗ୍ରୁପର ଅଧ୍ୟକ୍ଷ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.