Below header

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପୁଣି ଦାନା ବାନ୍ଧୁଛି ରାଜନୀତି

ବଲାଙ୍ଗିର : ପୁଣି ଥରେ ଜୋର ଧରିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି । ଏନେଇ ସୋମବାର ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ ପଶ୍ଚିମ ଓଡ଼ିଶା ଓକିଲ ସଂଘର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି । ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ସଂଘ ଆଲୋଚନା କରିବ ।

ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର କଡ଼ା ସମାଲୋଚନା କରିଛନ୍ତି । କହିଛନ୍ତି, ଏନେଇ ୟୁପିଏ ସରକାର ଅମଳରେ ପଦକ୍ଷେପ ନିଆଯାଇଥିଲା । ପରବର୍ତ୍ତୀ ସମୟରେ ମୋଦି ସରକାର କିମ୍ବା ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି । ରାଜ୍ୟ ସରକାର ଯେଉଁ ପଦ୍ଧତିରେ ପଦକ୍ଷେପ ନେବା କଥା, ସେପରି କରିନାହାନ୍ତି । ସେହିପରି ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ ଏହି ପ୍ରସଙ୍ଗରେ ମଧ୍ୟ ରାଜ୍ୟ ସରକାରଙ୍କୁ ନିନ୍ଦା କରିଛନ୍ତି । କହିଛନ୍ତି, ରାଜ୍ୟ ସରକାର ଓକିଲଙ୍କ ସହିତ ଆଲୋଚନା କରି ପ୍ରଥମେ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦିଅନ୍ତୁ । ହାଇକୋର୍ଟ ମଧ୍ୟ ଦୀର୍ଘ ସମୟ ଧରି ଫାଇଲ ପକାଇ ରଖିବା ଶୁଭଙ୍କର ନୁହେଁ। ସେପଟେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଦୃଢ଼ ପ୍ରତିଶ୍ରୁତିବଦ୍ଧ । ଯଦି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପ୍ରସ୍ତାବରେ କୌଣସି ବ୍ୟତିକ୍ରମ ଥିଲା, ତେବେ କେନ୍ଦ୍ର ତତ୍‌କ୍ଷଣାତ ଜଣାଇଲା ନାହିଁ କାହିଁକି ? ଏନେଇ କେନ୍ଦ୍ର ଟାଳଟୁଳ ନୀତି ଅବଳମ୍ବନ ବନ୍ଦ କରୁ ।

କିଛି ଦିନ ତଳେ ରାଜ୍ୟସଭାରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରସଙ୍ଗ ଉଠାଇଥିଲେ । ଏହାର ଉତ୍ତରରେ କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ ପି.ପି ଚୌଧୁରୀ କହିଥିଲେ, ରାଜ୍ୟ ସରକାରଙ୍କ ଆବେଦନ ପ୍ରକ୍ରିୟା ପୂର୍ଣ୍ଣାଙ୍ଗ ନଥିଲା । ଏହାପରେ ରାଜନୀତି ତେଜିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.