Below header

କେବେ ବଦଳିବ ବରମୁଣ୍ଡା ବସଷ୍ଟାଣ୍ଡର ଭାଗ୍ୟ ? ଉନ୍ନତୀକରଣ ନାଁରେ ଗଡ଼ି ଚାଲିଛି ସମୟ

ଭୁବନେଶ୍ୱର : ରାଜ୍ୟର ଭାଗ୍ୟ ବଦଳୁଛି। ଅଭିବୃଦ୍ଧି ବି ଉପରମୁହାଁ। ପରିବର୍ତ୍ତନ ସୁଅରେ କିନ୍ତୁ ରାଜ୍ୟର ସବୁଠୁ ବଡ଼ ଓ ପ୍ରମୁଖ ବସଷ୍ଟାଣ୍ଡ ବରମୁଣ୍ଡାର ଭାଗ୍ୟ ବଦଳି ପାରୁନି। ବରମୁଣ୍ଡା ବସଷ୍ଟାଣ୍ଡର ହେବ ନବକଳେବର। ଯାତ୍ରୀଙ୍କୁ ମିଳିବ ହାଇଫାଇ ସୁବିଧା ସୁଯୋଗ। ଏହି ସୁନେଲୀ ସ୍ୱପ୍ନ ଏବେ ସ୍ୱପ୍ନ ଭିତରେ ସୀମିତ। ବର୍ଷ ପରେ ବର୍ଷ ବିତୁଛି। କିନ୍ତୁ କେହି ବଦଳାଇ ପାରୁ ନାହାନ୍ତି ଅବହେଳିତ ବରମୁଣ୍ଡାର ଭାଗ୍ୟ। ପ୍ରାୟ ୧୫ ଏକର ଜମିରେ ଠିଆ ହୋଇଥିବା ଏହି ବସଷ୍ଟାଣ୍ଡର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ କେତେ କଣ ଯୋଜନା ହୋଇଛି। କିନ୍ତୁ ବାସ୍ତବ ସ୍ଥିତି ଯେଉଁଠି ସେଇଠି। ଲାଗୁଛି ଉଭେଇ ଯାଇଛି ବରମୁଣ୍ଡା ପାଇଁ ବ୍ଲୁପ୍ରିଣ୍ଟ। ୨୦୧୧ ମସିହାରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ, ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ହେବ।

ପିପିପି ମୋଡ଼ରେ ମଲଟି ଷ୍ଟୋରେଜ ବସ ଟର୍ମିନାଲ କରାଯିବ। ନିର୍ମାଣ ଦାୟିତ୍ୱ ଦିଆଯାଇଥିଲା ଏଆରଏସଏସ କମ୍ପାନୀକୁ। କାମ ଆଗେଇବା ଆଗରୁ ୨୦୧୨ ମସିହାରେ ଏଆର୍‌ଏସ୍‌ଏସ୍‌ ସହ ଚୁକ୍ତି ବାତିଲ ହୋଇଥିଲା। ଏହାପରେ ବରମୁଣ୍ଡାର ଉନ୍ନତିକରରଣ ପାଇଁ ଅଣ୍ଟା ଭିଡ଼ିଥିଲା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ବା ବିଡିଏ। ଇଣ୍ଟର ଷ୍ଟେଟ୍‌ ବସ୍‌ ଟର୍ମିନାଲ୍‌ ନିର୍ମାଣ ପାଇଁ ପ୍ରସ୍ତୁତ ହୋଇଥିଲା ଡିଜାଇନ୍‌। ବ୍ୟୟ ଅଟ୍ଟକଳ ଥିଲା ୧୮୦ କୋଟି ଟଙ୍କା। ୫ ମହଲା ବିଶିଷ୍ଟ ଟର୍ମିନାଲରେ ବ୍ୟବସାୟିକ ପ୍ରତିଷ୍ଠାନ ଓ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିବା ଭଳି ବ୍ୟବସ୍ଥା ହେବ। ୪୦ ପ୍ରତିଶତ ଅର୍ଥ ରାଜ୍ୟ ସରକାର ବହନ କରିବାକୁ ଥିବା ବେଳେ ୪୦ ପ୍ରତିଶତ ଅର୍ଥ ସହରାଞ୍ଚଳ ଭିତ୍ତିଭୂମି ଉନ୍ନୟନ ପାଣ୍ଠିରୁ ଋଣ ଆକାରରେ ଆସିବ। ବଳକା ୨୦ ପ୍ରତିଶତ ଟଙ୍କା ଦେବ ବିଡିଏ। ଜୁନ୍‌ ୨୦୧୮ରେ ବସଷ୍ଟାଣ୍ଡର ନିର୍ମାଣ ଓ ପ୍ରଥମ ପର୍ଯ୍ୟାୟ କାମ ୨୦୧୯ ଜୁନ୍‌ ସୁଦ୍ଧା ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ବିଡମ୍ବନା, ନିଷ୍ପତ୍ତି କେବଳ ଫାଇଲ୍‌ ଭିତରେ ବନ୍ଧା ପଡ଼ିଛି।

ବ୍ୟସ୍ତବହୁଳ ବରମୁଣ୍ଡା ବସଷ୍ଟାଣ୍ଡକୁ ପ୍ରତିଦିନ ଯାଆସ କରୁଛନ୍ତି ୮ଶହରୁ ଅଧିକ ବସ୍‌। ଏହା ଉପରେ ୬୦ରୁ ୭୦ ହଜାର ଯାତ୍ରୀ ନିର୍ଭରଶୀଳ। କିନ୍ତୁ ଯାତ୍ରୀଙ୍କ ପାଇଁ ଏଠାରେ ନାହିଁ ସର୍ବନିମ୍ନ ମୌଳିକ ସୁବିଧା। ନାଁ ଅଛି ଶୌଚାଳୟ, ନା ଭଲ ପାଦଚଲା ରାସ୍ତା। ଯୁଆଡ଼େ ଦେଖିଲେ ଖାଲଖମା। ଗଦା ହୋଇଛି କୁଢ଼ କୁଢ଼ ଆବର୍ଜନା। ଦୁର୍ଗନ୍ଧରେ ନାକ ଫାଟି ଯାଉଛି। ଅସ୍ୱାସ୍ଥ୍ୟକର ପରିବେଶ। ଏତେ ବଡ଼ ବସଷ୍ଟାଣ୍ଡରେ ହାତ ଗଣତି କେତୋଟି ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ବିକଳ୍ପ ନଥିବାରୁ ବାଧ୍ୟ ହୋଇ ଯାତ୍ରୀ ବସଷ୍ଟାଣ୍ଟରେ ଅପେକ୍ଷା କରୁଛନ୍ତି।

ନାହିଁ ନାହିଁରେ ଝୁଲିଛି ବରମୁଣ୍ଡା ବସଷ୍ଟାଣ୍ଡର ଭାଗ୍ୟ। ଏହାରି ଭିତରେ ରାଜ୍ୟରେ ନୂଆ ସରକାର ଓ ନୂଆ ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ପରିବହନ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଆଗରେ ବରମୁଣ୍ଡାକୁ ସଜାଡ଼ିବା ଏବେ ପ୍ରମୁଖ ଚ୍ୟାଲେଞ୍ଜ ହେବ। ସମସ୍ୟା ଓ ସୁବିଧା ଅସୁବିଧାର ଅନୁଧ୍ୟାନ କରିବେ ବୋଲି ମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସୀ, ଟିମ୍‌ ୱାର୍କ ସହ ଟାଇମ୍‌ ଉପରେ ଗୁରୁତ୍ୱାରୋପ କରିଛନ୍ତି। ପ୍ରତିମାସରେ ବିଭାଗୀୟ କାର୍ଯ୍ୟର ରିପୋର୍ଟ ଦେବାକୁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ବି ଦେଇଛନ୍ତି। ସମୟ ଭିତରେ କାମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏମିତି ପରିସ୍ଥିତିରେ ବରମୁଣ୍ଡା ବସଷ୍ଟାଣ୍ଡ ଉନ୍ନତୀକରଣ ବାଣିଜ୍ୟ ଓ ପରିବହନ ବିଭାଗ ପାଇଁ ଏକ ଫିଟ୍‌ କେସ୍‌ ଏଥିରେ ଆଦୌ ସନ୍ଦେହ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.