ବାଇକରେ ଆସିଲେ ଅଚେତ ହେବାର ବାହାନା କରି ଝାମ୍ପି ନେଲେ ୧୦ କେଜିର ରୁପା ଭର୍ତ୍ତି ବ୍ୟାଗ୍ 

ରୁପା ବ୍ୟବସାୟୀଙ୍କ ଠାରୁ ରୁପା ଭର୍ତ୍ତି ବ୍ୟାଗ ଝାମ୍ପି ନେଲେ ଦୁର୍ବୁତ୍ତ । ବାଲିଗୁଡା ସହରର ପାଟଖଣ୍ଡା ସାହିରୁ ଆସିଛି ଏଭଳି ଏକ ଲୁଟ୍ ଅଭିଯୋଗ ।

ବାଲିଗୁଡା(କେନ୍ୟୁଜ): ରୁପା ବ୍ୟବସାୟୀଙ୍କ ଠାରୁ ରୁପା ଭର୍ତ୍ତି ବ୍ୟାଗ ଝାମ୍ପି ନେଲେ ଦୁର୍ବୁତ୍ତ । ବାଲିଗୁଡା ସହରର ପାଟଖଣ୍ଡା ସାହିରୁ ଆସିଛି ଏଭଳି ଏକ ଲୁଟ୍ ଅଭିଯୋଗ । ଦୁଇଟି ବାଇକରେ ୪ଜଣ ଦୁର୍ବୁତ୍ତ ଆସି ବ୍ୟବସାୟୀଙ୍କ ଠାରୁ ରୁପା ଭର୍ତ୍ତି ଥିବା ଏକ ବ୍ୟାଗ୍ ଝାମ୍ପି ନେଇଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ ହୋଇଛି । ଲୁଟର ଶୀକାର ହୋଇଥିବା ରୁପା ବ୍ୟବସାୟୀ ହେଲେ ବାଲିଗୁଡା ପାଟଖଣ୍ଡା ସାହିର ସନ୍ୟାସୀ ନାୟକ ।

ସନ୍ୟାସୀ ଦୀର୍ଘ ବର୍ଷ ହେବ ସାଇକେଲରେ ଘର ଘର ବୁଲି ରୁପା ବ୍ୟବସାୟ କରିଆସୁଥିଲେ । ସବୁଦିନ ପରି ବ୍ୟବସାୟ ସାରି ପାଟଖଣ୍ଡା ସାହି ସ୍ଥିତ ନିଜ ଘରକୁ ଫେରିବା ସମୟରେ  ଦୁର୍ବୁତ୍ତଙ୍କ ଲୁଟର ଶୀକାର ହୋଇଥିବା ଜଣାପଡିଛି ।  ସୂଚନା ଅନୁଯାୟୀ ଦୁଇଟି ବାଇକରେ ଚାରି ଜଣ ଯୁବକ ତାଙ୍କୁ ପିଛା କରିଥିଲେ ।

ସମୟ ସୁଯୋଗ ଦେଖି ସନ୍ୟାସୀଙ୍କ ସାଇକେଲ ଆଗରେ ବାଇକରେ ବସିଥିବା ଜଣେ ଦୁର୍ବୁତ୍ତ ତଳେ ପଡି ଯାଇଥିଲା । ଅଚେତ ହେବା ବାହାନା କରିଥିଲା । ଏହି ସମୟରେ ଅନ୍ୟ ଜଣେ ଦୁର୍ବୁତ୍ତ ସନ୍ୟାସୀଙ୍କୁ  ସାହାଯ୍ୟ ମାଗିଥିଲା । ସନ୍ୟାସୀ ସାହାଯ୍ୟ କରିବାକୁ ଯାଇ ସାଇକେଲ ରଖି ଦୁର୍ବୁର୍ତ୍ତ ଙ୍କ ପାଖକୁ ଯିବାବେଳେ ଅନ୍ୟ ଏକ ବାଇକରେ ପୂର୍ବ ଯୋଜନା ମୁତାବକ ଛକି ବସିଥିବା ଦୁର୍ବୁତ୍ତ ମାନେ ଆସି ରୁପା ବ୍ୟାଗଟିକୁ ସାଇକେଲରୁ ଝାମ୍ପି ନେଇଥିଲେ ।

ତେବେ ବ୍ୟାଗରେ ପ୍ରାୟ ୮ ରୁ ୧୦ କେଜି ରୁପା ଥିବା ନେଇ ବ୍ୟବସାୟୀ ସନ୍ୟାସୀ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ବାଲିଗୁଡା ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଥିବା ବେଳେ ସିସିଟିଭି ଆଧାରରେ ମଧ୍ୟ ଘଟଣାର ଛାନଭିନ ଚଳାଇଛି ।

ମାତିଛନ୍ତି ଲୁଟେରା । ନୂଆ ତରିକାରେ କରୁଛନ୍ତି ଲୁଟ୍ । ତେବେ ବର୍ତ୍ତମାନ ଏହି ଅପରାଧୀ ଓ ଅପରାଧ ଏତେ ବଢିଲାଣି ଯେ ଏଥିରେ ଲଗାମ ଲଗାଇବା ପାଇଁ ପୋଲିସ୍ ପ୍ରଶାସନ ଆହୁରୀ କଠୋର ନୀତି ଅବଲମ୍ବନ କରିବା ନିହାତୀ ଜରୁରୀ ।

 

 

Leave A Reply

Your email address will not be published.