ଯାଜପୁର: ଆସନ୍ତାକାଲିଠାରୁ ହେବ ଜିଲ୍ଲାସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ମେଳା, ୯୦ଟି ଷ୍ଟଲରେ ଶୋଭା ପାଇବ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ

ଯାଜପୁର (କେନ୍ୟୁଜ): ଆସନ୍ତାକାଲି ଠାରୁ ଯାଜପୁର ଜିଲ୍ଲା କୁଆଖିଆ ଅଭିମନ୍ୟୁ ସାମନ୍ତସିଂହାର ଭବନ ପରିସରରେ ଆରମ୍ଭ ହେବାକୁ ଯାଉଛି ଜିଲ୍ଲାସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ । ରାଜ୍ୟ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ପ୍ରଥମଥର ପାଇଁ ଜିଲ୍ଲାରେ କଳିଙ୍ଗନଗର ଓ ଜଗତପୁର ଆଂଚଳିକ ଶିଳ୍ପ କେନ୍ଦ୍ର ଏହି ଆୟୋଜନ କରିଛି । ଏଥିରେ ଜିଲ୍ଲା ଓ ଜିଲ୍ଲା ବାହାରର ହସ୍ତଶିଳ୍ପ କାରିଗର ସେମାନଙ୍କର ସ୍ୱହସ୍ତ ତିଆରି ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରୟ କରିବାର ସୁଯୋଗ ପାଇବେ । ଏନେଇ ମୋଟ ୯୦ଗୋଟି ଷ୍ଟଲରେ ସାମଗ୍ରୀ ପ୍ରଦର୍ଶିତ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିରେ ମୁଖ୍ୟତଃ ପଟଚିତ୍ର, ପଥର ଖୋଦେଇ, କାଷ୍ଠ ଖୋଦେଇ, କାଇଁଚ କାମ, ଟେରାକୋଟା, ଜରିମାଳି କାମ, ଚାନ୍ଦୁଆ କାମ, ଡୋକ୍ରା କାଷ୍ଟିଙ୍ଗ, ବାନ୍ଧ କାମ, ବାଉଁଶ କାମ, ଝୋଟ କାମ ଆଦି ହସ୍ତଶିଳ୍ପ ଜିନିଷ ସ୍ଥାନ ପାଇବ । ୭ଦିନ ବ୍ୟାପୀ ଏହି ପ୍ରଦର୍ଶନୀରେ ପ୍ରାୟ ୨ଶହ ଜଣ ହସ୍ତଶିଳ୍ପ କାରିଗର ଭାଗ ନେବେ । ପ୍ରତ୍ୟହ ସଂଧ୍ୟାରେ ପାରମ୍ପରିକ ଓଡିଶୀ ନୃତ୍ୟ, ବଂଶୀ ବାଦନ, ଜିଲ୍ଲାର କାରିଗରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ । ହସ୍ତଶିଳ୍ପର ପ୍ରଚାର ପ୍ରସାର ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁଆଖିଆଠାରେ ଆଜି ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଆଇସି ମନୋଜ କୁମାର ବେହେର ସୂଚନା ଦେଇଛନ୍ତି । ଏହି ସମ୍ମିଳନୀରେ ରସୁଲପୁର ବିଡିଓ ଉମାକାନ୍ତ ପରିଡା, ଆନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ପ୍ରସ୍ତରଶିଳ୍ପୀ ମହେଶ୍ୱର ଓଝା ପ୍ରମୁଖ ଯୋଗଦେଇଥିଲେ ।

 

 

Leave A Reply

Your email address will not be published.