Below header

କେନ୍ଦୁଝର: ଜିଲ୍ଲାରେ ପୁଷ୍ଟିହୀନତା ଦୂର କରିବା ପାଇଁ ଡ଼ିଏମଏଫ ନିଆର ପଦକ୍ଷେପ, ୨୦୧୮ ମସିହାର କାର୍ଯ୍ୟ କରୁଛି “ମମତା ଘର” ଯୋଜନା,୨ ବର୍ଷରେ ଉପକୃତ ହୋଇଛନ୍ତି  ୨୧୮୨  ଜଣ ଶିଶୁ

କେନ୍ଦୁଝର(କେନ୍ୟୁଜ୍):  ରାଜ୍ୟରେ କେନ୍ଦୁଝର ଜିଲ୍ଲା ଏକ ଖଣି ଖାଦାନ ପ୍ରଭାବିତ ଜିଲ୍ଲା ଭାବରେ ପରିଚିତ। ଏହି ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳରେ ଲୋକମାନଙ୍କର ଜୀବନ ଜୀବିକାର ମାନରେ ଉନ୍ନତି ଆଣିବା ପାଇଁ ଡ଼ିଏମଏଫ ବା ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସଦା ସର୍ବାଦ କାର୍ଯ୍ୟ କରିଆସିଛି । ଏହି ଖଣି ଖାଦାନ ପ୍ରଭାବିତ ଅଞ୍ଚଳ ର ସାତ ମାସରୁ ତିନି ବର୍ଷ ବଯସର ଶିଶୁ ମାନଙ୍କର ସ୍ଵାସ୍ଥ ତଥା ପୁଷ୍ଟି ରେ ଉନ୍ନତି ଆଣିବା ପାଇଁ ୨୦୧୮ ମସିହା ରୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ମମତା ଘର ବ କ୍ରେସ ଯୋଜନା ଆରମ୍ଭ କରିଛି । କୁହାଯାଏ ଯେ ଏହି ଯୋଜନା ଜିଲ୍ଲା ଖଣିଜ ପ୍ରତିଷ୍ଠାନ ତରଫରୁ ଭାରତରେ ପ୍ରଥମ କରି ଆମ କେନ୍ଦୁଝର ଜିଲ୍ଲାରେ ମହିଳା ଓ ଶିଶୁ ବିକାଶ ବିଭାଗ ମାଧ୍ୟମରେ ପ୍ରଣୟନ କରାଯାଇଅଛି ।

ବର୍ତ୍ତମାନ ଏହି ମମତା ଘର ଯୋଜନା କୁ ଏକ ଜାତୀୟ ସ୍ତର ର ସ୍ଵେଚ୍ଛାସେବୀ ସଙ୍ଗଠନ “ଏକଜୁଟ “ ପରିଚାଳନା କରିଆସୁଅଛି । ୨୦୧୮ ମସିହା ମାର୍ଚ୍ଚ ସାତ ତାରିଖ ଦିନ ଓଡିଶା ର ପୂର୍ବତନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ବଦ୍ରିନାରାୟଣ ପାତ୍ରଙ୍କର କର କମଳରେ ଏହି ମମତା ଘର ଯୋଜନା ବାଂଶପାଳ ବ୍ଲକ ର ଲୁଣଘର ଗ୍ରାମ ଠାରେ ଶୁଭ ଉଦଘାଟିତ ହୋଇଥିଲା ।

ଗତ ଦୁଇବର୍ଷ ମଧ୍ୟରେ ବାଂଶପାଳ, ହରିଚନ୍ଦନପୁର ଓ ଯୋଡା ବ୍ଲକ ସହିତ ବଡବିଲ ମୁନିସିପାଲିଟି ରେ ମୋଟ ୬୦ ଗୋଟି ମମତା ଘର ହେବା ସହିତ ଏଥିରୁ ବର୍ତ୍ତମାନ ସୁଦ୍ଧା ୨୧୮୨  ଜଣ ଶିଶୁ ଉପକୃତ ହୋଇଛନ୍ତି ।

ପ୍ରତିଦିନ ସଖାଳ ଆଠ ତା ବେଳେ ମାଆ ମାନେ ତାଙ୍କ ଶିଶୁକୁ ଆଣି ମମତା ଘରେ ଛାଡି ନିଜନିଜର କର୍ମକ୍ଷେତ୍ର କୁ ଯାଇ ନିଶ୍ଚିନ୍ତ ରେ ନିଜ ନିଜ କାମ କରିବା ସହିତ କିଛି ରୋଜଗାର ମଧ୍ୟ କରିଥାନ୍ତି ।   ଦିନଯାକ ଆଠ ଘଣ୍ଟା ଏହି ଶିଶୁମାନଙ୍କର  ଯତ୍ନ ନେବା ପାଇଁ ଏକଜୁଟ ସ୍ଵେଚ୍ଛାସେବୀ ଅନୁଷ୍ଠାନ ତରଫରୁ ସେହି ଗ୍ରାମର ଦୁଇଜଣ ମହିଳାଙ୍କୁ ନିଯୁକ୍ତି କରି, ସ୍ଵତନ୍ତ୍ର ତାଲିମ ଦିଆଯାଇଛି । ଦୈନିକ ଆବଶ୍ୟକ ଖାଦ୍ୟର ପାଖାପାଖି ୭୦ ପ୍ରତିଶତ ଖାଦ୍ୟ ଶିଶୁଟି ଏହି ମମତା ଘରେ ଖାଇ ଥାଏ  । ମମତା ଘର ର ଦିଦିମାନେ ଶିଶୁମାନକୁ ସ୍ନେହ ଆଦର ପୂର୍ଣ୍ଣ ପରିବେଶରେ ରଖି ଠିକ ସମୟରେ ନିର୍ଧାରିତ ଖାଦ୍ୟ ଖୁଆଇବା ସହିତ ଶାରୀରିକ ମାନସିକ ଓ ଭାଷା ର ବିକାଶ ପାଇଁ ବିଭିନ୍ନ ପ୍ରକାର ନାଚ ଗୀତ , ଖେଳ କୁଦ ଆଦି କରିଥାନ୍ତି । ଏହି ମମତା ଘରେ ଶିଶୁ ମାନଙ୍କର ଖେଳିବା ପାଇଁ ବିଭିନ୍ନ ପ୍ରକାର ପ୍ଲାଷ୍ଟିକ ବିହିନ ହାତ ତିଆରି ଖେଳଣା ବ୍ୟବହାର କରାଯାଇଥାଏ ।

ପ୍ରତ୍ୟେକ ମାସ ଅଭିଭାବକଙ୍କ ବୈଠକ ରେ ଏହି ଖେଳଣା ପ୍ରସ୍ତୁତ କରା ଯାଇଥାଏ ।  ମମତା ଘର ର କାନ୍ଥ ଗୁଡିକ ବିଭିନ୍ନ ପ୍ରକାର ରଙ୍ଗରେ ଚିତ୍ରିତ କରାଯାଇଥାଏ , ଯାହାକୁ ଦେଖି ଶିଶୁମାନେ ଅତ୍ୟନ୍ତ ଖୁସି ହୋଇଥାନ୍ତି । ଆମେ ଜାଣୁ ଧୂଆଁ ଓ ଧୁଳି ଶିଶୁ ମାନଙ୍କର ପ୍ରଧାନ ଶତ୍ରୁ ତେଣୁ ମମତା ଘରେ ରୋଷେଇ କଲା ବେଳେ ସ୍ମୋକ ଲେସ ଚୁଲା ର ବ୍ୟବହାର କରାଯିବା ସହିତ ଶିଶୁ ମାନଙ୍କୁ ସଫା ସୁତୁରା ରଖାଯାଇଥାଏ । ଦିଦିମାନେ ରୋଷେଇ କରିବା ପୂର୍ବରୁ, ଶିଶୁଙ୍କୁ ଖୁଆଇବା ପୂର୍ବରୁ, ଶିଶୁମାନଙ୍କୁ ସଫା ସୁତୁରା କରିବା ପରେ, ଶିଶୁ ମାନେ ଖାଇବା ପୂର୍ବରୁ ସାବୁନ ରେ ହାତ ଧୋଇବା ପାଇଁ ସ୍ଵତନ୍ତ୍ର ଭାବେ ହେଣ୍ଡୱାସ ଷ୍ଟେସନ ତିଆରି କରାଯାଇଛି ।

ମମତା ଘରର କାନ୍ଥରେ ସମୟ ସାରଣୀ ଓ ସାପ୍ତାହିକ ଖାଦ୍ୟ ସୂଚୀ ଲଗା ଯାଇଛି । ଶିଶୁମାନେ ସପ୍ତାହରେ ୪ ଟି ଅଣ୍ଡା ଖାଉଥିବା ବେଳେ ପୁଷ୍ଟିହୀନତାର ଶିକାର ହୋଇଥିବା ଶିଶୁମାନେ ସପ୍ତାହରେ ୬ ଗୋଟି ଅଣ୍ଡା ଖାଉଛନ୍ତି । ଏହି ଶିଶୁମାନଙ୍କର ପ୍ରତ୍ୟେକ ମାସ ଓଜନ ମପା ଯାଉଥିବା ବେଳେ ପ୍ରତି ଦୁଇ ମାସରେ ଠାରେ ଉଚ୍ଚତ ବା ଲମ୍ବ ମପାଯାଏ  । ଏକ ବର୍ଷ ମଧ୍ୟରେ ମମତା ଘର ଶିଶୁ ମାନଙ୍କଠାରେ ୮୦ ପ୍ରତିଶତ ପୁଷ୍ଟିହୀନତା ରେ ଉନ୍ନତି ଦେଖାଯାଉଛି ବୋଲି ଏକଜୁଟ ର ପୋଗ୍ରାମ ମ୍ୟାନେଜର ସଂଜୀବ କୁମାର ଘୋଷ ମତବ୍ୟକ୍ତ କରନ୍ତି । ଏହି ଶିଶୁମାନଙ୍କ ପାଇଁ ବର୍ଷକୁ ପାଞ୍ଚଟି ଡ୍ରେସ ର ବ୍ୟବସ୍ଥା ଥିଲାବେଳେ ଗୋଟିଏ ଶୀତ ବସ୍ତ୍ର ର ବ୍ୟବସ୍ଥା ଓ ହଳେ ଚପଲ ର ବ୍ୟବସ୍ଥା ରହିଛି ।

ଏହି ମମତା ଘର ର ସୁପରିଚାଳନା ପାଇଁ ଏକଜୁଟ ସ୍ଵେଚ୍ଛାସେବୀ ସଂଗଠନ ତରଫରୁ  ପୋଗ୍ରାମ ମ୍ୟାନେଜର ସଞ୍ଜୀବ କୁମାର ଘୋଷ ଓ ପବିତ୍ର ମୋହନ ବିଶ୍ଵାଳ ପରିଚାଳନା କରୁଥିବା ବେଳେ ଦଶଟି ମମତା ଘରର ପାଇଁ ଗୋଟିଏ ସୁପରଭାଇଜର ଅଛନ୍ତି ।

ମମତା ଘର ର ଫାଇଦା ବା ଉପକାରିତା

୧। ଶିଶୁଟି ଠିକ ସମୟରେ ଖାଦ୍ୟ ଖାଇବାରୁ ଶିଶୁଟି ର ଓଜନ ଓ ଉଚ୍ଚତା ବା ଲମ୍ବ ଠିକ ଭାବରେ ବଢିଥାଏ ।

୨। ଶିଶୁଟି ସଫାସୁତୁରା ରହିବାରୁ ଦେହ ଖରାପ ନ ହୋଇ ସୁସ୍ଥ ସବଳ ରହୁଛି

୩। ଶିଶୁଟିର ବଡ ଭାଇ ଭଉଣୀ, ଯିଏକି ସ୍କୁଲ ନଯାଇ ଶିଶୁଟିକୁ ଘରେ ରଖୁଥିଲେ, ସେହି ବଡ ଭାଇ ଭଉଣୀମାନେ ଏବେ ସ୍କୁଲ ଯାଇପାରୁଛନ୍ତି

୪। ମମତା ଘରେ ମାଆ ମାନେ ନିଜ ଶିଶୁକୁ ନିଶ୍ଚିନ୍ତ ରେ ଛାଡି ନିଜ ନିଜ କାମ କରିବା ସହିତ ରୋଜଗାର ମଧ୍ୟ କରିପାରିଥାନ୍ତି ।

ଗ୍ରାମର ଲୋକମାନଙ୍କର ସହଯୋଗ

  • ମମତା ଘର ବିଭିନ୍ନ ରଙ୍ଗରେ ଚିତ୍ରିତ କରିଥାନ୍ତି
  • ମମତା ଘର ର ପୁଷ୍ଟି ବଗିଚା ତିଆରି, ତାର ବାଡ ତିଆରି, ପନିପରିବା ଗଛ ଲଗାଇବା ଇତ୍ୟାଦି
  • ଶିଶୁମାନଙ୍କ ଖେଳିବା ପାଇଁ ପ୍ଲାଷ୍ଟିକ ବିହୀନ ହାତ ତିଆରି ଖେଳଣା ତିଆରି କରିବା
  • ମମତା ଘର ର ମରାମତି କରିବା
  • ଶିଶୁମାନଙ୍କ ପାଇଁ ଆରିଶା ପିଠା ତିଆରି କରିବା ରେ ସାହାର୍ଯ୍ୟ

ବର୍ତ୍ତମାନ କରୋନା ମହାମାରୀ ର ପ୍ରକୋପ ଜାରି ରହିଥିବାରୁ କେନ୍ଦୁଝର ଜିଲ୍ଲାପାଳଙ୍କ ଅଫିସ ତରଫରୁ ଜାରି ହୋଇଥିବା ନିର୍ଦେଶନାମା ଅନୁସାରେ ଗତ ମାର୍ଚ୍ଚ ମାସ ୧୫ ତାରିଖରୁ ଏହି ୬୦ ଗୋଟି ମମତା ଘର ସାମୟିକ ବନ୍ଦ ରହିଥିବା ବେଳେ ଶିଶୁମାନଙ୍କ ଘରକୁ ଶୁଖିଲା ଖାଦ୍ୟ ଦିଆଯାଉଛି ଓ ସବୁ ଶିଶୁଙ୍କ ଘରକୁ ଯାଇ ସପ୍ତାହକୁ ଚାରୋଟି ଅଣ୍ଡା ଓ ପୁଷ୍ଟିହୀନତା ର ଶିକାର ହୋଇଥିବା ଶିଶୁମାନଙ୍କୁ ସପ୍ତାହକୁ ଛଅଟି ଅଣ୍ଡା ସ୍ପଟ ଫିଡିଙ୍ଗ କରାଯାଇଛି । ବର୍ତ୍ତମାନ ସବୁ ମମତା ଘର ବନ୍ଦ ରହିଥିବାରୁ ମମତା ଘର ଦିଦି ମାନେ ବଗିଚା ତିଆରି, ଖେଳଣା ତିଆରି ଇତ୍ୟାଦି ରେ ବ୍ୟସ୍ତଅଛନ୍ତି ।

ଅକ୍ସଫୋର୍ଡ ପଲିସି ମ୍ୟାନେଜମେଣ୍ଟ ତରଫରୁ ଏକ ସ୍ଵାଧୀନ ଭାବରେ ଏହି ପ୍ରକଳ୍ପର ମୂଲ୍ୟ ନିର୍ଧାରଣ ପରେ, ଏହାର ସିଧାସଳଖ ପ୍ରଭାବ ଜିଲ୍ଲାର ଶିଶୁ ମାନଙ୍କର  ପୁଷ୍ଟି ଓ ସ୍ଵାସ୍ଥ ଉନ୍ନତିକରଣ ଦେଖି, ଜିଲ୍ଲା ଖଣିଜ ପ୍ରତିଷ୍ଠାନ, କେଉଁଝର ଏହି ପ୍ରକଳ୍ପ କୁ ଆଗାମୀ ଛଅ ମାସରେ ୫୦୦ଟି ମମତା ଘର ଖଣି ପ୍ରଭାବିତ ଗ୍ରାମ ମାନଙ୍କରେ କରିବା ପାଇଁ ଲକ୍ଷ ରଖିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.