ସର୍ବସମ୍ମତିରେ ଓଡ଼ିଶା ଭଲିବଲ ଆସୋସିଏସନର ସଭାପତି ଭାବେ ନିର୍ବାଚିତ ହେଲେ ଡ.ଅଚ୍ୟୁତ ସାମନ୍ତ, ସଂଘ ସଦସ୍ୟଙ୍କୁ ଦେଲେ ଧନ୍ୟବାଦ

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ଭଲିବଲ୍‌ ଆସୋସିଏସନର ସଭାପତି ଭାବେ ସର୍ବସମ୍ମତିରେ ନିର୍ବାଚିତ ହୋଇଛନ୍ତି ଡ.ଅଚ୍ୟୁତ ସାମନ୍ତ। ଆଜି ବାରବାଟୀ ଷ୍ଟାଡିୟମର ଓଡ଼ିଶା ଅଲିମ୍ପିକ ଆସୋସିଏସନର ମିଟିଂ ହଲରେ ଅନୁଷ୍ଠିତ ହୋଇଥିଲା ଓଡ଼ିଶା ଭଲିବଲ ଆସୋସିଏସନର ବାର୍ଷିକ ସାଧାରଣ ପରିଷଦ ବୈଠକ। ଏହାସହ ୨୦୨୨-୨୬ ପାଇଁ ପଦାଧିକାରୀଙ୍କ ନିର୍ବାଚନ ହୋଇଥିଲା। ଭାରତୀୟ ଭଲିବଲ ମହାସଂଘର ଉପସଭାପତି ଆନନ୍ଦ ରାଜହଂସ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ଥିଲେ।

ସର୍ବସମ୍ମତିରେ ସଭାପତି ନିର୍ବାଚିତ ହେବା ପରେ ଓଡିଶା ଭଲିବଲ ଆସୋସିଏସନର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଇଛନ୍ତି, ଭାରତୀୟ ଭଲିବଲ ମହାସଂଘର ସଭାପତି ତଥା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ। ଭାରତ ବିଶେଷ କରି ଓଡ଼ିଶାରେ ଭଲିବଲର ବିକାଶ ପାଇଁ ସମସ୍ତଙ୍କ ସହଯୋଗ ପାଇଁ ଅନୁରୋଧ କରିଥିଲେ ଡ. ସାମନ୍ତ। ୨୦୨୨ରୁ ୪ ବର୍ଷ ପାଇଁ କମଳାକାନ୍ତ ପାଣ୍ଡେ କାର୍ଯ୍ୟକାରୀ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।

ସୟଦ ଅକମଲ ଅଲ୍ଲୀ, ଭବାନୀ ପ୍ରସାଦ ପଣ୍ଡା, ଜନାର୍ଦ୍ଦନ ଦାଶ, ରବୀନ୍ଦ୍ର କୁମାର ଦାସ, ମନୋରଞ୍ଜନ ଜିଉ ଓ ବ୍ରହ୍ମାନନ୍ଦ ସାମନ୍ତରାୟ ଓଡ଼ିଶା ଭଲିବଲ ଆସୋସିଏସନର ଉପସଭାପତି ହୋଇଛନ୍ତି। ସଂଘର ଅନରାରୀ ସେକ୍ରାଟୋରୀ ହୋଇଛନ୍ତି ଡ.ଗଗନେନ୍ଦୁ ଦାଶ। ଅନରାରୀ ଯୁଗ୍ମ ସମ୍ପାଦକ ହୋଇଛନ୍ତି, ଆଦିତ୍ୟ କୁମାର ଆଚାର୍ଯ୍ୟ ଓ ଜଗଦୀଶ ଚନ୍ଦ୍ର ବେହେରା। ସେହିପରି ଅନରାରୀ କୋଷାଧ୍ୟକ୍ଷ ହୋଇଛନ୍ତି ଶୁଭେନ୍ଦୁ ଭୂଷଣ ମିଶ୍ର। ପୁନର୍ବାର ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବାରୁ ଓଡ଼ିଶା ଭଲିବଲ ଆସୋସିଏସନ ସଦସ୍ୟଙ୍କୁ ଧନ୍ୟବାଦ ଦେଇଛନ୍ତି କିଟ୍‌ର କ୍ରୀଡ଼ା ମହାନିର୍ଦ୍ଦେଶକ ଥିବା ଗଗନେନ୍ଦୁ ଦାଶ।

ଆଜିର ବୈଠକ ଅବସରରେ, କିସ୍‌କୁ ୟୁନେସ୍କୋ ପକ୍ଷରୁ ମିଳିଥିବା ଇଣ୍ଟରନ୍ୟାସନାଲ ଲିଟେରାସୀ ପୁରସ୍କାର ପାଇଁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡ଼ିଶା ଭଲିବଲ ଆସୋସିଏସନ ଏବଂ ରାଜ୍ୟର ଅନ୍ୟ କ୍ରୀଡ଼ା ସଂଘଗୁଡିକ ତରଫରୁ ଓଡ଼ିଶା ଆଥଲେଟିକ୍‌ ଆସୋସିଏସ ଓ ଓଡ଼ିଶା ଫୁଟବଲ ଆସୋସିଏସନର ସମ୍ପାଦକ ଆଶୀର୍ବାଦ ବେହେରା, ଡ. ସାମନ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.