ଲକ୍ ଡାଉନ ଯୋଗୁଁ ବ୍ରହ୍ମପୁର ରେଳ ଷ୍ଟେସନ ଜନ ଶୂନ୍ୟ , ଷ୍ଟେସନର ସୁରକ୍ଷା ରଖୁଛି ଡ୍ରୋନର ଆଖି

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ରେଳ ଷ୍ଟେସନର ଅଧିନରେ ଆସୁଛି ଆନ୍ଧ୍ରପ୍ରଦେଶ ନିକଟ ସୁର୍ଲା ଷ୍ଟେସନଠାରୁ ରମ୍ଭା ରେଳ ଷ୍ଟେସନ । ବିଭିନ୍ନ ଷ୍ଟେସନ ଭିତରେ ଅଟିକି ରହିଛି ୬ରୁ ଅଧିକା ଟ୍ରେନ । ଲକ୍ ଡାଉନ ପାଇଁ ପୁରା ଠପ୍ ହୋଇଯାଇଛି ବ୍ରହ୍ମପୁର ରେଳ ଷ୍ଟେସନ । ତେବେ ଅଟକି ରହିଥିବା ରେଳ ଗୁଡିକର ସୁରକ୍ଷା ପାଇଁ ଏବେ ଚାଲେଞ୍ଜ ସୃଷ୍ଟି ହୋଇଛି ।

ଆଉ ବନ୍ଦ ଓ ଲୋକଙ୍କ ଚଳାଚଳ ନଥିବାର ପରିସ୍ଥିତିର ଫାଇଦା ଉଠାଇ କେହି କୌଣସି ଅଘଟଣ ଘଟାଇବା ସହ ରେଳ ବାଇ ସମ୍ପତ୍ତି ନଷ୍ଟ କରିବା ଉଦ୍ୟମ କରିବ ସେଥିପାଇଁ ରେଳ ବିଭାଗ ଏବେ ସଜାଗ ହୋଇଛି । ଏଥିପାଇଁ ନିଆଯାଇଛି ଡ୍ରୋନର ସହାୟତା । ଆକାଶ ମାର୍ଗରୁ ଷ୍ଟେସନରେ ପ୍ରତିଟି ଗତିବିଧି ଉପରେ ନଜର ରଖାଯାଇଛି । ଆଜି ବ୍ରହ୍ମପୁର ରେଳ ଷ୍ଟେସନରେ ଆରମ୍ଭ ହୋଇଛି ଡ୍ରୋନ ସାହାର୍ଯ୍ୟରେ ରେଳ ଷ୍ଟେସନର ସୁରକ୍ଷା ।

ଦକ୍ଷିଣ ଓଡ଼ିଶାର ବ୍ୟସ୍ତ ବହୁଳ ରେଳ ଷ୍ଟେସନ ହେଉଛି ବ୍ରହ୍ମପୁର ରେଳ ଷ୍ଟେସନ । ଏହି ଷ୍ଟେସନରୁ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଯାତାୟତ କରିଥାନ୍ତି । ବର୍ତ୍ତମାନ କରୋନା ଭାଇରସକୁ ମୁକାବିଲା କରିବା ଲାଗି ଲକ୍ ଡାଉନ ଜାରୀ କରାଯାଇଛି । ଆଉ ଏହି ଲକ୍ ଡାଉନ ଯୋଗୁଁ ରାସ୍ତା ଘାଟ ଖାଁ ଖାଁ ରେଳ ଷ୍ଚେସନ । ଏଭଳିସ୍ଥିତିରେ ସମସ୍ତ ଟ୍ରେନ ଚଳାଚଳ ବନ୍ଦ ହୋଇଯାଇଥିବା ବେଳେ କେବଳ କିଛି ମାଲ ବାହୀ ଟ୍ରେନ ଚଳାଚଳ କରୁଛି । ଲକ୍ ଡାଉନ ପରେ ପ୍ରତ୍ୟେକ ଦିନ ୨୦ଟି ଗୁଡସ ଟ୍ରେନ ଓ ୭ଟି ପାର୍ସଲ ଟ୍ରେନ ଏବେ ଚଳାଚଳ ହେଉଛି । ବ୍ରହ୍ମପୁର ରେଳ ଷ୍ଟେସନ ସିସି ଟିଭି ସର୍ଭଲାନସରେ ଥିଲେ ମଧ୍ୟ ଏତେ ବଡ଼ ଅଞ୍ଚଳକୁ ସୁରକ୍ଷା ଦେବା ସହଜ ନୁହେଁ । ଜନ ଶୂନ୍ୟ ଷ୍ଟେସନରେ କିଏ କେଉଁଠି ପଶି ଅଘଟଣ କରିବ ସେଥିପାଇଁ ଆକାଶ ମାର୍ଗରୁ ନଜର ରଖିଛି ଡ୍ରୋନ । ପ୍ଲାଟଫର୍ମରେ ଥିବା ରେଳ ଟ୍ରାକ୍, ଅଟକି ଥିବା ଟ୍ରେନ ଗୁଡିକୁ ତୀକ୍ଷଣ ନଜରରେ ରଖାଯାଇଛି । ବ୍ରହ୍ମପୁର ଆରପିଏଫ ଇନିସପେକ୍ଟର ଦିଲ୍ଲୀପ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଡ୍ରୋନ ସାହାର୍ଯ୍ୟରେ ପୁରା ଷ୍ଟେସନକୁ ଦିନ ସାରା ନଜରରେ ରଖାଯାଇଛି ।

କେବଳ ବ୍ରହ୍ମପୁର ରେଳ ଷ୍ଟେସନ ନୁହେଁ ବରଂ ବ୍ରହ୍ମପୁର ଅଧିନରେ ଥିବା ସୁର୍ଲା,ଗୋଳନ୍ଥରା, ଜଗନ୍ନାଥପୁର, ଛତ୍ରପୁର, ରମ୍ଭା ଆଦି ରେଳ ଷ୍ଟେସନର ସୁରକ୍ଷା ପାଇଁ ଡ୍ରୋନର ସହାୟତା ନିଆଯାଇଛି । ଆଜି ବ୍ରହ୍ମପୁର ରେଳ ଷ୍ଟେସନରେ ଆରମ୍ଭ ହୋଇଥିବା ବେଳେ ଯେଉଁ ବ୍ୟକ୍ତି ରେଳ ଷ୍ଟେସନର ପରିଧି ମଧ୍ୟକୁ ଅନ୍ୟାୟସରେ ପ୍ରବେଶ କରିବା ଜଣାପଡୁଛି ତୁରନ୍ତ ସୁରକ୍ଷା କର୍ମୀମାନେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏହା ସହ ଲକ ଡାଉନ ସମୟରେ କମ ସୁରକ୍ଷା କର୍ମି ନିୟୋଜିତରେ କିଭଳି ରେଳ ବିଭାଗର ସମ୍ପତ୍ତିକୁ ସୁରକ୍ଷା ଦିଆଯାଇପାରିବ ସେଥିପାଇଁ ଏହି ଡ୍ରୋନର ବ୍ୟବହାର କରାଯାଇଥିବା ରେଳ ବିଭାଗର ଟେକ୍ନସିଆନ ସୌମ୍ୟ ରଞ୍ଜନ ନାୟକ କହିଛନ୍ତି । ଲକ୍ ଡାଉନ ଯୋଗୁଁ ରେଳ ଷ୍ଟେସନ ଜନ ଶୂନ୍ୟ ହୋଇଥିବା ବେଳେ ଡ୍ରୋନ ମାଧ୍ୟମରେ ଏହାର ସୁରକ୍ଷା ଆହୁରି ସଶକ୍ତ କରିଛି ।

Leave A Reply

Your email address will not be published.