ଖଣ୍ଡିତରରେ କବାଡ଼ି ପ୍ରତିଯୋଗିତା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଯାଜପୁର : ପାଖେଇ ଆସିଲାଣି ରଜ । ରଜ ପାଇଁ ସବୁଠି ଉତ୍ସବ ମୁଖର ପରିବେଶ । ପିଠାପଣାରେ ମହକିବ ଗାଁ ଠୁ ସହର । ରଜପର୍ବ ପାଇଁ ଆଗୁଆ ପ୍ରସ୍ତୁତିରେ ମାତିଲେଣି ସମେସ୍ତ । ଝିଅ ବୋହୂ ମାନେ ନୂଆ ନୂଆ ପୋଷାକ ପିନ୍ଧି ହାତରେ ମେହେନ୍ଦି ଲଗାଇ ଗୋଡ଼ରେ ଅଳତା ଲଗାଇ ସଜେଇ ହେବେ । ବିଭିନ୍ନ ସ୍ଥାନରେ ଚାଲିବ ରଜ ମହୋତ୍ସବ । ରଜ ପାନ ପିଠା, ମିଠା ଖାଇ ସଭିଏଁ ପାଳିବେ ରଜ । ଏଥିପାଇଁ ଏବେଠୁ ଉତ୍ସାହ ଦେଖିବାକୁ ମିଳିଛି ।

ଏହାରି ଭିତରେ ଯାଜପୁର ଜିଲ୍ଲା ଖଣ୍ଡିତରରେ ୬୯ତମ ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଆୟୋଜିତ ହୋଇଛି । ଯେଉଁଥିରେ ରାଜ୍ୟ ଓ ରାଜ୍ୟ ବାହାରର ପୁରୁଷ ବିଭାଗରେ ୨୨ ଓ ମହିଳା ବିଭାଗରେ ୧୦ଗୋଟି ଦଳ ଅଂଶଗ୍ରହଣ କରିବେ । ଏଥିପାଇଁ ଯାଜପୁର କବାଡି ଆସୋସିଏସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ପଡିଆ ଓ ଷ୍ଟାଡିୟମ ଗ୍ୟାଲେରି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମ୍ୟାଟରେ ଏହି ଖେଳ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରଥମ ଥର ପାଇଁ ଫ୍ଲଡ ଲାଇଟର ବ୍ୟବସ୍ଥା କରାଯାଇଛି । ୪ ଦିନ ଧରି ଅନୁଷ୍ଠିତ ଏହି ସର୍ବଭାରତୀୟ ପ୍ରତିଯୋଗୀତା ମ୍ୟାଚରେ ଉଭୟ ପୁରୁଷ ଓ ମହିଳା ଖେଳାଳି ଅଂଶଗ୍ରହଣ କରିବେ । ଏହି ପ୍ରତିଯୋଗୀତାରେ ପ୍ରୋ କବାଡି ଖେଳାଳି ମାନେ ଭାଗ ନେଉଥିବାରୁ ନୂତନ ଖେଳାଳୀମାନେ ଉତ୍ସାହିତ ହେବା ସହ ବେଶ୍ କିଛି ଶିଖିବାକୁ ଆଶା ରଖିଛନ୍ତି ।

ରଜ ସହିତ କବାଡି ଖେଳର ସଂପର୍କ ଅତି ନିବିଡ । ଏହି ରଜ ଅବସରରେ ଆୟୋଜିତ ହୋଇଥାଏ କବାଡି ପ୍ରତିଯୋଗୀତା । ଦୀର୍ଘ ବର୍ଷ ତଳେ ଛୋଟିଆ ଗାଁରେ ଆରମ୍ଭ ହୋଇଥିବା ଏହି କବାଡି ଆଜି ସାରା ଦେଶରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଅନ୍ୟପକ୍ଷରେ ଯାହା ସ୍ଥାନୀୟ ଅଂଚଳବାସୀଙ୍କ ପାଇଁ ପାଲଟିଥାଏ ଏକ ଗଣପର୍ବ । ରଜ ଆସିଲେ ସ୍ଥାନୀୟ ଅଂଚଳର ଲୋକେ ଯେଉଁଠି ଥିଲେ ବି କବାଡି ଖେଳ ଦେଖିବା ପାଇଁ ଚାଲିଆସନ୍ତି ନିଜ ଗାଁ ଖଣ୍ଡିତରକୁ । ଏହି ଷ୍ଟାଡିୟମରେ ବର୍ଷର ସବୁଦିନେ ନୂତନ ଖେଳାଳୀ ମାନେ କବାଡି ଅଭ୍ୟାସ କରିଥାନ୍ତି । ରଜସମୟରେ ଏହି ଖେଳ ଆୟୋଜନ ହେବା ଦ୍ୱାରା ନୂତନ ଖେଳାଳୀ ମାନେ ଅନେକ କିଛି ଶିଖିବାକୁ ମଧ୍ୟ ପାଇଥାନ୍ତି ।

Leave A Reply

Your email address will not be published.