ଝାଡ଼ଖଣ୍ଡ: ଘରୁ ମିଳିଥିଲା ଟଙ୍କାର ପାହାଡ଼, ଜେଲ୍‌ରେ ଥିବା ମନ୍ତ୍ରୀ ଆଲମଗିର ଆଲମ୍ ପଦରୁ ଦେଲେ ଇସ୍ତଫା

ପଦରୁ ଇସ୍ତଫା ଦେଇଛନ୍ତି ଝାଡ଼ଖଣ୍ଡ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ଦଳ (ସିଏଲ୍‌ପି)ର ନେତା ଆଲମଗିର ଆଲମ । ତାଙ୍କ ପୁଅ ତନଭୀର ଆଲମ ଏହି ସୂଚନା ଦେଇଛନ୍ତି । ଆଲମଗିର ଆଲମ ବର୍ତ୍ତମାନ ମନି ଲଣ୍ଡରିଂ ମାମଲାରେ ଜେଲରେ ଅଛନ୍ତି । ତନଭୀର ଆଲମଙ୍କ ସୂଚନା ମୁତାବକ, ତାଙ୍କ ବାପା ଜୁନ୍ ୮ରେ ଇସ୍ତଫା ଦେଇଥିଲେ । ସେହି ଦିନ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଥିଲା । ଏହି ଚିଠି ସୋମବାର ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି ।

ଝାଡ଼ଖଣ୍ଡ କଂଗ୍ରେସ ମୁଖ୍ୟ ରାଜେଶ ଠାକୁର ମଧ୍ୟ ଏହା ନିଶ୍ଚିତ କରି କହିଛନ୍ତି ଯେ ଆଲମଗିର ଆଲମ ସିଏଲ୍‌ପି ନେତା ଏବଂ କ୍ୟାବିନେଟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

କହି ରଖୁଛୁ ଯେ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମେ’ ୧୫ରେ ଆଲମଗିର ଆଲମଙ୍କୁ ଗିରଫ କରିଥିଲା । ମେ’ ୬ରେ ଯେତେବେଳେ ତଦନ୍ତ ଏଜେନ୍ସି ଆଲମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲଙ୍କ ଘରୋଇ ସହାୟକ ଜାହାଙ୍ଗୀର ଆଲମଙ୍କ ଆପାର୍ଟମେଣ୍ଟରେ ଚଢ଼ାଉ କରିଥିଲା, ସେଠାରୁ ୩୭ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଥିଲା । ସେହି ସମୟରେ ଏହି ଘଟଣା ଘଟିଥିଲା । ଇଡିର ଚଢ଼ାଉ ପରେ ଉଭୟ ଆଲମ ଓ ଲାଲଙ୍କୁ ଗିରଫ କରାଯାଇଥିଲା ।

ସୂଚନାଥାଉ କି, ମନି ଲଣ୍ଡରିଂ ମାମଲାରେ ଗତ ବର୍ଷ ଗିରଫ ହୋଇଥିଲେ ଝାଡ଼ଖଣ୍ଡର ଗ୍ରାମୀଣ ବିକାଶ ବିଭାଗର ପୂର୍ବତନ ମୁଖ୍ୟ ଇଂ. ବିରେନ୍ଦ୍ର କେ. ରାମ । ତାଙ୍କ ବିରୋଧରେ ଚାଲିଥିବା ତଦନ୍ତ ସହ ଜଡ଼ିତ ଇଡି ଏହି ଚଢ଼ାଉ କରିଥିଲା ।

କିଛି ଦିନ ପୂର୍ବେ ଚମ୍ପଇ ସୋରେନ୍ ଚାରୋଟି ବିଭାଗ ସଂସଦୀୟ ବ୍ୟାପାର, ଗ୍ରାମୀଣ ବିକାଶ, ଗ୍ରାମୀଣ କାର୍ଯ୍ୟ ଏବଂ ପଞ୍ଚାୟତି ରାଜକୁ ନିଜ ଅଧୀନକୁ ନେଇଥିଲେ । ଏହି ବିଭାଗଗୁଡ଼ିକ ଗିରଫ ହେବା ପୂର୍ବରୁ ଆଲମଗିର ଆଲମଙ୍କ ପାଖରେ ଥିଲା । ତେବେ ସେତେବେଳେ ଆଲମଗିରଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲଙ୍କ ଘରୋଇ ସହାୟକଙ୍କ ଘରୁ ଟଙ୍କାର ପାହାଡ଼ ମିଳିବା ଖବର ଚର୍ଚ୍ଚାକୁ ଆସିଥିଲା ।

Leave A Reply

Your email address will not be published.