ରାଜ୍ୟରେ ନିଶାନିବାରଣ କେନ୍ଦ୍ର ଗୁଡ଼ିକରେ ଅବ୍ୟବସ୍ଥା ମାମଲା: ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ(କେନ୍ଯୁଜ୍): ରାଜ୍ୟରେ ନିଶାନିବାରଣ କେନ୍ଦ୍ର ଗୁଡ଼ିକରେ ଅବ୍ୟବସ୍ଥା ମାମଲାରେ ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ୯ଟି ଜିଲ୍ଲାରେ ଡ୍ରଗ୍ସ ଓ ମଦ ସେବନକାରୀଙ୍କ ପ୍ରସଙ୍ଗ ଚିନ୍ତାଜନକ ହୋଇଛି । ନିଶାନିବାରଣ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ ପାଇଁ କେନ୍ଦ୍ର ସରକାର ୨୦୨୦-୨୧ ପାଇଁ କରିଥିବା ବାର୍ଷିକ ନ୍ୟାସନାଲ ଆକ୍ସନ-ପ୍ଲାନରେ ଦେଶର ବିଭିନ୍ନ ପ୍ରଦେଶର ୨୭୨ଟି ନିଶାସେବନ ଦ୍ଵାରା ପ୍ରଭାବିତ ଜିଲ୍ଲା ପ୍ରସଙ୍ଗରେ ଉଲ୍ଲେଖ କରାଯାଇଛି । ଏଥିରେ ଓଡ଼ିଶାର ୯ଟି ଜିଲ୍ଲା ରହିଛି ।

ନିଶାନିବାରଣ ପ୍ରସଙ୍ଗରେ କରାଯାଇଥିବା ନ୍ୟାସନାଲ ଆକ୍ସନ୍‌ ପ୍ଲାନ୍‌ ରାଜ୍ୟର ସବୁଠାରୁ ପ୍ରଭାବିତ ୯ଟି ଜିଲ୍ଲାରେ କାର୍ଯ୍ୟକାରୀ ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେନେଇ ସତ୍ୟପାଠ ଦାଖଲ କରିବା ପାଇଁ ମୁଖ୍ୟ ବିଚାରପତି ଡ. ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ କାଜ୍ୟର ବିଭିନ୍ନ ନିଶାନିବାରଣ କେନ୍ଦ୍ର ପରିଦର୍ଶନ କରି ଆମିକସ୍‌କ୍ୟୁରୀ ୨୦୧୬ ଜୁନ୍‌ ୨୦ରେ ପ୍ରଦାନ କରିଥିବା ରିପୋର୍ଟ ଉପରେ ସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପରବର୍ତ୍ତୀ ଶୁଣାଣି ପୂର୍ବରୁ ସାମାଜିକ ସୁରକ୍ଷା ସଚିବ ଏହି ପ୍ରସଙ୍ଗରେ ସତ୍ୟପାଠ ଦାଖଲ କରିବେ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ନିଶାନିବାରଣ କେନ୍ଦ୍ର ଗୁଡିକରେ ନିୟମ ଅନୁସାରେ ଆବଶ୍ୟକ ବ୍ୟବସ୍ଥା ନଥିବା ଅଭିଯୋଗ ଉପରେ ମଧ୍ୟ ସଚିବ ସତ୍ୟପାଠରେ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଫେବ୍ରୁଆରି ୧୦କୁ ଧାର୍ଯ୍ୟ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.