ରାସ୍ତାରୁ ଉଠିଯାଉଛି ପିଚୁ, ରାସ୍ତା ଖରାପ ଯୋଗୁଁ ବାରମ୍ବାର ହେଉଛି ଦୁର୍ଘଟଣା

ବ୍ୟସ୍ତ ବହୁଳ ୨୬ ନଂ ଜାତୀୟ ରାଜପଥରେ ଯିବାକୁ ହେଲେ ପ୍ରାୟ ୫ କିମି ଅଧିକ ପଡିବା ସହ ଅଧିକ ସମୟ ଲାଗିଥାଏ । ଅନେକ ସମୟରେ ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଦେଇଥାଏ । ଏଥିପାଇଁ ତେଲିଙ୍ଗିରି ଜଳ ଭଣ୍ଡାର ଦେଇ ଯାଉଥିବା ରାସ୍ତାରେ ଯିବାକୁ ଲୋକେ ପ୍ରାଥମିକତା ଦିଅନ୍ତି ।

କୋରାପୁଟ (କେନ୍ୟୁଜ): କୋରାପୁଟରୁ ତେଲିଙ୍ଗିରି ଜଳଭଣ୍ଡାର ଦେଇ ବୋରିଗୁମାକୁ ସଂଯୋଗ କରୁଛି ୪୮ନଂ ରାଜ୍ୟ ରାଜ୍ୟପଥ । ପ୍ରାକୃତିକ ପରିବେଶ ଭରା ଏହି ରାସ୍ତାରେ ଯାତ୍ରା କରିବା ଯେତିକି ଆମୋଦପୂର୍ଣ୍ଣ ଏବେ ସେତିକି ବିପଦପୂର୍ଣ୍ଣ ପାଲଟିଛି । ପାହାଡ଼ ଓ ଘଞ୍ଚ ଜଙ୍ଗଲ ମଧ୍ୟରେ ଜଳ ଭଣ୍ଡାର ଦେଇ ଅଙ୍କା ବଙ୍କା ରାସ୍ତାରେ ଗଲାବେଳେ ଲୋକଙ୍କୁ ବେସ ରୋମାଞ୍ଚିତ କରେ । କିନ୍ତୁ ଏବେ ରାସ୍ତାରେ ପିଚୁ ଉଠି ଯାଇ ଗାତ ସୃଷ୍ଟି ହୋଇଛି, ଯାହା ଗାଡି ଚାଳଜଙ୍କ ପାଇଁ ବିପଦ ସାଜିଛି । ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବା ଏହି ରାସ୍ତାଟି ଧୂଳି ମୟ ହୋଇ ପଡିଛି । ଅଣ ନିଶ୍ବାସୀ ହୋଇ ଏହି ରାସ୍ତାରେ ଯିବାକୁ ମୁହଁ ଫେରାଉଛନ୍ତି ଲୋକେ।

୨ କଡ଼ରେ ପାହାଡ ଓ ଜଙ୍ଗଲ ମଝିରେ ଲମ୍ବିଛି ରାସ୍ତା । ଥାକ ଥାକ ପାହାଡ଼ ଓ ଜଙ୍ଗଲ ଘେରା ମଧ୍ୟରେ ତେଲିଙ୍ଗିରି ଜଳ ଭଣ୍ଡାର ପାର୍ଶ୍ବ ଦେଇ କୋରାପୁଟ _ତେଲିଙ୍ଗିରି ଦେଇ ବୋରିଗୁମା_ନବରଂଗପୁର ଓ ବୋରିଗୁମା _କୋଟପାଡ _ଜଗଦଲ ପୁରକୁ ସିଧା ସଂଯୋଗ କରୁଛି ରାସ୍ତା । ପୂର୍ତ୍ତ ବିଭାଗର ପରିଚାଳନା ଗତ ଅବହେଳା ଓ ଅପାରଗତା ଯୋଗୁଁ ମରାମତି ହୋଇ ପାରୁ ନାହିଁ ରାସ୍ତା । ଏହି ଅବସ୍ଥାରେ ବିପଦ ପୂର୍ଣ୍ଣ ଭାବେ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି ଲୋକେ ।

ବ୍ୟସ୍ତ ବହୁଳ ୨୬ ନଂ ଜାତୀୟ ରାଜପଥରେ ଯିବାକୁ ହେଲେ ପ୍ରାୟ ୫ କିମି ଅଧିକ ପଡିବା ସହ ଅଧିକ ସମୟ ଲାଗିଥାଏ । ଅନେକ ସମୟରେ ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଦେଇଥାଏ । ଏଥିପାଇଁ ତେଲିଙ୍ଗିରି ଜଳ ଭଣ୍ଡାର ଦେଇ ଯାଉଥିବା ରାସ୍ତାରେ ଯିବାକୁ ଲୋକେ ପ୍ରାଥମିକତା ଦିଅନ୍ତି । ଜଳ ଭଣ୍ଡାର ନିକଟରେ ସକାଳର ସିନ୍ଦୁରା ଫାଟିବା ଦୃଶ୍ୟ ଓ ସନ୍ଧ୍ୟାରେ ପାହାଡ ଉହାଡରେ ସୂର୍ଯ୍ୟ ଲୁଚୁଥିବାର ମନଲୋଭା ଦୃଶ୍ୟ ରାସ୍ତାରେ ଯାଉଥିବା ଲୋକଙ୍କୁ କିଛି ସମୟ ଅଟକାଇ ଦିଏ। ରାସ୍ତା କଡରେ ତେଲେଙ୍ଗିରି ଜଳ ଭଣ୍ଡାରରେ ଭରପୁର ରହିଥିବା ବିସ୍ତୀର୍ଣ୍ଣ ଜଳ ରାଶି ଦେଖିବାକୁ ଏଠାରେ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ହେଲେ ଏବେ ଏହି ୪୮ନଂ ଜାତୀୟ ରାଜପଥ କୋରାପୁଟ_ତେଲେଙ୍ଗିରି _ ରାଣିଗଡ _ ବୋରିଗୁମା ରାସ୍ତାଟି ମରଣଯନ୍ତା ପାଲଟିଛି । ଯେଉଁଠି ଦେଖିବ ରାସ୍ତାରେ ଗାତ ରହିଛି । ଫଳରେ ପ୍ରତିଦିନ ଘଟୁଛି ଛୋଟବଡ ଦୁର୍ଘଟଣା । ତା ସାଙ୍ଗକୁ ବାଧକ ସାଜୁଛି ଧୂଳି । ଅଣନିଃଶ୍ବାସୀ ହୋଇପଡୁଛନ୍ତି ଚାଲକ ଓ ଯାତ୍ରୀ । ତୁରନ୍ତ ରାସ୍ତା ମରାମତି କରିବାକୁ ଦାବି କରିଛନ୍ତି ଉକ୍ତ ରାସ୍ତାରେ ଯାତାୟତ କରୁଥିବା ଯାତ୍ରୀ।

ରାସ୍ତାରେ ପ୍ରତିଦିନ ଶହ ଶହ ବଡ଼ ବଡ଼ ମାଲ ବୋଝେଇ ଦ୍ରୁତଗାମୀ ଟ୍ରକ ଓ ଗାଡି ଯାଉଛି । ରାସ୍ତାରେ ଦୁଇ ଚକିଆ ଗାଡ଼ି ଠାରୁ ଆରମ୍ଭ କରି ଭାରିଯାନ ଚାଳକ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୋରାପୁଟରୁ ବୋରିଗୁମ୍ମା ଦେଇ ଛତିଶଗଡ଼ ସହ ନବରଂଗପୁର , ଉମରକୋଟ, କଳାହାଣ୍ଡି ଯିବାକୁ କମ ରାସ୍ତା ପଡୁଥିବାରୁ ଦିନ ତମାମ ଏହି ରାସ୍ତାରେ ଗହଳି ଲାଗି ରହୁଛି। ରାସ୍ତା ଖରାପ ଯୋଗୁଁ ଗାଡ଼ିମଟର ବାରମ୍ବାର ଖରାପ୍ ହେଉଥିବା ଅଭିଯୋଗ କରିଛନ୍ତି ଗାଡ଼ି ଚାଳକ। ରାସ୍ତା ନିର୍ମାଣ ନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ ଏବଂ ପର୍ଯ୍ୟଟକଙ୍କ ପ୍ରତି ଦୃଷ୍ଟି ଦେଇ ରାସ୍ତାର ସୌନ୍ଦର୍ଯ୍ୟ କରଣ ବୃଦ୍ଧି କରାଯିବ ବୋଲି କୋରାପୁଟ ଜିଲ୍ଲାପାଳ କହିଛନ୍ତି ।

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବା କୋରାପୁଟ_ ବୋରିଗୁମ୍ମା ୪୮ନଂ ଜାତୀୟ ରାଜପଥ ତୁରନ୍ତ ମରାମତି କରି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅକ୍ଷୁର୍ଣ୍ଣ ରଖିବାକୁ ସାଧାରଣରେ ଦାବି ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.