ଥମିବାର ନାଁ ନେଉନି ମନ୍ଦିର ଲୁଟ୍: ତାଲା ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସୁଗୋ ପଞ୍ଚାୟତ ଜେନା ସାହିରେ ଥିବା ଗୋପାଳଜୀୟୁ ମନ୍ଦିରରୁ ଗତକାଲି ବିଳମ୍ୱିତ ରାତିରେ ଗ୍ରିଲ ଭାଙ୍ଗି ଠାକୁରଙ୍କର ଲକ୍ଷାଧିକ ଟଙ୍କାର ସୁନା ରୂପା ଅଳଙ୍କାର ଚୋରୀ କରି ନେଇଛନ୍ତି ଦୁର୍ବୃତ୍ତ । ଏନେଇ ଥାନାରେ ଅଭିଯୋଗ ପରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

ବାସୁଦେବପୁର(କେନ୍ୟୁଜ): ମନ୍ଦିର ଉପରେ ଚୋରଙ୍କ ଲୋଲୁପ ଦୃଷ୍ଟି । ସବୁସୀମା ଟପିଲେ ଏ ଚୋର । ଶେଷରେ ଠାକୁରଙ୍କୁ ବି ଛାଡ଼ିଲେନି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଭଦ୍ରକରେ ଘଟିଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସୁଗୋ ପଞ୍ଚାୟତ ଜେନା ସାହିରେ ଥିବା ଗୋପାଳଜୀୟୁ ମନ୍ଦିରରୁ ଗତକାଲି ବିଳମ୍ୱିତ ରାତିରେ ଗ୍ରିଲ ଭାଙ୍ଗି ଠାକୁରଙ୍କର ଲକ୍ଷାଧିକ ଟଙ୍କାର ସୁନା ରୂପା ଅଳଙ୍କାର ଚୋରୀ କରି ନେଇଛନ୍ତି ଦୁର୍ବୃତ୍ତ । ସେହି ଗ୍ରାମରେ ଦୀର୍ଘ ବର୍ଷ ଧରି ପୂଜା ପାଇ ଆସୁଛନ୍ତି ଗୋପାଳ ଜୀୟୁ ।

ଗତ ବର୍ଷ ଠାକୁରଙ୍କ ବାର୍ଷିକ ଉତ୍ସବରେ ୨ ଗୋଟି ସୁନାର ମୁକୁଟ ପ୍ରଦାନ କରାଯାଇଥିଲା ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ । ତା ସହିତ ଠାକୁରଙ୍କର ଥିବା ୪ ଗୋଟି ବଇଁଶୀ ଏବଂ ସୁନା ରୂପାର ଚିତା ପ୍ରଦାନ କରାଯାଇଥିଲା । ସବୁ ଅଳଙ୍କାରର ଅନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାର ଊର୍ଦ୍ଧ୍ୱ ହେବ ଯାହା ଗତକାଲି ରାତିରେ ଚୋରୀ ହୋଇଯାଇଛି । ଗତକାଲି ରାତିରେ ପୂଜକ ପୂଜା ସାରି ଗ୍ରୀଲରେ ଚାବି ପକାଇ ଘରକୁ ଯାଇଥିଲେ । ହେଲେ ସକାଳେ ମନ୍ଦିର ପୂଜା କରିବାକୁ ଆସି ଦେଖିଲା ବେଳକୁ ମନ୍ଦିରର ସମସ୍ତ ଗ୍ରିଲର ତାଲା ଭଙ୍ଗା ଯାଇଛି ।

ସଙ୍ଗେ ସଙ୍ଗେ ଗ୍ରାମବାସୀ ତଥା ସ୍ଥାନୀୟ ସରପଞ୍ଚକୁ ଏ ଖବର ଦେଇଥିଲେ ପୂଜାରୀ । ସମସ୍ତେ ଘଟଣା ସ୍ଥଳରେ ପହଞ୍ଚି ଦେଖନ୍ତି ତ ଠାକୁରଙ୍କ ଲୁଗା,ବାକ୍ସ ଓ ହାରମନୀ ପାଖରେ ଥିବା ଏକ ପୋଖରୀ ନିକଟରେ ପଡିଛି ଏବଂ ଠାକୁରଙ୍କ ଲକ୍ଷାଧିକ ଟଙ୍କାର ସୁନା ରୂପା ଅଳଙ୍କାର ସମେତ ଦାନହୁଣ୍ଡୀରୁ ସମସ୍ତ ଟଙ୍କା ପଇସା ଲୁଟିନେଇଛନ୍ତି ଦୁର୍ବୃତ୍ତ । ଏନେଇ ଥାନାରେ ଅଭିଯୋଗ ପରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.