Below header

ଆଜିଠୁ ରାଜ୍ୟରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବା ସହ ବିକ୍ଷିପ୍ତ ଝଡ଼ବର୍ଷା ହେବାର ସମ୍ଭାବନା

ବିଷୁବ ସଂକ୍ରାନ୍ତିରେ ଭୁବନେଶ୍ବର ସମେତ ବିଭିନ୍ନ ଜିଲ୍ଲାର କେତେକ ସ୍ଥାନରେ ୪୨ ଡିଗ୍ରି ଅତିକ୍ରମ କରିପାରେ ତାପମାତ୍ରା।

ଭୁବନେଶ୍ବର: ରାଜ୍ଯରେ କିଛି ଦିନ ହେବ ଚାଲିଛି ଖରା ବର୍ଷାର ଖେଳ। ସକାଳୁ ତାତି ବଢି ବଢି ଠିକ୍ ଅପରାହ୍ନରେ କଳାହାଣ୍ଡିଆ ମେଘ ମାଡି ଆସୁଛି। ତେବେ ଏହାରି ଭିତରେ ସାମ୍ନାକୁ ଆସିଛି ପାଣିପାଗ ବିଭାଗର ତଥ୍ଯ।

କୁହାଯାଉଛି କି, ଆଜିଠୁ ରାଜ୍ୟରେ ସର୍ବାଧିକ ତାପମାତ୍ରା କ୍ରମଶଃ ବୃଦ୍ଧି ପାଇବ। ସପ୍ତାହକ ଭିତରେ ସର୍ବାଧିକ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି। ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ ଓ ସମ୍ବଲପୁରର ଦକ୍ଷିଣରେ ଥିବା ଜିଲ୍ଲାଗୁଡ଼ିକରେ ଗୁରୁବାର ତାପମାତ୍ରା ୧ରୁ ୧.୫ ଡିଗ୍ରି ବଢ଼ିବାକୁ ଥିବାବେଳେ ଅନ୍ୟାନ୍ୟ ସ୍ଥାନରେ ପ୍ରୟତଃ ୧ ଡିଗ୍ରି ବୃଦ୍ଧି ପାଇବ। ଖୋର୍ଦ୍ଧା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଗୁରୁବାର ଆଂଶିକ ମେଘୁଆ ପାଗ ହେତୁ ତାପମାତ୍ରା ୧ ଡିଗ୍ରି କମି ଶୁକ୍ରବାର ଅପରିବର୍ତ୍ତିତ ରହିବ।

ବିଷୁବ ସଂକ୍ରାନ୍ତିରେ ଭୁବନେଶ୍ବର ସମେତ ବିଭିନ୍ନ ଜିଲ୍ଲାରେ ୪୨ ଡିଗ୍ରି ଅତିକ୍ରମ କରିପାରେ ତାପମାତ୍ରା :

୧୦ ତାରିଖଠାରୁ ରାଜ୍ୟକୁ ଉତ୍ତର-ପଶ୍ଚିମା ଶୁଷ୍କ ଗରମ ପବନ ବହିବା ହେତୁ ରାଜ୍ୟରେ ତାପମାତ୍ରା ବିଶେଷ ଭାବେ ବଢ଼ିବ। ବିଷୁବ ସଂକ୍ରାନ୍ତିରେ ଭୁବନେଶ୍ବର ତାପମାତ୍ରା ୪୨ ଡିଗ୍ରି ପାଖାପାଖି ରହିବାକୁ ଥିବା ବେଳେ ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାର କେତେକ ସ୍ଥାନରେ ୪୨ ଡିଗ୍ରି ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି।

rain pic
image credit: ugaoo.com

୮ ତାରିଖ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି:

ସେହିପରି ଏପ୍ରିଲ ୮ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଲାଗିରହିବ। ଆଜି ଉପକୂଳ ଓଡ଼ିଶା ସମେତ ନୟାଗଡ଼, ଗଜପତି, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିପାରେ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ କନ୍ଧମା‌ଳ, କଳାହାଣ୍ଡି, ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଭଦ୍ରକ ଓ ବାଲେଶ୍ବରରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ୮ ତାରିଖରେ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବ ରହିବ। ତେଣୁ ୮ ତାରିଖ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି ‌ହୋଇଛି।

ଗତ ୩୬ ଘଣ୍ଟା ମଧ୍ୟରେ ରାୟଗଡ଼ାରେ ସର୍ବାଧିକ ୫୨ ମିମି ବର୍ଷା ହୋଇଥିବା ବେଳେ ଢେଙ୍କାନାଳରେ ୨୩, ସୋନପୁରରେ ୨୨.୮, ଭଦ୍ରକରେ ୨୦, ପାରଳାଖେମୁଣ୍ଡିରେ ୧୮.୨, ବାଲେଶ୍ବରରେ ୧୧.୪ ମିମି ବର୍ଷା ରେକର୍ଡ କରାଯାଇଛି। ବୁଧବାର ଦିନରେ ୧୩ଟି ସହରର ତାପମାତ୍ରା ୩୭ ଡିଗ୍ରି ଉପରେ ଥିଲା। ତେବେ ଭୁବନେଶ୍ବର ଓ କଟକ ତାପମାତ୍ରା ପୁଣିଥରେ ୩୭ ଡିଗ୍ରି ଉପରକୁ ଯାଇଛି।

kalabaisakhi
image credit: farmprogress

ଆଜିଠାରୁ ରାଜ୍ୟରେ ବିକ୍ଷିପ୍ତ ଝଡ଼ବର୍ଷା ହେବାର ମଧ୍ଯ ସମ୍ଭାବନା:

ଏପଟେ ଆଜିଠାରୁ ରାଜ୍ୟରେ ବିକ୍ଷିପ୍ତ ଝଡ଼ବର୍ଷା ହେବାର ମଧ୍ଯ ସମ୍ଭାବନା । ସପ୍ତାହ ଶେଷ ପର୍ଯ୍ୟନ୍ତ ଜାରି ରହିବ ବିକ୍ଷିପ୍ତ ଝଡ଼ବର୍ଷା । ଏନେଇ ସୂଚନା ଦେଇଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲ୍‌ସ । ମହାରାଷ୍ଟ୍ରଠାରୁ ଓ଼ଡିଶା ଓ କେରଳଠାରୁ ଶ୍ରୀଲଙ୍କା ପର୍ଯ୍ୟନ୍ତ ରହିବ ଝଡ଼ବର୍ଷା । ଉତ୍ତର ଓଡ଼ିଶାରେ ଶୁଷ୍କ ଓ ଗରମ ଅନୁଭୂତ ହେବ । ଆସନ୍ତା ସପ୍ତାହରୁ ଦେଶରେ ଶୁଷ୍କ ଓ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଜାସନ୍‌ ନିକୋଲ୍‌ସ ଆକଳ କରିଛନ୍ତି । ଉତ୍ତର ପୂର୍ବ ବାଂଲାଦେଶ ଓ ଉତ୍ତର ଓଡ଼ିଶା ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରବାହରେ ସୃଷ୍ଟ ଟ୍ରାପ୍‌ଲାଇନ ଫଳରେ ରାଜ୍ୟର କିଛି କିଛି ଜିଲ୍ଲାରେ ହାଲୁକା ବର୍ଷା ଓ ବିଜୁଳି ସହ ଘଡ଼ଘଡ଼ି ପାଇଁ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆଗାମୀ ୨୪ ଘଣ୍ଟାରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ସ୍ଥାନେ ସ୍ଥାନେ କୁଆପଥର ମାଡ଼ ବି ହୋଇପାରେ । ବିଜୁଳି ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ପାଇଁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୮ ତାରିଖ ଯାଏ ରାଜ୍ୟ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ହୋଇପାରେ । ଆଗାମୀ ୫ଦିନ ଯାଏ ପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି କହିଛି ପାଣିପାଗ ବିଭାଗ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.