Below header

ବିପଦକୁ ଡାକୁଛ ହେ ! କରୋନା ଟେଷ୍ଟିଂ ରେଜିଷ୍ଟ୍ରେସନ୍ ବେଳେ କିଛି ଲୋକ ମିଛ ଠିକଣା ଓ ଫୋନ୍ ନମ୍ବର ଦେଉଛନ୍ତି

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟରେ ଯେତିକି ବଢୁଛି ସଂକ୍ରମଣ ସେତିକି ଚିନ୍ତା ବଢୁଛି ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନର । କିଭଳି କରୋନା ସଂକ୍ରମଣ କମିବ ଏବଂ ଲୋକେ ସଚେତନ ହୋଇ ସୁସ୍ଥ ରହିବେ ସେ ନେଇ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ତଥାପି ଏକଳି କିଛି ଘଟଣା ଘଟୁଛି ଯାହାକୁ ରୋକିବା ପ୍ରଶାସନ କିମ୍ବା ସରକାରଙ୍କ ପକ୍ଷେ ସମ୍ଭବ ହେଉନାହିଁ । ଯେମିତିକି ବାହାରୁ ଆସୁଥିବା ଅନେକ ଲୋକ କ୍ୱାରେଣ୍ଟାଇନ୍‌ରେ ରହିବା ପୂର୍ବରୁ ଯେଉଁ ରେଜିଷ୍ଟ୍ରେସନ୍ କରୁଛନ୍ତି ସେଥିରେ ଭୁଲ ଫୋନ୍ ନମ୍ବର ଏବଂ ଭୁଲ ଠିକଣା ଦେଉଛନ୍ତି । ଯାହାଫଳରେ ସେମାନଙ୍କୁ ଟ୍ରାକ୍ କରିବା କିମ୍ବା ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିବା ନୋଡାଲ ସେଣ୍ଟର ପକ୍ଷେ କଷ୍ଟକର ବ୍ୟାପାର ହୋଇପଡ଼ିଛି ।

ଆପଣମାନଙ୍କୁ ଜଣାଇବାକୁ ଚାହିଁବୁ ଯେ ଭୁବନେଶ୍ୱରରେ ଏଭଳି ଜଣେ ବ୍ୟକ୍ତି ନିଜ ପଡ଼ୋଶୀଙ୍କ ଠିକଣା ଦେଇ କେଉଁଆଡ଼େ ଚାଲିଗଲେ । ସେହିପରି ବ୍ରହ୍ମପୁରର ଜଣେ ବୟସ୍କ ବ୍ୟକ୍ତି ବାହାରୁ ଆସିବା ପରେ ତାଙ୍କର ଟେଷ୍ଟ କରାଯାଇଥିଲା। ହେଲେ ସେ ରେଜିଷ୍ଟ୍ରେସନ୍ ବେଳେ ନିଜ ଫୋନ୍ ନମ୍ବର ବଦଳରେ ଅନ୍ୟ ଜଣକର ଫୋନ୍ ନମ୍ବର ଲେଖି ଦେଇଗଲେ । ଯେତେବେଳେ ତାଙ୍କ ନମୂନା କୋଭିଡ୍ ପଜିଟିଭ ବୋଲି ଜଣାପଡ଼ିଲା ବ୍ରହ୍ମପୁର ମହାନଗର ନିଗମ ତରଫରୁ ତାଙ୍କୁ ଫୋନ୍ କରାଗଲା । ହେଲେ ଫୋନ୍ ଲାଗିଲା ଯାଇ ଅନ୍ୟ ଜାଗାରେ । ଫୋନ୍ ପାଇଥିବା ବ୍ୟକ୍ତି ଜଣକ ଆଶ୍ଚର‌୍ୟ୍ୟ ହୋଇଗଲେ । କାରଣ ବିଏମ୍‌ସି ଖୋଜୁଥିବା ଲୋକ ସେ ନୁହନ୍ତି । ପୁଣି ଜିଲ୍ଲା ମଧ୍ୟ ଅଲଗା । ବିଏମ୍‌ସି ତରଫରୁ ବାରମ୍ବାର ଫୋନ୍ ଆସିବାରେ ଲାଗିଲା । କାରଣ ସେମାନେ ଚାହୁଁଥିଲେ ଜଣେ ପିଜିଟିଭ୍ ଚିହ୍ନଟ ବ୍ୟକ୍ତି ଯେମିତି ଅନ୍ୟଙ୍କୁ ସଂକ୍ରମଇତ ନକରୁ । ଅନ୍ୟପକ୍ଷରେ ଫୋନ୍ ପାଉଥିବା ବ୍ୟକ୍ତି ଜଣକ ବିରକ୍ତ ହୋଇଗଲେ ଯେ ତାଙ୍କୁ କେହି ହୁଏତ ହଇରାଣ କରିବା ପାଇଁ ଏଭଳି ମିଛ କଲ୍ କରୁଛି । ଏହା ସହିତ କରୋନା କାଳରେ ସେ ମଧ୍ୟ ଭୟ କରିଗଲେ । ତେବେ ଶେଷରେ ଉଭୟ ବିଏମ୍‌ସି ଏବଂ ସଂପୃକ୍ତ ବ୍ୟକ୍ତି ସିନା ବୁଝିଲେ ଯେ ଭୁଲ ଫୋନ୍ ନମ୍ବର ଦିଆଯାଇଛି ଏପଟେ ଏଯାଏ କିନ୍ତୁ ଅସଲ ଲୋକ ବା ପଜିଟିଭ୍ ଚିହ୍ନଟ ବ୍ୟକ୍ତିଙ୍କୁ ଖୋଜି ଚାଲିଛି ବ୍ରହ୍ମପୁର ମହାନଗର ନିଗମ ।

ଏଠି କହି ରଖୁଛୁ ଯେ କରୋନା ଆତଙ୍କ ସମୟରେ ଯାହା ବି ବ୍ୟବସ୍ଥା କରାଯାଇଛି ଆମର ସୁବିଧା ପାଇଁ । ହେଲେ ଅନେକ ଅମାନିଆ ତାକୁ ନମାନିବାରୁ ଆଜି ରାଜ୍ୟରେ ପ୍ରତିଦିନ ହଜାର ହଜାର ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଏହା ବ୍ୟତୀତ ରେଜିଷ୍ଟ୍ରେସନ୍ ବେଳେ ଭୁଲ ଠିକଣା ଓ ଫୋନ୍ ନମ୍ବର ଦେଇ ସଂପୃକ୍ତ ବ୍ୟକ୍ତିମାନେ ନିଜର ଓ ନିଜ ପରିବାର ଏବଂ ସମ୍ପର୍କୀୟଙ୍କ ଜୀବନକୁ ବିପଦ ଭିତରକୁ ଟାଣି ଆଣୁଛନ୍ତି । କଣ ଏତିକି ବି ଜ୍ଞାନ ଉଦୟ ହୋଇ ପାରୁନାହିଁ ? ନିଜର ଓ ଅନ୍ୟର ଜୀବନକୁ ବିପଦରେ ପକାଇବା ଅର୍ଥ ଇଏ ଆତ୍ମହତ୍ୟା ଓ ହତ୍ୟା ଭଳି ଅପରାଧ ସହ ସମାନ ନିଶ୍ଚୟ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.