ଚାଷୀ ପୁଅର ଡାକ୍ତର ହେବା ଇଚ୍ଛା ପୂରଣ କଲେ ଡ. ଅଚ୍ୟୁତ ସାମନ୍ତ, କିସ୍‌ରେ ପଢ଼ିବା ପରେ ଏବେ ଉତ୍ତୀର୍ଣ୍ଣ ହେଲେ ନିଟ୍

ଭୁବନେଶ୍ୱର(କେ ନ୍ୟୁଜ): ଦୃଢ଼ ଇଚ୍ଛାଶକ୍ତି ଥିଲେ ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ଲକ୍ଷ୍ୟ ପଥରେ ପହଞ୍ଚିବା ସମ୍ଭବ ହୋଇଥାଏ । ସେ କେବେ ବି ଆଶା କରି ନ ଥିଲେ ଯେ ଦିନେ ଜଣେ ଡାକ୍ତରୀ ପଢି଼ ପାରିବେ ବୋଲି । କିନ୍ତୁ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ବଳରେ ସେ ତାଙ୍କର ସ୍ୱପ୍ନ ସାକାର କରିଛନ୍ତି। ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଦୁର୍ଗମ ଅଞ୍ଚଳର ଏକ ନିପଟ ଗାଁ ଦୁଦୁରାର ଜନଜାତି ସଂପ୍ରଦାୟର ପୃଥ୍ଵୀରାଜ ଘଣ୍ଟ ନିଜର ଦୃଢ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ବଳରେ ଚଳିତବର୍ଷ ନିଟ୍ ପରୀକ୍ଷାରେ ସଫଳତା ହାସଲ କରି କଟକ ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜରେ MBBS ପାଠ୍ୟକ୍ରମରେ ନାମ ଲେଖାଇଛନ୍ତି।

ପୃଥ୍ୱୀରାଜଙ୍କ ବାପା ଜଣେ ଗରିବ ଓ ନାମମାତ୍ର ଚାଷୀ। ସ୍ୱଳ୍ପ ରୋଜଗାରରେ ୬ ପ୍ରାଣୀ କୁଟୁମ୍ବ ଚଳାଇବା ତାଙ୍କ ପକ୍ଷେ କଷ୍ଟକର ହୋଇପଡି଼ଥିଲା। ପୃଥ୍ୱୀରାଜ ପିଲାବେଳୁ ଜଣେ ମେଧାବୀ ଛାତ୍ର ଥିଲେ। ସର୍ବଦା ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରୁଥିଲେ। ଗାଁ ସ୍କୁଲରେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢିବା ପରେ ଭୁବନେଶ୍ୱରସ୍ଥିତ କିସ୍‌ରେ ଚତୁର୍ଥ ଶ୍ରେଣୀରେ ନାମ ଲେଖାଇଥିଲେ। କିସ୍‌ରେ ସେ ସର୍ବଦା ପାଠ ପଢ଼ାରେ ଲୟ । ଏଇଠି ତାଙ୍କର ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ପୃଥ୍ୱୀରାଜଙ୍କ ମନରେ ଆଶା ସଞ୍ଚାର ହୋଇଥିଲା । ପାଠପଢ଼ାରେ ତାଙ୍କର ଆଗ୍ରହ ଓ ଅଧ୍ୟବସାୟକୁ ଦେଖି କିସ୍‌ କର୍ତ୍ତୃପକ୍ଷ ତାଙ୍କୁ ଅଧିକ ଉତ୍ସାହିତ କରି ଆସୁଥିଲେ। ପାଠପଢା଼ରେ ସେ କେମିତି ଅଧିକରୁ ଅଧିକ ଭଲ କରିବେ ସେଥିପାଇଁ କିସ୍‌ର ଶିକ୍ଷକ ଶିକ୍ଷୟିତ୍ରୀମାନେ ତାଙ୍କୁ ନିୟମିତ ତଦାରଖ କରି ଆସୁଥିଲେ।

kiss

କିସ୍‌ରେ ପୃଥ୍ୱୀରାଜ ଦ୍ୱାଦଶ ଶ୍ରେଣୀରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହେବା ପରେ ନିଟ୍ ପରୀକ୍ଷା ଦେବା ସହ +୩ ବିଜ୍ଞାନରେ ନାମ ଲେଖାଇଥିଲେ। ନିଟ୍ ପରୀକ୍ଷା ପାଇଁ କିସ୍ ତାଙ୍କୁ ଉପଯୁକ୍ତ କୋଚିଂ ପ୍ରଦାନ କରିଆସୁଥିଲା। ଚଳିତବର୍ଷ ନିଟ୍ ପରୀକ୍ଷାରେ ସେ ସଫଳତା ହାସଲ କରି ଏମବିବିଏସରେ ନାମ ଲେଖାଇଛନ୍ତି। କିସ୍‌ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନିରନ୍ତର ଉତ୍ସାହ ଓ ପ୍ରୋତ୍ସାହନ ଯୋଗୁଁ ମୁଁ ଆଜି ଏହି ସଫଳତା ପାଇପାରିଛି ବୋଲି ପୃଥ୍ଵୀରାଜ କହିଛନ୍ତି। ଶ୍ରୀ ସାମନ୍ତ ପୃଥ୍ଵୀରାଜଙ୍କ ଏହି ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ସାମନ୍ତ କହିଛନ୍ତି ପୃଥ୍ଵୀରାଜଙ୍କ ଡାକ୍ତରୀ ପାଠ ପଢ଼ା ଖର୍ଚ୍ଚ କିସ୍‌ ଫାଉଣ୍ଡେସନ ମଧ୍ୟ ବହନ କରିବ। ସୂଚନାଯୋଗ୍ୟ ଚଳିତବର୍ଷ ନିଟ୍  ପରୀକ୍ଷାରେ କିସ୍‌ର ୬ ଜଣ ଛାତ୍ରଛାତ୍ରୀ କ୍ୱାଲିଫାଏ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.