Below header

କରୋନା ପାଇଁ ସରକାରଙ୍କ ବଡ ପଦକ୍ଷେପ, ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ଘୋଷଣା କଲେ ରାଜ୍ୟ ସରକାର

ଦେଶରେ କରୋନା ସୃଷ୍ଟି କରିଛି ଭୟର ବାତାବରଣ । ଦିନକୁଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ସାରା ଦେଶକୁ ଲକଡାଉନ ଘୋଷଣା କରିଛନ୍ତି । ତେବେ ଏହି ସମୟରେ ବେରୋଜଗାରୀ ହୋଇଥିବା ନିର୍ମାଣ ଶ୍ରମିକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଏହି ଅର୍ଥରାଶି ନଗଦ ଆକାରରେ ଶ୍ରମିକମାନଙ୍କ ଘରକୁ ଘର ଯାଇ ବଣ୍ଟନ କରାଯିବ । ଏ ନେଇ ଆଜି ଶ୍ରମ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଶ୍ରମ କମିସନରଙ୍କୁ ଚିଠି ଲେଖିଛନ୍ତି । ଆଉ ତାପରେ ଶ୍ରମ କମିସନର ସମସ୍ତ ଜିଲ୍ଲାପାଳ ଓ ୫ଟି ମହାନଗର ନିଗମ କମିସନରଙ୍କୁ ଚିଠି ଲେଖି ଅର୍ଥ ବଣ୍ଟନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରମ କମିସନର ଏନ୍‌. ଥିରୁମକ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ।

କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ରେ ପଞ୍ଜୀକୃତ ହୋଇଥିବା ଶ୍ରମିକମାନଙ୍କୁ ଏହି ରାଶି ପ୍ରଦାନ କରାଯିବ । ଏନ୍‌ଆଇସି ଦ୍ବାରା ପ୍ରସ୍ତୁତ ଶ୍ରମିକମାନଙ୍କ ଡାଟାବେସ୍‌ ସମସ୍ତ ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମକୁ ପ୍ରଦାନ କରାଯାଇଛି । ସ୍ବତନ୍ତ୍ର ସହାୟତା ରାଶି ସମ୍ପୃକ୍ତ ହିତାଧିକାରୀମାନଙ୍କ ଘର ଦୁଆରେ କିମ୍ବା ସେମାନଙ୍କ ଗାଁରେ ଥିବା ନିର୍ଦ୍ଦିଷ୍ଟ ସ୍ଥାନରେ ସାମାଜିକ ଦୂରତା ରକ୍ଷା କରି ବଣ୍ଟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଆବଶ୍ୟକ ଅର୍ଥରାଶି ଉଭୟ ଜିଲ୍ଲା ଶ୍ରମଅଧିକାରୀ ଓ ଜିଲ୍ଲାପାଳଙ୍କ ନାମରେ ଥିବା ଯୁଗ୍ମ ବ୍ୟାଙ୍କ ଖାତାକୁ ପଠାଇ ଦିଆଯାଇଛି।

ସୂଚନା ଅନୁଯାୟୀ ସହାୟତା ଅର୍ଥ ପ୍ରଦାନ କରିବା ବେଳେ ହିତାଧିକାରୀମାନଙ୍କର ବ୍ୟାଙ୍କ୍‌ ପାସ୍‌ବୁକ୍‌, ଆଧାର କାର୍ଡ଼ ଓ ପଞ୍ଜୀକୃତ ହୋଇଥିବା ମୋବାଇଲ୍‌ ନମ୍ବର ଯାଞ୍ଚ କରାଯିବ । ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଶ୍ରମିକ କିମ୍ବା ଗତ ୩ ବର୍ଷ ଧରି ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠି ବାବଦରେ କୌଣସି ଜମା ଦେଇନଥିବା କିମ୍ବା ମୃତ୍ୟୁ ହୋଇଥିବା ଶ୍ରମିକମାନଙ୍କର ତଥ୍ୟ ଅଲଗା ଫର୍ମରେ ସଂଗ୍ରହ କରାଯିବ । ପରବର୍ତ୍ତୀ ସମୟରେ ସେମାନଙ୍କୁ ଏହି ଅର୍ଥ ପ୍ରଦାନ ନେଇ ଜିଲ୍ଲା ଶ୍ରମ ଅଧକାରୀ ନିଷ୍ପତ୍ତି ନେବେ । ଅର୍ଥ ନେବାକୁ ଆସିଥିବା ପଞ୍ଜୀକୃତ ଶ୍ରମିକ ବିଓସି କାର୍ଡ଼୍‌ ଦେଖାଇବା ସହିତ ଆର୍ଥିକ ସହାୟତା ପ୍ରଦାନରେ ଯେପରି ସମ୍ପୂର୍ଣ୍ଣ ସ୍ବଚ୍ଛତା ରହିବ, ସେଥିପାଇଁ ଜିଲ୍ଲାପାଳ କିମ୍ବା ମହାନଗର ନିଗମ କମିସନର ଆବଶ୍ୟକ ପଦକ୍ଷେପ ନେଉଛନ୍ତି । ସପ୍ତାହରେ ଏନେଇ ଜିଲ୍ଲା ପ୍ରଶାସନ ଏକ ରିପୋର୍ଟ ପ୍ରଦାନ କରିବେ । ତେବେ ଏହି ଯୋଜନାର କାର୍ଯ୍ୟକାରିତାରେ ଯଦି କୌଣସି ଅନିୟମିତତା କିମ୍ବା ଆର୍ଥିକ ହେରଫେର୍‌ ଅଭିଯୋଗ ହୁଏ ତାହେଲେ ସେଥିପାଇଁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଆଇନ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ବୋଲି କମିସନର ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.