Below header

ରୋଗୀଣା ଦମକଳ ଖୋଜୁଛି ଠେଲା, ନିଆଁ ଲିଭାଇବା ବେଳେ ଫେଲ ମାରିଲା

କୋରାପୁଟ(କେ ନ୍ୟୁଜ): ସକାଳୁ ସକାଳୁ ଧାନ ଖଳାରେ ଲାଗିଲା ନିଆଁ ଆଉ ନିଆଁ ଆୟତ୍ତ କରିବାକୁ ଖୋଜା ପଡିଲା ଦମକଳ ବାହିନୀ । କିନ୍ତୁ ଯଥା ସମୟରେ ଫେଲ ମାରିଲା ଦମକଳ ବାହିନୀ । ଘଟଣା ଟି ପ୍ରକୃତରେ ଘଟିଛି ଏହିପରି । ଖବର ପାଇ ତତକ୍ଷଣାତ ନିଆଁ ଲିଭାଇବାକୁ ଦମକଳ ବାହିନୀ ଆସିଲା ସିନା କିନ୍ତୁ ଅଧା ବାଟରେ ଆଣ୍ଠେଇ ପଡିଲା । ଏମିତି କିଛି ଚିତ୍ର ଆଜି କୋରାପୁଟ ଜୟପୁରର ଗଡପଦର ଅଞ୍ଚଳରେ ଦେଖିବାକୁ ମିଳିଛି । ସ୍ଥାନୀୟ ଦେବେନ୍ଦ୍ର ରାୟଙ୍କ ଧାନ ଖଳାରେ ରଖାଯାଇଥିବା ପାଳ ଗଦାରେ ନିଆଁ ଲାଗିଯାଇଥିଲା । ଧିରେ ଧିରେ ନିଆଁ ଉଗ୍ର ରୁପ ନେବାକୁ ଲାଗିଲା । ଆଖପାଖରେ ଥିବା ଘରଗୁଡିକୁ ନିଆଁ ବ୍ୟାପିବା ଆଶଙ୍କା ନେଇ ଗଡପଦର ଗ୍ରାମବାସୀ ଜୟପୁର ଦମକଳବାହିନୀଙ୍କୁ ତୁରନ୍ତ ସୁଚନା ଦେଇଥିଲେ । ଖବର ପାଇବା ପରେ ଅଗ୍ନିଶମ ବିଭାଗର ଗୋଟିଏ ଟିମ୍ ଆସି ପହଞ୍ଚିଥିଲେ ।

 

ନିଆଁ ଲାଗିଥିବା ଧାନଖଳା ପାଳଗଦା ପାଖକୁ ଯାଇ ନିଆଁ ଆୟତ୍ତ କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ ମଧ୍ୟ ଯାନ୍ତ୍ରିକ ତ୍ରୁଟି କାରଣରୁ ଦମକଳ ଗାଡିଟି ହଠାତ ବନ୍ଦ ହୋଇଯାଇଥିଲା । ଗାଡ଼ି ଡ୍ରାଇଭରଙ୍କ ଶତ ଚେଷ୍ଟା ପରେ ମଧ୍ୟ ଷ୍ଟାର୍ଟ ନହେବା ଫଳରେ ଅନ୍ୟ ଉପାୟ ନପାଇ ଆଖପାଖ ଲୋକଙ୍କ ସହାୟତାରେ ଗାଡ଼ିଟି କୁ ଠେଲି ଠେଲି ଷ୍ଟାର୍ଟ କରାଗଲା । ଏହି ସମୟରେ ଯେଣତେଣ ପ୍ରକାରରେ ନିଆଁକୁ ଆୟତ୍ତ କରାଯାଇଥିଲା । ଦମକଳ ଗାଡ଼ିର ବ୍ୟାଟେରୀ ଡାଉନ ହୋଇଯିବା କାରଣରୁ ଗାଡ଼ି ଟି ଅଧାରୁ ବନ୍ଦ ହୋଇଯାଇଥିବା ନେଇ ପରେ ଜଣାପଡିଥିଲା । ଇମାର୍ଜେନ୍ସି ଚାର୍ଜରେ ଥିବା ଅଗ୍ନିଶମ ବିଭାଗ ପ୍ରତିଟି ମୁହୂର୍ତ୍ତରେ ସଜାଗ ରହିବାକୁ ନିର୍ଦ୍ଦେଶଥାଏ । କିନ୍ତୁ ଏଭଳି ପରିସ୍ଥିତିରେ ଦମକଳ ଗାଡି ଆଣ୍ଠେଇ ଯିବା ଘଟଣା ବିଭାଗ ପ୍ରତି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.