Below header

କେବିସିରେ ୫୦ ଲକ୍ଷ ଟଙ୍କା ଜିତି ଚର୍ଚ୍ଚାରେ ତେଜ୍‌, ପୁଅର ସଫଳତାରେ ଭାବବିହ୍ଵଳ ମା’ କହିଲେ ଏମିତି କିଛି 

ଦାରିଦ୍ର୍ୟ ଜଣେ ବ୍ୟକ୍ତିର ପଥରେ ବାଧା ଆଣିପାରେ ହେଲେ ତାକୁ ତା’ର ଲକ୍ଷ୍ୟ ପଥରୁ ବିଚ୍ୟୁତ କରିପାରେ ନାହିଁ । ଯଦି ଜଣେ ବ୍ୟକ୍ତି ନିକଟରେ ଦୃଢ଼ ଇଚ୍ଛା ଶକ୍ତି ଥାଏ ସେ ସବୁ ବାଧା ବିଘ୍ନକୁ ପ୍ରତିହତ କରି ତା’ର ଲକ୍ଷ୍ୟସ୍ଥଳରେ ପହଞ୍ଚିଥାଏ । ଦାରିଦ୍ର୍ୟର କଷଣ ମଧ୍ୟରୁ ବାହାରି ନିଜକୁ ପ୍ରତିଷ୍ଠିତ କରିଥିବା ଏମିତି ଜଣେ ହେଉଛନ୍ତି ଉତ୍ତରପ୍ରଦେଶ ଦେବାରନିୟା ଅଂଚଳର ୨୦ ବର୍ଷୀୟ ତେଜ ବହାଦୁର ସିଂହ । ତାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ଲୋକପ୍ରିୟ ଗେମ ସୋ’ କେବିସିରେ ୫୦ ଲକ୍ଷ ଟଙ୍କା ଜିତି ସମସ୍ତଙ୍କୁ ଚକିତ କରିଛନ୍ତି ତେଜ । ଦେବରନିୟା ନିବାସୀ ତେଜ ବହାଦୁରଙ୍କ ପିତା ହରଚରଣ ହେଉଛନ୍ତି ଜଣେ ସଂସ୍କୃତ ଶିକ୍ଷକ । ଆଉ ତେଜ ବର୍ତ୍ତମାନ ସମୟରେ ପଲିଟେକ୍ନିକ କଲେଜରେ ସିଭିଲ ଇଂଜିନିୟରିଙ୍ଗ କରୁଛନ୍ତି । କିନ୍ତୁ ପରିବାରର ଆର୍ଥିକ ଅବସ୍ଥା ସେତେଟା ଭଲ ନାହିଁ । ଘରର ଅବସ୍ଥା ଏମିତି ଯେ ଘରକୁ ଏଯାବତ ବିଜୁଳି ସଂଯୋଗ ହୋଇପାରିନି ।

tej bahadur

କିନ୍ତୁ ଏପରି ସ୍ଥିତିରେ ବି ସ୍ବପ୍ନ ଦେଖିବା ଛାଡ଼ି ନାହାନ୍ତି ତେଜ ।ଭଵିଷ୍ୟତରେ ଜଣେ ଆଇଏଏସ ହେବାର ସ୍ବପ୍ନ ଦେଖିଛନ୍ତି ତେଜ । ଘରର ସ୍ଥିତି ସୁଧାରିବା ପାଇଁ ଲକ ଡାଉନ ସମୟରେ ଟ୍ୟୁସନ କରିବା ଆରମ୍ଭ କରିଥିଲେ ୨୦ ବର୍ଷୀୟ ଏହି ଯୁବକ ଜଣଙ୍କ । ଏବେ ସେ ଚାଷ ଜମିରେ ଜଣେ ମୂଲିଆ ଭାବରେ କାମ କରୁଛନ୍ତି । ଏକ ସମ୍ବାଦପତ୍ରକୁ ସାକ୍ଷାତ୍କାର ଦେବା ସମୟରେ ତେଜ କହିଛନ୍ତି କି ଲକ୍‌ଡାଉନ ସମୟରେ ତାଙ୍କ ବାପାଙ୍କ ଚାକିରି ଚାଲିଯାଇଥିଲା । ଏହି ସମୟରେ ପୁରା ପରିବାରର ବୋଝ ତେଜଙ୍କ ଉପରେ ହିଁ ପଡିଥିଲା। ଏହି କାରଣରୁ ହିଁ ଚାଷ ଜମିରେ ଜଣେ ମୂଲିଆ ଭାବରେ କାମ ଆରମ୍ଭ କରିଥିଲେ । ନିଜ ପାଠପଢା ପାଇଁ କିଛି କମ କଠିନତାର ସାମ୍ନା କରିବାକୁ ପଡିନି ତେଜଙ୍କୁ । ପରିବାରର ସ୍ଥିତି ଭଲ ନଥିବାରୁ ପୁଅର ଡିପ୍ଲୋମା ପଢ଼ା ପାଇଁ ମାଁ ରାଜକୁମାରୀଙ୍କୁ ନିଜ ଗହଣାକୁ ବନ୍ଧକ ରଖିବାକୁ ପଡିଥିଲା ।

ଉଚ୍ଚଶିକ୍ଷା ପାଇଁ ତେଜ ସହରକୁ ଯିବାକୁ ଚାହୁଁଥିଲେ ମଧ୍ୟ ପିତାଙ୍କ ସ୍ୱଳ୍ପ ଆୟ କାରଣରୁ ଏପରି ସମ୍ଭବ ହୋଇପାରିନଥିଲା । ବିଦ୍ୟାଳୟରେ ଜଣେ ସଂସ୍କୃତ ଶିକ୍ଷକ ଭାବରେ କାର୍ଯ୍ୟରତ ତେଜଙ୍କ ପିତା ମାତ୍ର ୫ ହଜାର ୫୦୦ ଟଙ୍କା ଦରମା ଆକାରରେ ପାଉଛନ୍ତି । ଏତିକି ଟଙ୍କାରେ ଦୁଇ ପିଲାଙ୍କୁ ମଣିଷ କରିବା ସହ ଘରର ଗୁଜୁରାଣ ମେଣ୍ଟାଇବା ଖୁବ କଷ୍ଟକର ହୋଇପଡ଼ିଥିଲା ପିତା ହରଚରଣଙ୍କ ପାଇଁ । ଏହି କାରଣରୁ ତେଜଙ୍କ ମାଁ ଅନେକ ଥର ନିଜ ଗହଣା ବନ୍ଧକ ଆକାରରେ ମଧ୍ୟ ରଖିଛନ୍ତି । କିନ୍ତୁ ଏକ ଅନ୍ତର୍ଜାତୀୟସ୍ତରର ଏକ ଶୋ’ରେ ପୁଅ ସଫଳତା ପାଇବା ପରେ ଭାବବିହ୍ୱଳ ହୋଇ ପଡିଛନ୍ତି ତେଜଙ୍କ ମାଁ । ଆଉ ଛଳ ଛଳ ଆଖିରେ କହିଛନ୍ତି ମୋ’ ପୁଅ ସମସ୍ତଙ୍କ ପାଇଁ ଆଦର୍ଶ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.