ବାଙ୍କୀ : କାଠ ବେପାରୀଙ୍କ ଠାରୁ ମାସିକିଆ ବଟି ନେଉଛନ୍ତି ବନ ଅଧିକାରୀ, ଯାଞ୍ଚ ହେଉ ଭାଇରାଲ ଅଡ଼ିଓ

ବାଙ୍କୀ : ଅଭିଯୋଗ ଫରେଷ୍ଟର ବାବୁଙ୍କ ନାଁରେ । ନିଜ ପଡ଼ିଆରେ ଜାଳେଣି କାଠ ବିକ୍ରି କରିବାକୁ ରଖିଥିବା ଜଣେ ବ୍ୟକ୍ତିଙ୍କ ଠାରୁ ମାସିକିଆ ବଟି ମାଗିଥିବାର ଏକ ଅଡ଼ିଓ ଏବେ ଘୂରି ବୁଲୁଛି କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ । ଏଥିରେ ଜଙ୍ଗଲ ଅଧିକାରୀ କହୁଛନ୍ତି, ଅଧିକ ଟଙ୍କା ନଦେଲେ କାଠ ବିକ୍ରି କରି ପାରିବ ନାହିଁ । ଏହି ଧମକ ଦେବା ପରେ କାଠ ବେପାରୀ ଜଣକ ଜାଳେଣି ବିକ୍ରି କରିବାକୁ ମାସିକିଆ କମିଶନ ଦେଇ ମୌଖିକ ଭାବେ ଅନୁମତି ଆଣି ବ୍ୟବସାୟ କରୁଥିଲେ।

ମାସିକ ହଜାର ଟଙ୍କା ଲେଖାଏଁ ଚାରି ମାସ ପାଇଁ ଆଗୁଆ ଚାରି ହଜାର ଟଙ୍କା ଦେଲେ । ଫରେଷ୍ଟରଙ୍କ ଫୋନପେ ଆକାଉଣ୍ଟରେ କୁଆଡ଼େ ଜାନୁଆରୀ ମାସରେ ଦୁଇଥରରେ ଏପ୍ରିଲ ମାସ ପର୍ଯ୍ୟନ୍ତ ଏହି ଟଙ୍କା ଦେଇଥିଲେ । ତେବେ ପରେ ପୁଣି ଆହୁରି ଅଧିକ ଟଙ୍କା ମାଗିଲେ ଫରେଷ୍ଟର । ନଦେଲେ ମିଛ କେସ୍‌ କରି ଫସାଇ ଦେବେ କହି ଫୋନ ମାଧ୍ୟମରେ ମାଗିଲେ ଟଙ୍କା । ନ ଦେବାରୁ ସଂପୃକ୍ତ ବେପାରୀଙ୍କ ନାମରେ ମୋକଦ୍ଦମା ରୁଜୁ କରିଛନ୍ତି ଫରେଷ୍ଟର ବାବୁ ଜଣକ।

ଏହି ଅଭିଯୋଗ ଆସିଛି ବାଙ୍କୀ ବ୍ଲକ ବୈଦେଶ୍ୱର ବନବିଭାଗରେ କାର୍ଯ୍ୟରତ ଫରେଷ୍ଟର ରାକେଶ କୁମାର ପଣ୍ଡାଙ୍କ ବିରୋଧରେ। ସେ ବଘେଇ ଗ୍ରାମର ପ୍ରମୋଦ କୁମାର ନାୟକ ନାମକ ଯୁବକଙ୍କ ଠାରୁ ଚାରି ମାସ ପାଇଁ ଆଗୁଆ ଜାନୁଆରୀ ୨୬ ତାରିଖରେ ୧ ହଜାର ଟଙ୍କା ଆଉ ଦୁଇଦିନ ପରେ ୨୮ ତାରିଖରେ ତିନି ହଜାରଟଙ୍କା ଏପରି ୪ ହଜାର ଟଙ୍କା ମାସିକିଆ ବଟି ଆକାରରେ ନେଇଛନ୍ତି। ତାହା ପୁଣି ଫୋନପେ ମାଧ୍ୟମରେ । ଏହି ଘଟଣାର ଅଡିଓ ଏବଂ ଫୋନ୍‌ ପେ ଫଟୋ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଥିବାର ଦେଖାଯାଇଛି।
ଭାଇରାଲ ଅଡିଓ ଓ ଫୋନପେ ଫଟୋ ସମ୍ପର୍କରେ ଫରେଷ୍ଟର ପଣ୍ଡାଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ । ତେବେ ସେ ପ୍ରଶ୍ନକୁ ଏଡ଼ାଇ ଯାଇ ଖୋର୍ଦ୍ଧା ରେଞ୍ଜର ଏ ସମ୍ପର୍କରେ କହିବେ ବୋଲି କହିଥିଲେ । ଏହି ଘଟଣାର ସଠିକ୍‌ ତଦନ୍ତ ହେଲେ ପ୍ରକୃତ ସତ୍ୟ ପଦାକୁ ଆସିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.