Below header

ଚାରି ଜଣ ସରପଞ୍ଚ ବଦଳିଲେଣି ହେଲେ କଳାବତୀଙ୍କୁ ମିଳିପାରିଲାନି ଆବାସ ଯୋଜନାରେ ଘର ଖଣ୍ଡିଏ

ପନ୍ଦର ବର୍ଷ ହେଲାଣି ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ଆବେଦନ କରି ଆସୁଛନ୍ତି କଣିଁହା ବ୍ଲକ ରେଙ୍ଗାଳି ଗ୍ରାମର କଳାବତୀ ବିଶି । ହେଲେ ଫଳ ଶୂନ । ଏହାରି ଭିତରେ ଚାରି ଚାରିଜଣ ସରପଞ୍ଚ ବଦଳିଲେଣି । ସମସ୍ତେ କେବଳ ଆଶ୍ୱାସନା ଦେଇଚାଲିଛନ୍ତି ସତ , ହେଲେ ଘର ଖଣ୍ଡିଏ ମିଳିପାରୁନି କଳାବତୀଙ୍କୁ ।

କଣିଁହା(କେନ୍ୟୁଜ୍): ଭୋଟର ନିଜର ବହୁମୂଲ୍ୟ ଭୋଟ୍ ଦେଇ ବାଛିଥାନ୍ତି ସରପଞ୍ଚ, ସମିତି ସଭ୍ୟ, ବିଧାୟକ ଓ ସାଂସଦ ମାନଙ୍କୁ । କାରଣ ନିଜ ଅଞ୍ଚଳ , ରାଜ୍ୟ ଓ ଦେଶର ସର୍ବାଙ୍ଗୀନ ଉନ୍ନତି ଯେପରି ସେମାନଙ୍କ ମାଧ୍ୟମରେ ହୋଇପାରିବ। ବହୁ ଗରିବ ପରିବାରକୁ ଆବାସ ଯୋଜନାରେ ଘରଠାରୁ ଆରମ୍ଭ କରି ପାଇଖାନା , ଗୁହାଳଘର, ଗ୍ରାମକୁ ରାସ୍ତା ଓ ଡ୍ରେନ୍ ଆଦି ସରକାର ଯୋଗାଇ ଦେଉଥିବାବେଳେ, ମୁଣ୍ଡ ଗୁଞ୍ଜିବାକୁ ଛାତ ନଥିବା ଅନେକ ପରିବାରକୁ ପକ୍କାଘର ଦେଇ ସେମାନଙ୍କ ପରିବାର ମୁହଁରେ ହସ ଫୁଟାଇଛନ୍ତି । କିନ୍ତୁ କଣିଁହା ବ୍ଲକ ରେଙ୍ଗାଳି ଗ୍ରାମରେ ଦେଖିବାକୁ ମିଳିଛି ଏହାର ବ୍ୟତିକ୍ରମ ।

ଷାଠିଏ ବର୍ଷିୟା କଳାବତୀ ବିଶି । ତାଙ୍କ ସ୍ଵାମୀ, ଶାଶୁ ଓ ଗୋଟିଏ ପୁଅକୁ ନେଇ ତାଙ୍କ ଛୋଟ ପରିବାର । ଅନେକ ଦିନ ହେବ ଶ୍ଵଶୁରଙ୍କ ଦେହାନ୍ତ ହେଇସାରିଛି । ଶ୍ୱଶୁର ତାଙ୍କ ସମୟରେ ଯେଉଁ ଟାଇଲ୍ ଘର ଖଣ୍ଡିଏ ତିଆରି କରିଥିଲେ ସେହି ଘରେ ରହି ଆସୁଛନ୍ତି କଳାବତୀ ଓ ତାଙ୍କ ପରିବାର । ଶ୍ୱଶୁର ଯାହା ଜମିବାଡି କରିଥିଲେ କଳାବତୀଙ୍କ ସ୍ୱାମୀ ଜମିବାଡି ବିକ୍ରି କରି ଦୁଇ ଝିଅଙ୍କୁ ବିବାହ କରିଦେଲେ । ପୁଅ ଦଶମ ଯାଏଁ ପଢିବା ପରେ ତାଙ୍କ ପାଠରେ ଡୋରି ପଡିଲା । ଅଠର ବର୍ଷର ପୁଅ ବାହାରେ ଯାଇ ଏବେ ଦାଦନ ଖଟୁଥିବାବେଳେ ସ୍ୱାମୀ ପର କିଆରୀରେ ମୁଲ ଖଟୁଛନ୍ତି ।

ପନ୍ଦର ବର୍ଷ ହେଲାଣି ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ଆବେଦନ କରି ଆସୁଥିବା ମଧ୍ୟ ଫଳ ଶୂନ । ଏହାରି ଭିତରେ ଚାରି ଚାରିଜଣ ସରପଞ୍ଚ ବଦଳିଲେଣି । ସମସ୍ତେ କେବଳ ଆଶ୍ୱାସନା ଦେଇଚାଲିଛନ୍ତି ସତ , ହେଲେ ଘର ଖଣ୍ଡିଏ ମିଳିପାରୁନି କଳାବତୀଙ୍କୁ । ବାରମ୍ବାର ସରପଞ୍ଚ ଠାରୁ ବିଡ଼ିଓ ଙ୍କ ପାଖକୁ ଧାଇଁ ଧାଇଁ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବାର ଆଶା ମନରୁ ମରିଗଲାଣି କଳାବତୀଙ୍କର । ଘରର କାନ୍ଥ ଫାଟି ଆଁ କରି ରହିଛି । କେତେବେଳେ କାନ୍ଥ ଭୁଷୁଡିବ , କହିହେବନାହିଁ । ହେଲେ ମଧ୍ୟ ଜୀବନକୁ ବାଜି ଲଗାଇ ସେହି କାନ୍ଥ ଫଟା ଘରେ ରହୁଛନ୍ତି ସ୍ୱାମୀ , ଶାଶୁ ଓ କଳାବତୀ ।

ଏପଟେ ଆମର କଣିଁହା ପ୍ରତିନିଧି ଏ ଘଟଣା ବିଷୟରେ ଜାଣିବାପରେ ସାକ୍ଷାତ କରିଥିଲେ କଣିଁହା ବିଡ଼ିଓ ଙ୍କୁ । ବିଡ଼ିଓ କହିଛନ୍ତି ତଦନ୍ତ କରି ଦେଖିଲାପରେ , ଯଦି ସେ ଯୋଗ୍ୟ ତେବେ ତାଙ୍କୁ ନିଶ୍ଚୟ ଆବାସ ଯୋଜନାରେ ଘରଟିଏ ମିଳିବ ।

ତେବେ ଏଠି ପ୍ରଶ୍ନ ଉଠୁଛି , ପନ୍ଦର ବର୍ଷ ମଧ୍ୟରେ ଅନେକ ବିଡ଼ିଓ ଗଲେଣି, ହେଲେ ଏ ପର୍ଯ୍ୟନ୍ତ କେମିତି କଳାବତୀଙ୍କୁ ଘର ଖଣ୍ଡିଏ ପାଇପାରିନି ? ପଞ୍ଚାୟତରେ ସରପଞ୍ଚଙ୍କ କାମ ପ୍ରକୃତରେ କ’ଣ ? କଳାବତୀଙ୍କ ଦୁଃଖ ସମସ୍ତେ ଦେଖୁଛନ୍ତି ହେଲେ ସଭିଏଁ ଚୁପ୍ । ଗରିବ ଶ୍ରେଣୀର ହୋଇଥିବା ବେଳେ ଭାଗ୍ୟର ବିଡମ୍ବନା ଯୋଗୁଁ ଏକମାତ୍ର ପୁଅ ଦାଦନ ଖଟୁଥିବାବେଳେ ସ୍ୱାମୀ ପର ପାଖରେ ମୂଲ ଲାଗୁଛନ୍ତି । ଏଣୁ ଭଲ ଘରଟିଏ ମଧ୍ୟ ତିଆରିକରିବା ତାଙ୍କ ପାଇଁ ସମ୍ଭବପର ହୋଇପାରୁନାହିଁ । ସାମାନ୍ୟ ବର୍ଷାରେ ପାଣି ଗଳି ଘର ଭିତର କାଦୁଅ ହୋଇଯାଉଛି । ଦେଖିବାକୁ ବାକି ରହିଲା ପ୍ରଶାସନର ନଜର କେବେ ପଡୁଛି କଳାବତୀଙ୍କ ଉପରେ ?

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.