Below header

କେଉଁଠୁ ଲଢ଼ିବେ ଧର୍ମେନ୍ଦ୍ର ପ୍ରଧାନ ? ୧୯’ରେ ପ୍ରାର୍ଥୀ ହେବେ କି ନାହିଁ ?

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପାଲଲହଡ଼ାରେ ଏକ କାର୍ଯ୍ୟକ୍ରମରେ ନିର୍ବାଚନ ଲଢ଼ିବା ନେଇ ଏମିତି କିଛି ଇସାରା ଦେଇଥିଲେ ଧର୍ମେନ୍ଦ୍ର ପ୍ରଧାନ । କିନ୍ତୁ ବିଜେପି ଜାରି କରିଥିବା ପ୍ରଥମ ତାଲିକାରେ ତାଙ୍କ ନାଁ ନାହିଁ। ୧୦ ଜଣିଆ ଲୋକସଭା ପ୍ରାର୍ଥୀ କି ଶହେ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକାରେ ନାହିଁ ବିଜେପିର ଏହି ଓଡ଼ିଶା ଫେସ୍‌ ହେଭିେଓ୍ଵଟଙ୍କ ନାଁ । ଚର୍ଚ୍ଚା ହେଉଥିଲା ପାଲଲହଡ଼ା କିମ୍ବା ତାଳଚେରରୁ ଧର୍ମେନ୍ଦ୍ର ଏଥର ଲଢ଼ି ପାରନ୍ତି । ପାଲଲହଡ଼ାରେ ବିଜେପି ଅଶୋକ ମହାନ୍ତିଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଳଚେରରେ କାଳନ୍ଦୀ ସାମଲଙ୍କ ନାଁରେ ମୋହର ମାରିଛି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି। କୁହାଯାଉଛି ଭୁବନେଶ୍ୱର ଉତ୍ତର ବିଧାନସଭା ସିଟ୍‌ ଉପରେ ଆଖି ପକାଇଛନ୍ତି ଧର୍ମେନ୍ଦ୍ର। ଏଠାରୁ ସେ ପ୍ରାର୍ଥୀ ହୋଇପାରନ୍ତି । ନହେଲେ ସମ୍ବଲପୁର କିମ୍ବା ବରଗଡ଼ ଲୋକସଭା କ୍ଷେତ୍ରରୁ ଭାଗ୍ୟ ପରୀକ୍ଷା କରାଇ ପାରନ୍ତି ଧର୍ମେନ୍ଦ୍ର।

୧୯’ ନିର୍ବାଚନ ବିଜେପି ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜନୈତିକ ଭବିଷ୍ୟତ ପାଇଁ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ୪ ବର୍ଷ ହେବ ସେ ରାଜ୍ୟ ବିଜେପିର ଫେସ୍‌ ଭାବେ ଉଭା ହୋଇଛନ୍ତି । ନବୀନଙ୍କ ବିକଳ୍ପ ହେବାକୁ ବିଜେପିରେ ଜୋରଦାର ଉଦ୍ୟମ କରିଆସୁଛନ୍ତି । ଏପରିସ୍ଥିତିରେ ଆଗାମୀ ନିର୍ବାଚନରେ ହାର-ଜିତ୍‌ ତାଙ୍କ ପାଇଁ ବେଶ ତାତ୍ପର୍ଯ୍ୟପୂର୍ଣ୍ଣ ।

୨୦୦୪ରେ ଦେବଗଡ଼ ଲୋକସଭା ଆସନରୁ ଶେଷ ଥର ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ି ଧର୍ମେନ୍ଦ୍ର ବିଜୟୀ ହୋଇଥିଲେ । ସେହିପରି ୨୦୦୯ରେ ଶେଷ ଥର ପାଇଁ ପାଲଲହଡ଼ା ବିଧାନସଭା ଆସନରୁ ଲଢ଼ି ହାରିଥିଲେ । ୨୦୧୪ରେ ଲୋକସଭା କିମ୍ବା ବିଧାନସଭା ନିର୍ବାଚନ ଲଢ଼ିନଥିଲେ ଧର୍ମେନ୍ଦ୍ର । ଏଭିତରେ ସେ ବିହାର ଓ ମଧ୍ୟପ୍ରଦେଶରୁ ରାଜ୍ୟସଭାରେ ପ୍ରତିନିଧିତ୍ୱ କରିଛନ୍ତି । ଏବେ ୧୦ ବର୍ଷ ପରେ ୧୯’ ନିର୍ବାଚନରେ ଧର୍ମେନ୍ଦ୍ର ଓଡ଼ିଶାରୁ ଲଢ଼ିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ପ୍ରଥମ ତାଲିକାରେ ନାହିଁ ତାଙ୍କ ନାଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.