ଏସଆଇ ମୃତ୍ୟୁ ଘଟଣା: ବଦଳିଲେ ଜି. ଉଦୟଗିରି ଥାନା ଆଇଆଇସି, ଫୁଲବାଣୀ ଏସ୍‌ପି କାର୍ଯ୍ୟାଳୟକୁ ହେଲା ବଦଳି

ରାଇକିଆ(କେନ୍ୟୁଜ୍): ବଦଳିଲେ ଜି. ଉଦୟଗିରି ଥାନା ଆଇଆଇସି । ଆଇଆଇସି ରେବତୀ ଶବରଙ୍କୁ ଫୁଲବାଣୀ ଏସ୍‌ପି କାର୍ଯ୍ୟାଳୟକୁ ବଦଳି କରାଯାଇଛି । SI ସ୍ୱାଗତିକା ବେହେରାଙ୍କ ମୃତ୍ୟୁ ଘଟଣାରେ ନିରପେକ୍ଷ ତଦନ୍ତ ପାଇଁ ଡିଏସ୍‌ପି ବି.ଏମ ହରିପଲଙ୍କୁ ଦାୟିତ୍ୱ ଦିଆଯାଇଥିବା ସୂଚନା ମିଳିଛି । ଝିଅକୁ ନ୍ୟାୟ ଦାବିରେ ମୃତକଙ୍କ ପରିବାର ଲୋକ ଥାନା ଆଗରେ ଧାରଣା ସହ ଜି. ଉଦୟଗିରି ଥାନା ଆଇଆଇସି ରେବତୀ ଶବରଙ୍କ ନାଁରେ ଏତଲା ଦେଇଥିଲେ । ସ୍ୱାଗତିକାଙ୍କୁ ରେବତୀ ଶବର ମାନସିକ ସ୍ତରରେ ଚାପ ପକାଉଥିବା ଅଭିଯୋଗ କରିଥିଲେ ମୃତକଙ୍କ ମାଆ । ଆଇଆଇସି ରେବତୀ ଶବରଙ୍କୁ ଶୀଘ୍ର ଗିରଫ କରିବାକୁ ଦାବି କରିଥିଲେ ।

ଏହାପରେ ରେବତୀ ଶବରଙ୍କ ନାଁରେ ମାମଲା ରୁଜୁ ସହ ତାଙ୍କୁ ବଦଳି କରାଯାଇଛି । ମାମଲାର ସବୁ ଦିଗରୁ ତଦନ୍ତ ହେବ ବୋଲି ଏସପି କହିଛନ୍ତି । ଏହାପରେ ପରିବାର ଲୋକ ଧାରଣାରୁ ଉଠିଛନ୍ତି । ତେବେ ତଦନ୍ତ ଠିକ୍‌ ଭାବେ କରାନଗଲେ ପୁଣି ଧାରଣା ଦେବେ ବୋଲି କହିଛନ୍ତି । କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଆଦର୍ଶ ଥାନାରେ କାର୍ଯ୍ୟରତ ମହିଳା ଏସଆଇ ସ୍ୱାଗତିକା ବେହେରାଙ୍କ ଝୁଲନ୍ତା ମୃତଦେହ ତାଙ୍କ କ୍ୱାର୍ଟର୍ସରୁ ଉଦ୍ଧାର ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.