Below header

ମଶା ବଂଶକୁ ନିପାତ କରିବ ଗମ୍ବୁସିଆ ମାଛ, ୨୫ଟି ସ୍ଥାନରେ ଛାଡ଼ିଛି ରାୟଗଡ଼ା ପ୍ରଶାସନ

ମାଲେରିଆ ରୋକିବ ମାଛ । ମଶା ବଂଶକୁ ନିପାତ କରିବ ଗମ୍ବୁସିଆ ମାଛ । ମଶାର ଲାର୍ଭାକୁ ଖାଇ ଏମାନଙ୍କ ବଂଶକୁ ସମ୍ପୂର୍ଣ୍ଣ ନିପାତ କରିବ । ଡ୍ରେନରେ ଛଡ଼ାଯାଇଛି ଗମ୍ବୁସିଆ ମାଛ । ଏପରି ପଦକ୍ଷେପ ନେଇଛି ରାୟଗଡ଼ା ପୌରସଂସ୍ଥା ।

ରାୟଗଡ଼ା(କେନ୍ୟୁଜ୍): ମାଲେରିଆ ରୋକିବ ମାଛ । ମଶା ବଂଶକୁ ନିପାତ କରିବ ଗମ୍ବୁସିଆ ମାଛ । ଡ୍ରେନ ପାଣିରେ ବଢୁଥିବା ମଶା ତଥା ମଶାର ଲାର୍ଭାକୁ ଖାଇ ଏମାନଙ୍କ ବଂଶକୁ ସମ୍ପୂର୍ଣ୍ଣ ନିପାତ କରିବ । ଏଥିପାଇଁ ଡ୍ରେନରେ ଛଡ଼ାଯାଇଛି ହଜାର ସଂଖ୍ୟାରେ ଗମ୍ବୁସିଆ ମାଛ । ମଶାକୁ ରୋକିବା ପାଇଁ ଏପରି ଅଭିନବ ପଦକ୍ଷେପ ନେଇଛି ରାୟଗଡ଼ା ପୌରସଂସ୍ଥା । ସହରର ବିଭିନ୍ନ ପାଣି ଜମୁଥିବା ସ୍ଥାନ ତଥା ଡ୍ରେନ ମାନଙ୍କରେ ଏହି ମାଛକୁ ଛଡ଼ା ଯାଇଛି । ଏହାସହ ସହରର ପରିମଳ ବ୍ୟବସ୍ଥାକୁ ସୁଧାରିବା ପାଇଁ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ।

ବର୍ଷା ଋତୁ ଆରମ୍ଭ ହୋଇଛି । ବିଭିନ୍ନ ସ୍ଥାନରେ ପାଣି ଜମି ରହିବ । ପାଣି ଜମୁଥିବା ସ୍ଥାନରେ ମଶା ବଂଶ ବୃଦ୍ଧି ପାଇବ । ଏଥିଯୋଗୁଁ ଲୋକଙ୍କ ନିକଟରେ ମାଲେରିଆ, ଢେଙ୍ଗୁ ଭଳି ରୋଗ ଦେଖାଦେବ । ମଶାରୀର ବ୍ୟବହାର ତଥା ମଶା ବଂଶକୁ ନିପାତ କରି ଏହି ରୋଗରୁ ମୁକ୍ତି ମିଳିପାରେ । ମଶାବଂଶ ନିପାତ କରିବା ପାଇଁ ପୂର୍ବରୁ ପ୍ରଶାସନ କାନ୍ଥ ବାଡ଼ରେ ଡିଡିଟି ସିଞ୍ଚନ କରୁଥିଲା । ଏହାସହ ଡ୍ରେନରେ କେମିକାଲ ଢଲାଯାଇ ମଶାକୁ ରୋକୁଥିଲା । ଏହାର ପ୍ରତିକୁଳ ପ୍ରଭାବ ପରିବେଶ ଉପରେ ପଡ଼ୁଥିଲା । ଏହି ଉପାୟ ହୁଏତ ସେତେଟା ଫଳପ୍ରଦ ହୋଇପାରି ନାହିଁ । ଏବେ ପ୍ରଶାସନ ମଶାକୁ ରୋକିବା ପାଇଁ ଭିନ୍ନ ଉପାୟ ଆପଣେଇଛି । ମଶା ବଂଶ ନିପାତ କରିବ ମାଛ । ମଶା ତଥା ମଶାର ଲାର୍ଭା ଖାଇବା ପାଇଁ ଡ୍ରେନ ତଥା ପାଣି ଜମୁଥିବା ସ୍ଥାନରେ ମାଛ ଛାଡ଼ିଛି ରାୟଗଡ଼ା ପ୍ରଶାସନ । ଯିଏ ମାଲେରିଆ ରୋଗକୁ ରୋକିବା ପାଇଁ ବହୁ ମାତ୍ରାରେ ସାହାଯ୍ୟ କରିବ ।

ଜାତୀୟ ସ୍ବାସ୍ଥ୍ୟ ମିଶନ ଜରିଆରେ ଗମ୍ବୁସିଆ ମାଛକୁ ଭୁବନେଶ୍ବରରୁ ଅଣାଯାଇ କୁଣ୍ଡରେ ରଖାଯାଇଛି । ମାଛ ମାନଙ୍କୁ ଖାଦ୍ୟ ଦେବାସହ ଯତ୍ନ ନିଆଯାଉଛି । ଏହାସହ ଏମାନଙ୍କ ବଂଶ ବୃଦ୍ଧି କରାଯାଉଛି । ଏମାନଙ୍କ ଆକାରରେ ସାମାନ୍ୟ ବୃଦ୍ଧି ହେବାପରେ ଜମାଟ ବାନ୍ଧିଥିବା ନାଳ ତଥା ପରିତ୍ୟକ୍ତ ସ୍ଥାନ ମାନଙ୍କରେ ଛଡ଼ାଯାଉଛି । ପ୍ରାଥମିକ ସ୍ତରରେ ସହରର ଏପରି ୨୫ଟି ସ୍ଥାନ ଚିହ୍ନଟ କରାଯାଇଛି ଯେଉଁଠି ଏହି ମାଛ ମାନଙ୍କୁ ଛଡ଼ାଯିବ । ପ୍ରତ୍ୟେକ ୮ ଦିନ ବ୍ୟବଧାନରେ ଏହି ମାଛ ମାନଙ୍କୁ ଛଡ଼ାଯିବ । ଫଳରେ ଏମାନେ ମଶାକୁ ରୋକିବାରେ ବହୁ ମାତ୍ରାରେ ସହାୟକ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.