ଅନୁଗୁଳ କମରେଇ ନିକଟରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର, ଲକ୍ଷେ ଚେଷ୍ଟା ସତ୍ୱେ ବନ୍ଦ ହେଉନି ଲିକ୍‌

ଅନୁଗୁଳ: ରାଜପଥରେ ଓଲଟିଲା ଗ୍ୟାସ ଟ୍ୟାଙ୍କର। ଅନୁଗୁଳ ହଣ୍ଡପା ଥାନା କମରେଇ ନିକଟରେ ଗ୍ୟାସ୍‌ ଟ୍ୟାଙ୍କର ଓଲଟି ପଡିବାରୁ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ଟ୍ୟାଙ୍କରର ତଳ ଭାଗ କଣା ହୋଇ ଗ୍ୟାସ୍‌ ଲିକ୍‌ ହେବାରୁ ଲୋକେ ଆତଙ୍କିତ ହୋଇ ରହିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାଜପଥ ସିଲ୍‌ କରିବା ସହ ୪ଟି ଅଗ୍ନିଶମ ବିଭାଗର କର୍ମଚାରୀ ଟ୍ୟାଙ୍କର ଉପରେ ପାଣି ସ୍ପ୍ରେ କରୁଛନ୍ତି। ଆଜି ଝାରସୁଗୁଡ଼ା ଓ ବାଲେଶ୍ୱରରୁ ଏକ୍ସପର୍ଟ ମାନଙ୍କୁ ଡକାଯାଇଛି।

ଉକ୍ତ ଗ୍ୟାସ ଟ୍ୟାଙ୍କରରୁ ଅନ୍ୟ ଏକ ଗ୍ୟାସ ବୋଝେଇ ଟ୍ୟାଙ୍କରରେ କିଭଳି ଭର୍ତ୍ତି କରାଯିବ ସେନେଇ ହଣ୍ଡପା ପୋଲିସ ପକ୍ଷରୁ ଝାରସୁଗୁଡ଼ାସ୍ଥିତ ଗ୍ୟାସ କମ୍ପାନୀକୁ ସୂଚନା ଦିଆଯାଇଛି। ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଗ୍ୟାସ ଲିକ୍‌ ହେଉଥିବାରୁ ଚୁଲି ନଲଗାଇବାକୁ ଗାଁ ଲୋକଙ୍କୁ ସତର୍କ କରାଯାଇଛି। ଗତକାଲି ସମ୍ବଲପୁର ପଟୁ କଟକ ଅଭିମୁଖେ ଯାଉଥିବା ଏକ ଗ୍ୟାସ ଟ୍ୟାଙ୍କର କମରେଇ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ରାଜପଥର ଉଭୟ ପାର୍ଶ୍ୱକୁ ସିଲ୍‌ କରାଯିବା ସହ ନାକିଚି, ଠାକୁରଗଡ଼ ଓ ବଇଣ୍ଡା ଦେଇ ଗାଡି ଗୁଡିକୁ ଛଡାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.