Below header

କିସରେ ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୬ତମ ଜୟନ୍ତୀ ପାଳିତ:ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ବର(କେନ୍ୟୁଜ୍): କିସରେ ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିସ୍‌ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ଡ. ସଂଗ୍ରାମ ଜେନା, କିସ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା, କିସସ୍ଥିତ ଗୋପବନ୍ଧୁ ଚେୟାର ପ୍ରଫେସର ବିଜୟାନନ୍ଦ ସିଂହ, ବିଜୁ ପଟ୍ଟନାୟକ ରିସର୍ଚ୍ଚ ଚେୟାର ପ୍ରଫେସର ଯୁଗଳ କିଶୋର ମିଶ୍ର, ମଧୁସୂଦନ ରିସର୍ଚ୍ଚ ଚେୟାର ପ୍ରଫେସର ହରିଶ ଚନ୍ଦ୍ର ସାହୁ, ପ୍ରଫେସର ଏମେରିଟସ୍‌ ବିଜୟ କୁମାର ଶତପଥୀ, କିସ୍‌ ମହାନିର୍ଦ୍ଦେଶକ ଡ. କାହ୍ନୁ ଚରଣ ମାହାଲି, କିସ୍‌ ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ରହି ଗୋପବନ୍ଧୁଙ୍କ ସ୍ମୃତିଚାରଣ କରିଥିଲେ ।

ଗୋପବନ୍ଧୁଙ୍କ ଆଦର୍ଶ, ସମାଜସେବା, ଶିକ୍ଷା ଓ ଦରିଦ୍ର ନାରାୟଣ ସେବା କିଭଳି କିସ୍‌ରେ ପ୍ରତିଫଳିତ ହୋଇପାରିଛି ତା ଉପରେ ଅତିଥିମାନେ ଆଲୋକପାତ କରିଥିଲେ । ଏହା ବ୍ୟତୀତ କିସ୍‌ରେ ୨୦୧୯ ଅଗଷ୍ଟ ମାସରେ ଗୋପବନ୍ଧୁ ଚେୟାର ପ୍ରତିଷ୍ଠା କରାଯାଇ ଗୋପବନ୍ଧୁଙ୍କ ଉପରେ ବ୍ୟାପକ ଗବେଷଣା ହେବା ସହ ସମୟକୁ ସମୟ ଲୋକଙ୍କ ନିକଟରେ ପହଞ୍ଚାଯାଇପାରୁଛି ବୋଲି ଅତିଥିମାନେ କହିଥିଲେ । ଆଜି ଏହି ଅବସରରେ କିସ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଗୋପବନ୍ଧୁଙ୍କ ଶିକ୍ଷାଦୃଷ୍ଟି’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଡ. ସଂଗ୍ରାମ ଜେନା ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଗୋପବନ୍ଧୁଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.