ବାପା ଭିନ୍ନକ୍ଷମ ; ଚୁଡ଼ି ବିକିଲେ ପରିବାର ଚଳେ, ଝିଅ ମାଟ୍ରିକ ପରୀକ୍ଷାରେ ରଖିଲେ ୯୨ ପ୍ରତିଶତ ନମ୍ବର

ପିଲାଦିନୁ ଦେଖି ଆସିଥିଲେ ଅଭାବ ଅନଟନ । ଏପଟେ ବାପା ଜଣେ ଦିବ୍ୟାଙ୍ଗ। ସତେ ଯେମିତି ଏ ସବୁ ଅସୁବିଧା ଆଉ ଅଭାବ ପାଲଟି ଯାଇଥିଲା ଶରୀରର ଏକ ଅଂଶ । କିନ୍ତୁ ଏହି ଅଭାବ ଅସୁବିଧା ତାଙ୍କ ମନୋବଳ ଭାଙ୍ଗି ପାରିନଥିଲା । କଥାରେ କୁହନ୍ତି, ସଫଳତା ପାଇଁ ଯଦି ନିଷ୍ଠା ଥିବ ତେବେ ଅସୁବିଧା ବି ଆଗକୁ ବଢ଼ିବାକୁ ବାଟ ଛାଡ଼ିଦିଏ । ଠିକ୍ ସେମିତି ଆଜି କାକଟପୁରର ଟେକ ରଖିଛନ୍ତି ଗାୟତ୍ରୀ ପାତ୍ର ।

କାକଟପୁର(କେନ୍ୟୁଜ୍‌): ପିଲାଦିନୁ ଦେଖି ଆସିଥିଲେ ଅଭାବ ଅନଟନ । ଏପଟେ ବାପା ଜଣେ ଦିବ୍ୟାଙ୍ଗ। ସତେ ଯେମିତି ଏ ସବୁ ଅସୁବିଧା ଆଉ ଅଭାବ ପାଲଟି ଯାଇଥିଲା ଶରୀରର ଏକ ଅଂଶ । କିନ୍ତୁ ଏହି ଅଭାବ ଅସୁବିଧା ତାଙ୍କ ମନୋବଳ ଭାଙ୍ଗି ପାରିନଥିଲା । କଥାରେ କୁହନ୍ତି, ସଫଳତା ପାଇଁ ଯଦି ନିଷ୍ଠା ଥିବ ତେବେ ଅସୁବିଧା ବି ଆଗକୁ ବଢ଼ିବାକୁ ବାଟ ଛାଡ଼ିଦିଏ । ଠିକ୍ ସେମିତି ଆଜି କାକଟପୁରର ଟେକ ରଖିଛନ୍ତି ଗାୟତ୍ରୀ ପାତ୍ର ।

ସତରେ ଦୃଢ ଇଚ୍ଛାଶକ୍ତି କଠିନ ପରିଶ୍ରମ ମଣିଷକୁ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ପାରେ,ଅଭାବ ଅନଟନ, ଦାରିଦ୍ର୍ୟ ମଧ୍ୟ ତାହାର ସଫଳତାର ବାଟକୁ ରୋକି ପାରେ ନାହିଁ । ଏହାର ଏକ ଉଦାହରଣ ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରେ ଦେଖିବାକୁ ମିଳିଛି । ଆଜି ରାଜ୍ୟରେ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। କାକଟପୁର ବ୍ଲକ କେରେଣ୍ଡିଆପାଳ ଗ୍ରାମର ରତ୍ନାକର ପାତ୍ରଙ୍କ ଝିଅ ଗାୟତ୍ରୀ ପାତ୍ର । ଗାୟତ୍ରୀ ଚଳିତ ବର୍ଷ କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଠପଢ଼ି ମାଟ୍ରିକ ପରୀକ୍ଷା ଦେଇଥିଲେ,ସେଥିରେ ସେ ମୋଟ ୫୫୫ ନମ୍ବର ରଖି ୯୨ ପ୍ରତିଶତ ମାର୍କ ରଖିପାରିଛନ୍ତି ।

ରତ୍ନାକର ଜଣେ ଭିନ୍ନକ୍ଷମ ମଣିଷ । କାକଟପୁର ମା ମଙ୍ଗଳାଙ୍କ ମନ୍ଦିର ରାସ୍ତାରେ ଏକ ଚୁଡି ଦୋକାନ କରିଛନ୍ତି । ଏହି ଦୋକାନରୁ ଯୋଉ ଦୁଇ ପଇସା ରୋଜଗାର ହୁଏ ସେଥିରେ ପରିବାର ପ୍ରତିପୋଷଣ ହୋଇଥାଏ । ଦାରିଦ୍ର୍ୟ ମଧ୍ୟରେ ରତ୍ନାକର ଗାୟତ୍ରୀଙ୍କୁ ପାଠପଢାଇ ଥିଲେ । ଗାୟତ୍ରୀଙ୍କ ଟିଉସନ ଟଙ୍କା ଦେବା ତାଙ୍କ ପକ୍ଷେ କଷ୍ଟକର ହେଉଥିଲା । ଏଥିପାଇଁ ଗାୟତ୍ରୀଙ୍କ ଟିଉସନ ଶିକ୍ଷକ ତାଙ୍କଠାରୁ କୌଣସି ଦରମା ନେଉ ନଥିଲେ । ଗାୟତ୍ରୀ ଦିନକୁ ୧୦ଘଣ୍ଟାରୁ ୧୨ଘଣ୍ଟା ପରିଶ୍ରମ କରୁଥିଲେ । ଯାହାର ଫଳ ତାଙ୍କ ମିଳିଛି ।

ନିଜ ସଫଳତାର ଶ୍ରେୟ ସେ ତାଙ୍କ ବାପ ମା ଏବଂ ଶିକ୍ଷକଙ୍କୁ ଦେଇଛନ୍ତି । ତେବେ ଭବିଷ୍ୟତରେ ସେ ଜଣେ ଡାକ୍ତର ହେବାର ଲକ୍ଷ୍ୟ ରଖିଛନ୍ତି । ଯୁକ୍ତ ଦୁଇ ବିଜ୍ଞାନ ପାଠ ପଢିବା ପାଇଁ ମନସ୍ଥ କରିଛନ୍ତି । ଆହୁରି ଅଧିକ ପରିଶ୍ରମ କରି ଡାକ୍ତରୀ ଶିକ୍ଷା ଲାଭ ପାଇଁ ଇଚ୍ଛା ରଖିଛନ୍ତି ଗାୟତ୍ରୀ । ଗାୟତ୍ରୀଙ୍କ ଏହି ସଫଳତା ଦେଖି ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ସୁଅ ଛୁଟିଛି ।

Leave A Reply

Your email address will not be published.