ଜମ୍ମୁ-କାଶ୍ମୀର: କଠୁଆ ଏନ୍କାଉଣ୍ଟରରେ ଆଉ ଜଣେ ଆତଙ୍କୀ ସଫା, ବ୍ୟାଗ୍ରୁ ମିଳିଲା ପାକିସ୍ତାନୀ ଚକୋଲେଟ୍

ଜମ୍ମୁ-କାଶ୍ମୀରର କଠୁଆରେ ପୁଣି ଜଣେ ଆତଙ୍କୀ ସଫା । ଏଠାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଚାଲିଥିବା ଗୁଳି ବିନିମୟରେ ଜଣେ ଆତଙ୍କୀ ନିପାତ ହୋଇଥିବା ସୂଚନା ରହିଛି । ଏହି ଏନ୍କାଉଣ୍ଟରରେ ଏ ପର୍ଯ୍ୟନ୍ତ ୨ ଜଣ ଆତଙ୍କବାଦୀଙ୍କୁ ମରାଯାଇ ସାରିଲାଣି । ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଆହୁରି ବଢ଼ାଇ ଦିଆଯାଇଛି । ତେବେ ନିପାତ ଆତଙ୍କବାଦୀଙ୍କ ବ୍ୟାଗ୍ ଭିତରୁ ପାକିସ୍ତାନୀ ଚକୋଲେଟ୍ ମିଳିଛି ।
କଠୁଆ ଜିଲ୍ଲାର ଏକ ଗାଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ବାହିନୀର ଅପରେସନ ଆରମ୍ଭ ହୋଇଥିଲା । ଏହି ଜିଲ୍ଲାର ହୀରାନଗର ସେକ୍ଟର ଅନ୍ତର୍ଗତ ସୌଦା ସୁଖଲ ଗାଁରେ ମଙ୍ଗଳବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ସୁରକ୍ଷା ବାହିନୀର ଅପରେସନରେ ସିଆର୍ପିଏଫ୍ର ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି ।
ମଙ୍ଗଳବାର ସନ୍ଧ୍ୟାରେ ଜମ୍ମୁ-କାଶ୍ମୀରର ଡିଆଇଡି ର୍ୟାଙ୍କ୍ ଏବଂ ଏସ୍ଏସ୍ପି ର୍ୟାଙ୍କ୍ର ଦୁଇ ଜଣ ଅଧିକାରୀଙ୍କ କାର୍ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ଯଦିଓ ଏହି ଆକ୍ରମଣରେ ଅଧିକାରୀମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ ।
ତେବେ କଠୁଆରେ ନିପାତ ହୋଇଥିବା ଆତଙ୍କବାଦୀଙ୍କ ବ୍ୟାଗ୍ରୁ ବିଭିନ୍ନ ଜିନିଷ ଜବତ ହୋଇଛି । ବ୍ୟାଗ୍ ଭିତରୁ ୩ଟି ଗ୍ରେନେଡ୍, ୧ ଲକ୍ଷ ଟଙ୍କାର ଭାରତୀୟ ମୁଦ୍ରା, ପାକିସ୍ତାନୀ ଚକୋଲେଟ୍, ଚଣା ଓ ରୁଟି, ପାକିସ୍ତାନରେ ନିର୍ମିତ ଔଷଧ ଓ ଇଞ୍ଜେକ୍ସନ (ପେନ୍ କିଲର୍ସ), ଏକ ସିରିଞ୍ଜ୍, ଏ୪ ବ୍ୟାଟେରୀର ଦୁଇଟି ପ୍ୟାକେଟ୍, ଏକ ହ୍ୟାଣ୍ଡସେଟ୍ ଆଣ୍ଟିନା ଏବଂ ଅନେକ ରାଉଣ୍ଡ ଗୁଳି ମିଳିଛି ।
ଏହିପରି ଜମ୍ମୁ-କାଶ୍ମୀରର ଡୋଡାରେ ସେନା କ୍ୟାମ୍ପ ଉପରେ ମଧ୍ୟ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ୬ ଜଣ ଯବାନ ଆହତ ହୋଇଛନ୍ତି । ଗତକାଲି କଠୁଆ ଜିଲ୍ଲାରେ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ । ଆତଙ୍କବାଦୀଙ୍କ ଗୁଳିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଆହତ ହୋଇଥିଲେ । ଏହାପୂର୍ବରୁ ତୀର୍ଥଯାତ୍ରୀ ବସ୍ ଉପରକୁ ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା ।