ନିଆଁ ଉଜାଡ଼ି ଦେଲା ଦୁଇଟି ପରିବାରର ଖୁସି, ବାପା ଛେଉଣ୍ଡ ହୋଇଗଲେ ଦୁଇ ପିଲା

ଗଞ୍ଜାମ: କାନ୍ଦ ବୋବାଳିରେ ଫାଟିପଡ଼ୁଛି ପୂରା ଗାଁ । କାହାରି ଆଖିରୁ ଶୁଖୁନି ଲୁହ । କୁନି କୁନି ପିଲା ବାପା ବାପା କହି କାନ୍ଦୁଥିବା ବେଳେ । ୭ ମାସର ଗର୍ଭବତୀ ସ୍ତ୍ରୀ ମୋ ସ୍ୱାମୀ ମୋ ସ୍ୱାମୀ କହି କାନ୍ଦୁଛି । ଯୁଆଡ଼େ ଶୁଣିବ ସେଆଡ଼େ କେବଳ କାନ୍ଦିବାର ସ୍ୱର । ଏ ଦୃଶ୍ୟ ଉପରେ ଟିକିଏ ନଜର ପକାନ୍ତୁ ଆଜ୍ଞା, ଦେଖନ୍ତୁ ପୂରା ଗାଁ ସାହି ପଡ଼ିଶାର ଲୋକ ଏକାଠି ରୁଣ୍ଡ ହୋଇଛନ୍ତି । କାରଣ ଗତକାଲି କୁଏତ ଟ୍ରାଜେଡିରେ ଯାଇଛି ୪୫ ଭାରତୀୟଙ୍କ ଜୀବନ। ସେଥିମଧ୍ୟରୁ ରହିଛନ୍ତି ୨ ଜଣ ଓଡ଼ିଆ ଶ୍ରମିକ । ଆଜି ତାଙ୍କର ପାର୍ଥିବ ଶରୀର ଆସି ଗାଁ ମାଟିରେ ପହଞ୍ଚିବ । ସମସ୍ତଙ୍କ ଅପେକ୍ଷା ସନ୍ତୋଷଙ୍କ ମୃତ ଦେହ କେତେବେଳେ ଆସି ପହଞ୍ଚିବ ।
କୁଏତରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ରଣଝାଲି ଗାଁର ସନ୍ତୋଷ ଗୌଡ । ତାଙ୍କ ପରିବାର କହିଲେ ସ୍ତ୍ରୀ, ଦୁଇ ପୁଅ ବାପା ମା । ସେ ନିଜର ପରିବାର ପ୍ରତିପୋଷଣ ପାଇଁ ପ୍ରଥମେ ମୁମ୍ବାଇ ଯାଇଥିଲେ । ସେଠାରେ କିଛି ଦିନ କାମ କରିବା ପରେ ଆହୁରି ଅଧିକ ଅର୍ଥ ରୋଜଗାର ପାଇଁ ସେ କୁଏତ ଯାଇଥିଲେ। ଗତ ଦୁଇ ବର୍ଷ ଧରି କୁଏତର ଏକ କମ୍ପାନୀରେ କାମ କରୁଥିଲେ। ଗତ ମାର୍ଚ୍ଚ ମାସରେ ତାଙ୍କର ବାପାଙ୍କ ହାର୍ଟ ଅପରେସନ ପାଇଁ ନିଜ ଘରକୁ ଆସି ପୁଣି କୁଏତ ଯାଇଥିଲେ।
ତେବେ ଗତ ବୁଧବାର ଦିନ କମ୍ପାନୀରେ କାମ କରି ସେ ରହୁଥିବା ରୁମକୁ ଫେରି ଶୋଇଥିଲେ । ରାତିରେ ଶୋଇଥିବା ସମୟରେ ସେହି ଘରେ ହଠାତ ଅଗ୍ନିକାଣ୍ଡ ହୋଇଥିଲା । ଏହି ଅଗ୍ନିକାଣ୍ଡରେ ସନ୍ତୋଷଙ୍କ ସମେତ କଟକର ଆଉ ଜଣେ ଓଡ଼ିଆ ଶ୍ରମିକଙ୍କ ମଧ୍ୟ ମୃତ୍ୟୁ ହୋଇଛି । ସନ୍ତୋଷଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ପରିବାର ଓ ଗାଁରେ ଶୋକର ଛାୟା ଖେଳିଯାଇଛି । ସେ କାମ କରୁଥିବା କମ୍ପାନୀ ପକ୍ଷରୁ ତାଙ୍କ ମୃତଦେହକୁ କୁଏତରୁ ଭୁବନେଶ୍ୱରକୁ ପଠାଯାଇ ଥିବା ବେଳେ ଆଉ କିଛି ସମୟ ପରେ ପହଞ୍ଚିବ ସନ୍ତୋଷଙ୍କ ମୃତ୍ୟୁ ଦେହ। ସାହି ପଡିଶା ଠାରୁ ଆରମ୍ଭ କରି ସମସ୍ତେ ଅପେକ୍ଷା କରିଛନ୍ତି ସନ୍ତୋଷଙ୍କ ମୃତ ଶରୀରକୁ।
ସେପଟେ ତିଗିରିଆ ଥାନା ଅନ୍ତର୍ଗତ କରଡ଼ାପଲ୍ଲୀ ଗ୍ରାମ ଜନ୍ମ ମାଟିରେ ପହଞ୍ଚିଲା ମହମ୍ମଦ ଜହୁରଙ୍କ ପାର୍ଥିବ ଶରୀର । ଶେଷ ଦର୍ଶନ କରୁଛନ୍ତି ଗ୍ରାମବାସୀଙ୍କ ସମେତ ବନ୍ଧୁପ୍ରିୟଜନ। ଗ୍ରାମରେ ଶୋକାକୁଳ ପରିବେଶ। ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କଲେ ଅସ୍ଥାୟି ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ । ତିଗିରିଆ ଛକ ଠାରୁ ଶୋଭାଯାତ୍ରା ବାହାରି ତାଙ୍କ ଗ୍ରାମ ପରିକ୍ରମା କରିବା ସହିତ ବାସଭବନରେ ମରଶରିର ପହଞ୍ଚିଥିଲା ।
କୁଏତର ଅଗ୍ନିକାଣ୍ଡ ଘଟଣା ସମସ୍ତଙ୍କ ଛାତି ଥରାଇ ଦେଇଛି । ବୁଧବାର ଦକ୍ଷିଣ କୁଏତର ମଙ୍ଗାଫ ସହରର ଏକ ୬ ମହଲା କୋଠାରେ ନିଆଁ ଲାଗିଥିଲା। ରୋଷେଇ ଘରେ ନିଆଁ ଲଗିବା ପରେ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା । ଅଗ୍ନିକାଣ୍ଡ ସମୟରେ ସେହି ବିଲ୍ଡିଂରେ ପ୍ରାୟ ୧୯୬ ଜଣ ଶ୍ରମିକ ରହୁଥିଲେ । ଏନବିଟିସି ସଂସ୍ଥା ତାର ଶ୍ରମିକ ମାନଙ୍କୁ ରଖିବାକୁ ଭଡ଼ା ସୂତ୍ରରେ ଏହି ବିଲ୍ଡିଂକୁ ନେଇଥିଲା। ଅଗ୍ନିକାଣ୍ଡ ସମୟରେ କିଛି ଶ୍ରମିକ ନାଇଟ୍ ସିଫ୍ଟ ସାରି ସୋଇଥିଲେ । ନିଆଁ ଲାଗିବା ପରେ କ୍ଷୀପ୍ର ବେଗରେ ବ୍ୟାପି ଯାଇଥିଲା । ଫଳରେ ଶ୍ରମିକମାନେ ବାହାରି ପାରିନଥିଲେ । ମୃତକଙ୍କ ମଧ୍ୟରୁ ଅଧିକାଂଶ କୁଏତର ଏନବିଟିସି କମ୍ପାନୀରେ କାମ କରୁଥିଲେ। ମୃତକଙ୍କ ମଧ୍ୟରେ କେବଳ ଶ୍ରମିକ ନୁହନ୍ତି ଆକାଉଣ୍ଟାଣ୍ଟ, ଇଂଜିନିୟର, ବୟସ୍କ ଏବଂ ଯୁବକ ରହିଛନ୍ତି ।
ତେବେ ଅଘଟଣ ଯାହା କିଛି ବି ହେଉନା କାହିଁ । ଆଜି ବାପା ଛେଉଣ୍ଡ ହୋଇଯାଇଛନ୍ତି ଦୁଇ ପିଲା । ଆଉ ମା ଗର୍ଭରେ ବଢ଼ୁଥିବା ପିଲା ଦୁନିଆକୁ ଆସିବା ପୂର୍ବରୁ ବାପା ସ୍ନେହରୁ ବଞ୍ଚିତ ହୋଇଛି । ସତରେ ଏହି ଦୁଃଖ ବହୁତ ଯନ୍ତ୍ରଣାଦାୟକ । ଭଗବାନ୍ ଏ ଦୁଃଖ ସହିବାକୁ ତାଙ୍କୁ ସାହସ ଦିଅନ୍ତୁ ।