ଆସୁଛି ଓଡ଼ିଶାର ଲୋକପ୍ରିୟ ପର୍ବ ରଜ, ଗାଁ ଗହଳିରେ ଚାଲିଛି ଜୋରଦାର ପ୍ରସ୍ତୁତି

ଆସୁଛି ଓଡ଼ିଶାର ଲୋକପ୍ରିୟ ପର୍ବ ରଜ । ରଜ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । କେନ୍ଦୁଝର ଜିଲ୍ଲାରେ ରଜକୁ ଗଣପର୍ବ ରୂପେ ଅତି ଜାକ ଜକମରେ ପାଳନ କରାଯାଏ । ୧୫ ଦିନ ପୂର୍ବରୁ ଏଥିପାଇଁ ଆରମ୍ଭ ହୋଇଥାଏ ପ୍ରସ୍ତୁତି । ପିଠାପଣା ପାଇଁ ଢିଙ୍କିରେ ଚୁନା ପ୍ରସ୍ତୁତି ସହ ଦୋଳି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରଜ ପୂର୍ବରୁ ଝିଅମାନଙ୍କର ରଜ ସଜବାଜ ଏବେ ଠାରୁ ଆରମ୍ଭ ହୋଇଗଲାଣି ।

ରଜ ପ୍ରସ୍ତୁତି ଏବେ ଏକପ୍ରକାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକର ଅଳତି ଏବଂ ବେଲସୁନ୍ଦରୀ ଗାଁ । ଦୁଇ ଗାଁର ବୋହୁମାନେ ଢିଙ୍କିଶାଳରେ ଭିଡ ଜମାଇଛନ୍ତି । କିଏ ଢିଙ୍କି କୁଟୁଛି ତ ଅନ୍ୟ କିଏ ଚୂନା ଚଲାଉଛି । ରଜରେ ଆରିସା, କାକରା, ମଣ୍ଡା, ପୋଡପିଠା ଆଦି ତିଆରି ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି ।

ଓଡିଶାର ଗଣପର୍ବ ରଜକୁ କେନ୍ଦୁଝରରେ ଧୂମଧାମରେ ପାଳନ କରିବା ପାଇଁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଗାଁର ଝିଅମାନେ ରଜ ପାଇଁ ଏବେ ଠାରୁ ସଜବାଜ ହେବା ଆରମ୍ଭ କରିଦେଇଛନ୍ତି । ଗ୍ରାମର ଯୁବତୀ ଓ ମହିଳାମାନେ ମେହେନ୍ଦି ଓ ଅଳତା ରଙ୍ଗରେ ସଜେଇ ହେବା ଆରମ୍ଭ କରିଲେଣି । କେବଳ ଅଳତି ଏବଂ ବେଲସୁନ୍ଦରୀ ଗାଁ ନୁହେଁ, ଜିଲ୍ଲାର ବିଭିନ୍ନ ସ୍ଥାନରେ ସାମୁହିକ ଭାବେ ରଜ ପାଳନ କରାଯାଉଛି । ଗାଁର ଯୁବକମାନେ ବିଭିନ୍ନ ପ୍ରକାର ଦୋଳି ତିଆରି କରିବାରେ ଲାଗି ପଡିଛନ୍ତି ।

ଦିନକୁ ଦିନ ଲୋପ ପାଇବାକୁ ବସିଥିବା ପରମ୍ପରାକୁ ଉଜ୍ଜିବୀତ କରି ରଖିବାକୁ ଉଦ୍ୟମ କରୁଛନ୍ତି ଯୁବଗୋଷ୍ଠୀ । ରଜକୁ ଅଧିକ ଆନନ୍ଦଦାୟକ କରିବା ପାଇଁ ୪ଦିନ ଧରି ନୃତ୍ୟଗୀତର ମଧ୍ୟ ଆୟୋଜନ କରାଯାଇଛି । ଆଧୁନିକତାର ଜାକ ଜକମରେ ଗ୍ରାମାଞ୍ଚଳରେ ଆଜି ବି ବ୍ଞ୍ଚିଛି ଆମ ସଂସ୍କୃତି ଓ ଆମ ପରମ୍ପରା ଯାହାର ଉଦାହରଣ ପାଲଟିଛି ଆମ ରାଜ୍ୟର ଗଣପର୍ବ ରଜ ।

Leave A Reply

Your email address will not be published.