୯ମ କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲ୍‌ ଛାୟା ଜାତିସଂଘ ଉଦ୍‌ଘାଟନ କଲେ ରାଜ୍ୟପାଳ ଗଣେଶୀ ଲାଲ

କେନ୍ୟୁଜ୍(ବ୍ୟୁରୋ): ମାନବବାଦ ହେଉଛି ପ୍ରକୃତ ଶିକ୍ଷା ବୋଲି ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କହିଛନ୍ତି । ୯ମ କିଟ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲ ଛାୟା ଜାତିସଂଘକୁ ଉଦ୍‌ଘାଟନ କରି ରାଜ୍ୟପାଳ କହିଥିଲେ, ଛାତ୍ରଛାତ୍ରୀମାନେ ହେଉଛନ୍ତି ନିଜେ ନିଜର ଶିକ୍ଷକ । ସେମାନେ ଜ୍ଞାନ ଆହରଣ କରିବା ସହ ଏଥିରୁ ଶିକ୍ଷା ଲାଭ କରିଥାନ୍ତି । ଆମ୍ଭେମାନେ ଆତ୍ମକୈନ୍ଦ୍ରିକ ହେବା ଅପେକ୍ଷା ବିଶ୍ୱ କୈନ୍ଦ୍ରିକ ହେବା ଉଚିତ ବୋଲି ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଆମେମାନେ ନିଜ କଥା ଚିନ୍ତା କରିବା ବେଳେ ସମଗ୍ର ମାନବଜାତି ବିଷୟରେ ଚିନ୍ତା କରିବା ଉଚିତ । ସହନଶୀଳ, ସମଭାବାପନ୍ନ, ଦୟା ଓ କରୁଣା ହେଉଛି ପ୍ରକୃତ ଶିକ୍ଷା । ତେଣୁ ଆମମାନଙ୍କୁ ଆତ୍ମ ଅହଙ୍କାର, ଅସୂୟା ଆଦି ପରିତ୍ୟାଗ କରିବାକୁ ପଡ଼ିବ ବୋଲି ରାଜ୍ୟପାଳ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ଆତ୍ମଜାଗ୍ରତ କରାଇବା ନେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଛାୟା ଜାତିସଂଘର ବିଷୟବସ୍ତୁ ଶରଣାର୍ଥୀ ସମସ୍ୟା ଉପରେ ଆଲୋକପାତ କରି ପ୍ରଫେସର ଲାଲ୍‌ କହିଲେ, ବିଶ୍ୱ ମାନବବାଦ ଦ୍ୱାରା ଶରଣାର୍ଥୀ ସମସ୍ୟାର ସମାଧାନ ହୋଇପାରିବ ।

ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ୟୁଏନ୍‌ଡିପିର ଓଡ଼ିଶା ମୁଖ୍ୟ ଆଭା ମିଶ୍ର କହିଲେ, ସମଗ୍ର ବିଶ୍ୱର ଶାନ୍ତି ଓ ସମୃଦ୍ଧି ପାଇଁ ମିଳିତ ଜାତିସଂଘର ସମସ୍ତ ସଂସ୍ଥା ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ଜଳବାୟୁ ପରିବର୍ତ୍ତନ ଠାରୁ ଆରମ୍ଭ କରି ଶରଣାର୍ଥୀ ସମସ୍ୟା ଆଦି ବିଶ୍ୱ ସମସ୍ୟା ସମାଧାନ କ୍ଷେତ୍ରରେ ସରକାରଙ୍କ ଦୃଷ୍ଟିକୋଣ ସହ ସାମଗ୍ରିକ ବିକାଶ ଦିଗରେ ମିଳିତ ଜାତିସଂଘ କାର୍ଯ୍ୟ କରୁଛି ବୋଲି ସେ କହିଥିଲେ । ବିକାଶ ସବୁବେଳେ ଲୋକ କୈନ୍ଦ୍ରିକ ହେବା ଉଚିତ । ଏହି ଛାୟା ଜାତିସଂଘରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନେ ଜାତିସଂଘର ଯେଉଁ ୧୭ଟି ସ୍ଥାୟୀ ବିକାଶ ଲକ୍ଷ୍ୟ ରହିଛି, ତାହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବାର ସୁଯୋଗ ପାଇବେ ବୋଲି ସେ କହିଥିଲେ । ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଏବଂ ବିଭିନ୍ନ ବିଶ୍ୱ ସମସ୍ୟାର ସମାଧାନ ନିମନ୍ତେ ଛାତ୍ରଛାତ୍ରୀମାନେ ସେମାନଙ୍କର ସୁଚିନ୍ତିତ ମତାମତ ଓ ପରାମର୍ଶ ଦିଅନ୍ତୁ ବୋଲି ଶ୍ରୀମତୀ ମିଶ୍ର କହିଥିଲେ ।

କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ କହିଲେ, ଜ୍ଞାନ ଆହରଣ କରିବାର ଏହା ହେଉଛି ଏକ ପ୍ରକୃଷ୍ଟ ମଞ୍ଚ । ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଶାରେ ପ୍ରଥମ କରି କିଟ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ ଛାୟା ଜାତିସଂଘ ଆରମ୍ଭ କରିଥିଲା । ଶରଣାର୍ଥୀ ସମସ୍ୟା ଉପରେ ଆଲୋଚନା କରି ଡକ୍ଟର ସାମନ୍ତ କହିଥିଲେ, ବିଭିନ୍ନ କାରଣରୁ ସମଗ୍ର ବିଶ୍ୱରେ ବିସ୍ଥାପନ ଏକ ସମସ୍ୟା ଭାବେ ଉଭା ହୋଇଛି । ବିସ୍ଥାପନ ହେଉଛି କଷ୍ଟଦାୟକ । ଯଦି ବଳପୂର୍ବକ ବିସ୍ଥାପନ ହୁଏ, ତେବେ ଏହା ଅତି କଷ୍ଟଦାୟକ । ତେଣୁ ଏହି ସମସ୍ୟା ସମାଧାନ ନିମନ୍ତେ ଆମ ସମସ୍ତଙ୍କୁ ଚିନ୍ତା କରିବାକୁ ପଡ଼ିବ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ କିଟ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ର ଚେୟାରପର୍ସନ୍‌ ଡକ୍ଟର ମୋନା ଲିସା ବଳ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ୍‌ର ଅଧ୍ୟକ୍ଷ ଡକ୍ଟର ସଞ୍ଜୟ ସୁଆର ଉପସ୍ଥିତ ଥିଲେ । ଛାୟା ଜାତିସଂଘର ମହାସଚିବ ଭାବେ ନାଭ୍ୟା ଘଡ଼େଇ ଏବଂ ଉପ ମହାସଚିବ ସାନନ୍ଦିତା ବାନାର୍ଜୀ ମନୋନୀତ ହୋଇଛନ୍ତି । ତିନି ଦିନଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ବିଦ୍ୟାଳୟରୁ ୭୦୦ରୁ ଊର୍ଦ୍ଧ୍ୱ ଛାତ୍ର ପ୍ରତିନିଧି ଯୋଗ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.