ସରକାରୀ ସହାୟତାରୁ ବଞ୍ଚିତ ହିତାଧିକାରୀ , ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ

ବଲାଙ୍ଗୀର : ରାଜ୍ୟରେ ବୃଦ୍ଧବୃଦ୍ଧାଙ୍କ ପାଇଁ ଅନେକ ଯୋଜନା । ହେଲେ ପ୍ରଶାସନିକ ଅବହେଳା ପାଇଁ ଯୋଜନା ଗୁଡ଼ିକ ଠିକ୍‌ ଲୋକଙ୍କ ପାଖରେ ପହଞ୍ଚି ପାରୁନି । ବହୁ ସମୟରେ କୌଣସି ଯୋଜନାର ଲାଭ ପାଇ ନପାରି ଭାଗ୍ୟକୁ ଆଦରି ପଡି ରହିବାକୁ ବାଧ୍ୟ ହେଉଛନ୍ତି ହିତାଧିକାରୀ । ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ପଲସଖଣ୍ଡ ଗାଁରୁ ।

ବଙ୍ଗୋମୁଣ୍ଡା ବ୍ଳକ ଭୁଷଲାଡ଼ ପଞ୍ଚାୟତର ପଲସଖଣ୍ଡ ଗାଁ । ବୟସର ଅପରାହ୍ଣରେ ପହଞ୍ଚିଥିବା ଲୋକେ ଏବେ ବି ସରକାରୀ ସହାୟତାକୁ ଚାହିଁ ବସିଛନ୍ତି । ଏ ସବୁ ଯୋଜନା ଏମାନଙ୍କ ପାଇଁ ସ୍ୱପ୍ନ ହୋଇ ରହିଯାଇଛି । ବିଭିନ୍ନ ସମୟରେ ସହାୟତା ପାଇଁ ଆବେଦନ କରିଥିଲେ ବି ଏଥିପ୍ରତି କେହି ଧ୍ୟାନ ଦେଉନାହାନ୍ତି । କେବଳ ପ୍ରତିଶ୍ରୁତି ଛଡା ଅନ୍ୟ କିଛି ମିଳୁନଥିବା ଅଭିଯୋଗ ହୋଇଛି ।

କେବଳ ବୃଦ୍ଧବୃଦ୍ଧା ଯେ ବଞ୍ଚିତ ତାହା ନୁହେଁ, ଗାଁରେ ଥିବା ବିଧବା ଓ ଦିବ୍ୟାଙ୍ଗମାନେ ବି ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି । ଏ ସମ୍ପର୍କରେ ବଙ୍ଗୋମୁଣ୍ଡା ବିଡିଓଙ୍କୁ ଅବଗତ କରାଯାଇଛି । ଗାଁରେ ଲୋକ ମାନଙ୍କୁ ଭତ୍ତା ଦିଆଯିବା ସହ ଯେଉଁମାନେ ଭତ୍ତା ପାଇବାରୁ ବଞ୍ଜିତ ସେମାନଙ୍କୁ ଶୀଘ୍ର ଯୋଜନାରେ ସାମିଲ କରାଯିବ ବୋଲି କହିଛନ୍ତି । ଏବେ ଦେଖିବାକୁ ବକି ରହିଲା ଯେ ପ୍ରଶାସନ କେବେ ହିତାଧିକାରୀଙ୍କୁ ସେମାନଙ୍କ ହକ୍‌ ପ୍ରଦାନ କରୁଛି ।

Leave A Reply

Your email address will not be published.