ଶପଥ ଗ୍ରହଣ ମଞ୍ଚରେ ନବୀନଙ୍କ ସହ କଥା ହେଲେ ମୋଦି, ହସି ହସି ମିଳାଇଲେ ହାତ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିସାରିଛନ୍ତି ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦ ମଧ୍ୟ ଶପଥ ପାଠ କରିଛନ୍ତି । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତେ ଅନ୍ୟ ବରିଷ୍ଠ କେନ୍ଦ୍ରମନ୍ତ୍ରୀ ଓ ୯ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । ତେବେ ସମାରୋହରେ ଯେଉଁ ବ୍ୟକ୍ତିଙ୍କୁ ସମସ୍ତଙ୍କ ଅପେକ୍ଷା ଥିଲା ସେ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ।

ନବୀନ ପଟ୍ଟନାୟକ ଯେତେବେଳେ ଶପଥ ସମାରୋହରେ ଭାଗ ନେବାକୁ ମଂଚ ଉପରକୁ ଆସିଲେ ଉପସ୍ଥିତ ଥିବା ବିଜେପିର ବରିଷ୍ଠ ନେତୃବୃନ୍ଦ ଛିଡା ହୋଇ ତାଙ୍କୁ ସମ୍ମାନ ଜଣାଇଥିଲେ । ଏହା ପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ,ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ନବୀନଙ୍କୁ ସମ୍ମାନ ଜଣାଇବାକୁ ନିଜ ଆସନରୁ ଉଠିଥିଲେ । କିଛି ସମୟ ପାଇଁ ନବୀନ ଅମିତ ଶାହ,ରାଜନାଥ ସିଂହ ଓ ନୀତିନ ଗଡ଼କରିଙ୍କ ସହିତ କଥା ହୋଇଥିଲେ ।

ତେବେ ଶପଥ ସମାରୋହ ଷ୍ଟେଜ ଉପରେ ନବୀନ ଓ ମୋଦି ହାତ ମିଳାଇ କଥା ହୋଇଥିଲେ । ଉଭୟ କିଛି ସମୟ ଧରି କଥା ହୋଇଥିଲେ । ଏହି ସମୟ ଦୁହେଁ ବହୁତ ଖୁସି ମିଜାଜରେ ପରସ୍ପର ସହ କଥା ହେଉଥିବା ଦେଖିବାକୁ ମିଳିଥିଲା ।  ଶପଥ ଗ୍ରହଣ ସରିବା ପରେ ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟ ଜଣଜଣକରି ନବୀନଙ୍କୁ ନମସ୍କାର କରିଥିଲେ । ନବୀନ ମଧ୍ୟ ସେମାନଙ୍କୁ ପ୍ରତି ନମସ୍କାର ଜଣାଇଥିଲେ ।

 

Leave A Reply

Your email address will not be published.