ଯାଜପୁର : ଜମିଜମାକୁ ନେଇ ଗୋଷ୍ଠୀ ସଂଘର୍ଷ, ୩ ଗୁରୁତର
ଯାଜପୁର(କେନ୍ୟୁଜ୍): ଜମିଜମା ମାମଲାକୁ ନେଇ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ବାଙ୍ଗରଗୁଣ୍ଠା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି । ଏହି ସଂଘର୍ଷରେ ୩ ଜଣ ଗୁରୁତର ହେବା ସହ ପୋଲିସ ୨ ଜଣଙ୍କୁ ଗିରଫ କରିଛି ।
ସୂଚନାନୁଯାୟୀ, ଜମିଜମାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ବାଙ୍ଗରଗୁଣ୍ଠା ଗ୍ରାମରେ। ଗ୍ରାମର ଜ୍ଞାନେନ୍ଦ୍ର ପରିଡ଼ା ଓ ରମେଶ ପ୍ରଧାନ ଉଭୟଙ୍କ ପରିବାର ମଧ୍ୟରେ ଜମିଜମାକୁ ନେଇ ଦୀର୍ଘ ଦିନ ହେବ ବିବାଦ ଲାଗିରହିଥିଲା। ତେବେ ଗତକାଲି ଉଭୟ ପରିବାର ଭିତରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା।
ଏହି ସମୟରେ ଜ୍ଞାନେନ୍ଦ୍ର ପରିଡ଼ା ଅନ୍ୟ ପରିବାରର ତିନି ଜଣ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହିତ ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି। ତିନି ମହିଳା ଏବେ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ଏପଟେ ଜ୍ଞାନେନ୍ଦ୍ରଙ୍କ ସମେତ ରମେଶକୁ ବଡ଼ଚଣା ପୋଲିସ ଗିରଫ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାକୁ ଉଦ୍ୟମ ଜାରି ରଖିଛି।