Below header

ଅନ୍ତଃରାଜ୍ୟ ବନ୍ଧୁକ ବେପାରୀ ସଂଗ୍ରାମ ଗିରଫ, ବିହାରରୁ ଆଣି ୩ ଗୁଣ ଚଢ଼ା ଦାମ୍‌ରେ ବିକୁଥିଲା

ଭୁବନେଶ୍ୱର : ରାଜଧାନୀରେ ସରକାରୀ କ୍ବାର୍ଟର୍ସରେ ବନ୍ଧୁକ କାରଖାନା ଠାବ ହେବା ପରେ ସାଧାରଣ ଜନତା ଏଠାରେ କେତେ ସୁରକ୍ଷିତ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଗତ ସୋମବାର ପୁଲିସ ଉକ୍ତ କାରଖାନାକୁ ଠାବ କରି ଘଟଣାରେ ଜଣଙ୍କୁ ଗିରଫ କରିଥିଲା। ଏହି ଘଟଣା ପରେ ପୁଣି ଗତକାଲି ଜବତ ହୋଇଛି ୪ଟି ବନ୍ଧୁକ ସହ ଗୁଳି। ଏହି ଘଟଣାରେ ଜଣେ ଅନ୍ତଃରାଜ୍ୟ ଚୋରା ବନ୍ଧୁକ ବେପାରୀ ଗିରଫ ହୋଇଛି। ବିହାରର ମୁଙ୍ଗେର୍‌ ଅଞ୍ଚଳରୁ ଆସୁଥିବା ଏହି ବନ୍ଧୁକ ଏଠାରେ ୩ ଗୁଣ ଦରରେ ବିକ୍ରି ହେଉଥିଲା।

ସୂଚନା ଅନୁଯାୟୀ ସ୍ପେସାଲ୍‌ ସ୍କ୍ବାଡ୍‌ ଓ ଲକ୍ଷ୍ମୀସାଗର ଥାନା ପୁଲିସର ଏକ ମିଳିତ ଟିମ୍‌ ଏୟାରଫିଲ୍‌ଡ ଥାନା ଭୀମଟାଙ୍ଗି ହାଉସିଂବୋର୍ଡ କଲୋନିର ସଂଗ୍ରାମ ନାଥ ଓରଫ ବାବୁଲିକୁ ଗିରଫ କରିଥିଲେ। ସେ ଗତକାଲି ହାୱଡ଼ା-ଚେନ୍ନାଇ ଏକ୍ସପ୍ରେସ୍‌ରେ ବନ୍ଧୁକ ଧରି ଭୁବନେଶ୍ବର ଆସୁଥିବା ଖବର ପାଇ ପୁଲିସର ଏକ ଟିମ୍ ଟ୍ରେନ୍‌ ପହଞ୍ଚିବା ପରେ ତାକୁ କାବୁ କରିନେଇଥିଲେ। ତା’ଠାରୁ ଦୁଇଟି ୦.୭୬୫ ଏମ୍‌ଏମ୍‌ ମାଗାଜିନ୍‌ଯୁକ୍ତ ଦୁଇଟି ପିସ୍ତଲ, ଗୋଟିଏ ୯ ଏମ୍‌ଏମ୍‌ ପିସ୍ତଲ, ଗୋଟିଏ ସିଙ୍ଗିଲ୍‌ ସଟ୍‌ ପିସ୍ତଲ; ୦.୭୬୫ କ୍ୟାଲିବର୍‌ର ୪ ରାଉଣ୍ଡ ଓ ୯ ଓ ୦.୩୨ କ୍ୟାଲିବର୍‌ର ଅଫୁଟା ଗୁଳି ସହ ଦୁଇଟି ଖାଲି ଖୋକା ଜବତ କରାଯାଇଛି। ସେ ବିହାରର ମୁଙ୍ଗେର୍‌ କରୱା ମୈଦାନ୍‌ ଅଞ୍ଚଳରୁ ଏଭଳି ପିସ୍ତଲ ଆଣି ଏଠାରେ ବିଭିନ୍ନ ସ୍ଥାନରେ ବେପାର କରୁଥିଲା।

ସଂଗ୍ରାମ ବିହାରରୁ ୧୨ରୁ ୧୪ ହଜାର ଟଙ୍କାରେ ବନ୍ଧୁକ କିଣି ଏଠାରେ ୩୦ରୁ ୩୫ ହଜାର ଟଙ୍କାରେ ବିକ୍ରି କରୁଥିବା କହିଛି। ତାକୁ ରିମାଣ୍ଡରେ ଅଣାଯାଇ ଅଧିକ ଖୋଳତାଡ଼ କରାଯିବ ବୋଲି ଲକ୍ଷ୍ମୀସାଗର ଥାନା ଭାରପ୍ରାପ୍ତ ଅଧିକାରୀ କହିଛନ୍ତି। ତେବେ ପୂର୍ବରୁ ମଧ୍ୟ ଏକାଧିକ ବନ୍ଧୁକ ଜବତ ହେବା ସହିତ ବେପାରୀ ଗିରଫ ହୋଇଛନ୍ତି। ଏବେ ସାଧାରଣରେ ପ୍ରଶ୍ନ ଉଠିଛି, ଏତେ ବନ୍ଧୁକ ରାଜଧାନୀକୁ କାହା ପାଇଁ ଆସୁଥିଲା? କିଏ ଏସବୁ ବନ୍ଧୁକକୁ ଚଢା ଦରରେ କିଣୁଥିଲେ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.