Below header

ଲୁଟେରାକୁ ଧରାଇଲା କ୍ରେଡିଟ୍‌ କାର୍ଡ଼, ବିଗ୍‌ବଜାର ୫ ମହଲାରୁ ଡେଇଁ ଏବେ ଡାକ୍ତରଖାନାରେ

ଭୁବନେଶ୍ୱର (କେ ନ୍ୟୁଜ୍‌) : କାହିଁକି ବିଗବଜ଼ାର ପାଞ୍ଚ ମହଲା ରୁ ଡେଇଁଲା ଲୁଟେରା ? କଣ ଥିଲା ରହସ୍ୟ ? ପୋଲିସ୍‌ ଗିରଫ କରିବା ପରେ ଏକଥାର ପର୍ଦ୍ଦାଫାସ୍‌ ହୋଇଛି ।

ନାମ-ମହେଶ୍ୱର ଦଳେଇ । ଘର-କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା । ଗତକାଲି ଭୁବନେଶ୍ୱର ଭିଏସ୍‌ଏସ୍‌ ନଗରରେ ଜଣେ ବୃଦ୍ଧାଙ୍କ ଘରୁ ବଡ଼ ଧରଣର ଚୋରି ହୋଇଥିଲା । ତାଙ୍କୁ ବାନ୍ଧି ପକାଇ ଲୁଟେରାମାନେ ଲୁଟି ନେଇଥିଲେ ଜିନିଷପତ୍ର ସବୁ । ଲୁଟ୍‌ରେ ସାମିଲ ଥିଲା ମହେଶ୍ୱର ଓ ତାର ସହଯୋଗୀ ଦୀପକ ବେହେରା । ଚୋରି ଜିନିଷପତ୍ର ଭିତରେ ହାତରେ ଲାଗିଥିଲା ଏକ କ୍ରେଡିଟ୍‌ କାର୍ଡ଼ । ସେହି କାର୍ଡ଼ରେ ଆଜି ରାମ ମନ୍ଦିର ନିକଟ ବିଗ୍‌ ବଜାରରେ ସେ ଦୁହେଁ କିଣାକିଣି କଲେ । ପ୍ୟାଣ୍ଟସାର୍ଟ ଓ ଲାପ୍‌ଟପ୍‌ ପର୍ଯ୍ୟନ୍ତ କିଣିଥିଲେ । ତେବେ କ୍ରେଡିଟ୍‌ କାର୍ଡ଼ର ଅପରେସନ୍‌ ଭଲ ଭାବେ ଜାଣି ନଥିଲେ । ତେଣୁ ବିଗ୍‌ବଜାର କର୍ତ୍ତୃପକ୍ଷଙ୍କର ସନ୍ଦେହ ହୋଇଥିଲା । ଆଉ ସେ ଚୁପ୍‌ କରି ପୋଲିସ୍‌କୁ ଫୋନ୍‌ କରି ଦେଲେ । ପୋଲିସ୍‌ ଅଚାନକ ଆସି ପହଞ୍ଚିଯିବା ଦେଖି ଦୁଇ ଲୁଟେରା କିଛି ଉପାୟ ପାଇଲେ ନାହିଁ । ଦୀପକ ଧରାପଡ଼ିଗଲା ହେଲେ ମହେଶ୍ୱର ପାଞ୍ଚ ମହଲାରୁ ତଳକୁ ଜମ୍ପ ମାରିଲା । ଦୁର୍ଭାଗ୍ୟକୁ ଦୁଇ ଗୋଡ଼ରେ ଗୁରୁତର ଆଘାତ ଲାଗିଲା ଓ ଆଉ ତଳୁ ଉଠି ପାରିଲାନି । ପୋଲିସ୍‌ ତାକୁ ଧରି କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଥିଲା । ତେବେ ଅବସ୍ଥା ଗୁରୁତର ଥିବାରୁ ପ୍ରାରମ୍ଭିକ ଚିକିତ୍ସା ପରେ ତାକୁ କଟକ ବଡ଼ ମେଡିକାଲ ପଠାଇ ଦିଆଯାଇଛି ।

ମହେଶ୍ୱର ଜଣେ ପେସାଦାର ହାର୍ଡ଼କୋର୍‌ ଲୁଟେରା । ସେ ଏହିଭଳି କୋଠା ଉପରୁ ଜମ୍ପ ମାରିବାରେ ଓସ୍ତାଦ୍‌ । ଏଥର ମଧ୍ୟ ସେ ଭାବିଥିଲା ପାଞ୍ଚ ମହଲାରୁ ଡେଇଁପଡ଼ି ଖସି ପଳାଇବ ବୋଲି । ହେଲେ ମାତ୍‌ ଖାଇଗଲା । ତାଠାରୁ ପୋଲିସ୍‌ ଅନେକ କିଛି ତଥ୍ୟ ହାସଲ କରିଛି । ମହେଶ୍ୱର ତା ନିଜ ନାଁ ମିଛ କହିଥିବା ଜଣାପଡ଼ିଛି । କମିଶନରେଟ୍‌ ପୋଲିସ୍‌ ଏବେ କେନ୍ଦ୍ରାପଡ଼ା ଯାଇ ତା ସମ୍ପର୍କରେ ସଠିକ୍‌ ତଥ୍ୟ ଖୋଜୁଛି । ଅନ୍ୟପକ୍ଷରେ ଦୀପକ ବେହେରା ଘର ଗଞ୍ଜାମ ଜିଲ୍ଲାରେ ବୋଲି ସୂଚନା ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.