ମୁଖ୍ୟମନ୍ତ୍ରୀଙ୍କ ସହ ହକି ମ୍ୟାଚ୍ ଦେଖିଲେ ଆତ୍ମସମର୍ପଣକାରୀ ମାଓବାଦୀ

ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମରେ ଚାଲିଛି ହକି ବିଶ୍ୱକପ୍‌ । ହକି ଷ୍ଟାରମାନେ ଜଲଓ୍ଵା ଦେଖାଉଛନ୍ତି । ସେପଟେ ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କ ପାଇଁ ମୁଖ୍ୟସ୍ରୋତକୁ ଫେରିବାକୁ ହକି ଏକ ମାଧ୍ୟମ ସାଜିଛି । ଗତକାଲି ଆତ୍ମସମର୍ପଣ କରିଥିବା ୩୦ ମାଓବାଦୀ ମୁଖ୍ୟମନ୍ତ୍ରୀଙ୍କ ସହ ସ୍ୱତନ୍ତ୍ର ଏନ୍‌କ୍ଲୋଜରରେ ବସି ଭାରତ-ନେଦରଲ୍ୟାଣ୍ଡ ମ୍ୟାଚ ଦେଖିଛନ୍ତି । ଏମାନେ ସମସ୍ତେ ପୂର୍ବରୁ ଏକାଧିକ ମାଓ ହିଂସାରେ ସାମିଲ ଥିଲେ । ଏପରିକି କିଛି ଜଣଙ୍କ ନାଁରେ ଏକ ଲକ୍ଷରୁ ୫ଲକ୍ଷ ପର୍ଯ୍ୟନ୍ତ ପୁରସ୍କାର ବି ଥିଲା ।  ଏମାନଙ୍କ ମଧ୍ୟରେ ଅଛନ୍ତି ୧୪ଜଣ ପୁରୁଷ ଓ ୧୬ଜଣ ମହିଳା । କିଛି ମହିଳା ମୁଖ୍ୟମନ୍ତ୍ରୀଙ୍କ ସହ ହ୍ୟାଣ୍ଡସେକ୍‌ କରିଥିଲେ। ସେପେଟ ଅନ୍ୟ ମାଓବାଦୀମାନଙ୍କୁ ମୁଖ୍ୟସ୍ରୋତକୁ ଫେରିଆସିବାକୁ ଆହ୍ଵାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଓଡିଶାରେ ଆଦିବାସୀ ଅଞ୍ଚଳ ଗୁଡିକରେ ମାଓବାଦୀଙ୍କ ପ୍ରଭାବ ରହିଛି । ସେହି ଆଦିବାସୀ ଅଞ୍ଚଳରୁ ଦିଲ୍ଲୀପ ତିର୍କି, ପ୍ରବୋଧ ତିର୍କି ଭଳି ହକି ଷ୍ଟାର ଓଡିଶାରୁ ଯାଇ ଭାରତର ପ୍ରତିନିଧିତ୍ୱ କରିଛନ୍ତି । ଗୋଟିଏ ପଟେ କିଛି ଆଦିବାସୀ ହକି ଖେଳି ଦେଶ ପାଇଁ ଗୌରବ ଆଣିଛନ୍ତି । ଆଉ କିଛି ଯୁବକ ବାଟବଣା ହୋଇ ମାଓ ସଂଗଠନରେ ସାମିଲ ହେଉଛନ୍ତି । ସେମାନଙ୍କ ସାମାଜିକ, ଅର୍ଥନୈତିକ ବିକାଶ ପାଇଁ ହକି ଏକ ମାଧ୍ୟମ ହୋଇ ପାରିବ।

ଆତ୍ମସମର୍ପଣ କରିଥିବା ଏହି ମାଓବାଦୀମାନେ ମାଲକାନଗିରି ଓ କୋରାପୁଟରୁ ଆସି ହକି ମ୍ୟାଚ୍‌ ଦେଖିଲେ। ଆଜି ନନ୍ଦନକାନନ, କୋଣାର୍କ, ପୁରୀ ଆଦି ବୁଲିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.