Below header

ଅର୍ଚ୍ଚନା କଣ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ମନା କରିଛି ?

ଭୁବନେଶ୍ୱର (କେନ୍ୟୁଜ୍‌) : ଅର୍ଚ୍ଚନା ଡରିଛି ନା ଡରାଉଛି ? ଏମିତି ଏକ ଚର୍ଚ୍ଚା ଏବେ ଚା ଖଟିରୁ ଆରମ୍ଭ କରି ଘର ଭିତର ଯାଏ । ମାତ୍ର ୨୮ ବର୍ଷ ବୟସରେ ବିଉଟି ପାର୍ଲରରୁ ବ୍ଲାକମେଲର ସାଜିଥିବା ଅର୍ଚ୍ଚନା ମାମଲା ଏବେ ଅକଟୋପସ୍‌ ଭଳି ଅନେକ ବଡ଼ବଡ଼ିଆଙ୍କୁ ଗୁଡ଼ାଇ ଧରିଛି । ତେବେ ତା ସହ ଲିଙ୍କଥିବା ଅଭିଯୋଗ ଉଠିଥିବା ନାଁ ଗୁଡ଼ିକ ସିନା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଏଯାଏ କେହି ବି ତାକୁ ନେଇ ମୁହଁ ଖୋଲି ନାହାନ୍ତି । ଏଥିର ଦୁଇଟି ଅର୍ଥ ବାହାରୁଛି । ଘଟଣାରେ ସେମାନେ ହୁଏତ ସଂପୃକ୍ତ ଅଛନ୍ତି ନହେଲେ ମାମଲାକୁ ଗୁରୁତ୍ୱ ଦେଉ ନାହାନ୍ତି ।
ଏପଟେ ଅର୍ଚ୍ଚନା କିନ୍ତୁ ଖୁବ୍‌ ନିର୍ଭୟର ସହ ଜେଲ୍‌ରେ ଚଳୁଥିବା କୁହାଯାଉଛି । ଯଦିଓ ପ୍ରତିପତ୍ତି ସବୁ ହରାଇ ଅଚାନକ ଜେଲ୍‌୍‌ର ଚାରି କାନ୍ଥ ଭିତରକୁ ଚାଲି ଆସିଥିବାରୁ ପ୍ରଚଣ୍ଡ ଆଘାତ ଲାଗିଛି ତାକୁ । ସେ ଫସାଇଛି କେତେ ନିଜେ ଫସିଛି କେତେ ସେ କଥା ତ ପରେ ସ୍ପଷ୍ଟ ହେବ ହେଲେ ଅର୍ଚ୍ଚନାକୁ ନେଇ ରାଜନୈତିକ ମହଲ ଠାରୁ ଆରମ୍ଭ କରି ସାଧାରଣ ଲୋକ ଯାଏ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ।

ଅର୍ଚ୍ଚନା ଠାରେ ଏମିତି କଣ ଆକର୍ଷଣ ଥିଲା ଯେ ପ୍ରତିଷ୍ଠିତ ବ୍ୟକ୍ତିମାନେ ତା ଜାଲରେ ଫସି ଯାଉଥିଲେ ଏବଂ ନିଜର ସମସ୍ତ ସାମର୍ଥ୍ୟ ସତ୍ତ୍ୱେ ସେହି ଜାଲରୁ ବାହାରି ପାରିଲେ ନାହିଁ ବୋଲି ଲୋକେ ଆଲୋଚନା କରୁଛନ୍ତି । ଏପଟେ ଏଯାଏ ପୋଲିସ୍‌ ଅର୍ଚ୍ଚନାର ସ୍ୱାମୀ ଜଗବନ୍ଧୁ କିମ୍ବା ସହଯୋଗୀ ଖଗେଶ୍ୱରକୁ ଠାବ କରି ପାରିନାହିଁ । ସେମାନେ ରାଜ୍ୟ ଭିତରେ କି ରାଜ୍ୟ ବାହାରକୁ ଛୁ ମାରିଛନ୍ତି ତାକୁ ନେଇ କିଛି ସ୍ପଷ୍ଟ ଜଣାପଡ଼ି ନାହିଁ ।

ଆହୁରି ମଧ୍ୟ ଶୁଣିବାକୁ ମିଳୁଛି କି ଗଣମାଧ୍ୟମ ପ୍ରତିନିଧିମାନେ କୁଆଡ଼େ ଅର୍ଚ୍ଚନାର ପ୍ରତିକ୍ରିୟା ନେବାକୁ ଅତ୍ୟନ୍ତ ଉତ୍ସୁକ ଅଛନ୍ତି । ହେଲେ ଏଥିରେ ପୋଲିସ୍‌ ପ୍ରଥମେ ବାଧକ ସଜିଥିଲା । ଅଉ ଏବେ ଜେଲ୍‌ର ଦୁଆର ପ୍ରତିବନ୍ଧକ ହୋଇଛି । ତଥାପି ପ୍ରତିନିଧିମାନଙ୍କ ଚେଷ୍ଟା ଜାରି ରହିଛି । କାରଣ ଅର୍ଚ୍ଚନାର ବୟାନ୍‌ ନିଶ୍ଚିତ ବିସ୍ଫୋରକ ହୋଇ ପାରେ । ଅବଶ୍ୟ ଏସବୁ ଚର୍ଚ୍ଚା ଭିତରେ ଆଉ ଗୋଟିଏ କଥା ମଧ୍ୟ ଶୁଣାଯାଉଛି କି ଅର୍ଚ୍ଚନା କୁଆଡ଼େ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଚେତାଇ ଦେଇଛି କି କୌଣସି ଗଣମାଧ୍ୟମ ପ୍ରତିନିଧି ଯେମିତି ତାଙ୍କ ପାଖକୁ ନଆସନ୍ତି । ନଚେତ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ।

ଅବଶ୍ୟ ଏକଥା କେତେଦୂର ସତ ସେ ନେଇ କେବଳ ଅର୍ଚ୍ଚନା ଏବଂ ଜେଲ୍‌ କର୍ତ୍ତୃପକ୍ଷ ହିଁ ଜାଣିଥିବେ କିନ୍ତୁ ତାଙ୍କ ଖବର ଏବେ ସକାଳୁ ରାତି ଯାଏ ସବୁ ଗଣମାଧ୍ୟମ ଘୋଷି ହେଉଛନ୍ତି । କାରଣ ଏ ମାମଲାରେ ଅର୍ଚ୍ଚନା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହନ୍ତି ତାଙ୍କ ସହ ସଂପୃକ୍ତ ଅନେକ ଭିଆଇପି ହିଁ ରହିଛନ୍ତି ଟାର୍ଗେଟ୍‌ରେ । ତେବେ ଅର୍ଚ୍ଚନା ପ୍ରକୃତରେ ପ୍ରତିକ୍ରିୟା ଦେବାକୁ ଚାହୁଁଛନ୍ତି ନା ନାହିଁ ଅବା ତାଙ୍କୁ ନେଇ ଏଭଳି ଗୁଜବ ପ୍ରଚାର କରାଯାଉଛି ତାହା ମଧ୍ୟ ସନ୍ଦେହ ଘେରରେ ରହିଛି । କାରଣ ଏ ଘଟଣାରେ ସତ ଯେତିକି ଥାଇ ପାରେ ତା ସହିତ ମିଛ ବି ସେତିକି ମିଶିଥାଇ ପାରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.